ଦୁବାଇ, ୧୨/୦୯: ଆଗାମୀ ମହିଳା ଦିନିକିଆ  ବିଶ୍ୱକପ୍‌ ପାଇଁ ଆଇସିସି ପକ୍ଷରୁ ମ୍ୟାଚ୍‌ ଅଫିସିଆଲ୍‌  ତାଲିକା ଘୋଷଣା କରାଯାଇଛି । ଏଥର ଆଇସିସି ଏକ  ଐତିହାସିକ ନିଷ୍ପତ୍ତି ନେଇଛି । ପ୍ରଥମ ଥର ଦିନିକିଆ  ବିଶ୍ୱକପ୍‌ ମ୍ୟାଚ୍‌ ପରିଚାଳନା ପାଇଁ  କେବଳ ମହିଳା ଅଫିସିଆଲ୍‌ଙ୍କୁ  ନିଯୁକ୍ତ କରାଯାଇଛି । ପୂର୍ବରୁ ୨୦୨୨ ରାଜ୍ୟଗୋଷ୍ଠୀ  କ୍ରୀଡ଼ା ଏବଂ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଶେଷ  ୨ଟି ସଂସ୍କରଣରେ ମଧ୍ୟ ମହିଳା ଅଫିସିଆଲ୍‌ମାନେ  ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ରହିଥିଲେ ।

ଦିନିକିଆ ବିଶ୍ୱକପ୍‌ ପାଇଁ ଘୋଷିତ ମ୍ୟାଚ୍‌ ଅଫିସିଆଲ୍‌  ତାଲିକାରେ ୪ଜଣ ମ୍ୟାଚ୍‌ ରେଫରୀ ଓ ୧୪ଜଣ ଅମ୍ପାୟାର  ସ୍ଥାନ ପାଇଛନ୍ତି । ଭାରତର ଜିଏସ୍‌ ଲକ୍ଷ୍ମୀଙ୍କ ସମେତ  ଟ୍ରୁଡି ଆଣ୍ଡରସନ୍‌, ସାନ୍ଦ୍ରେ ଫ୍ରିଜ୍‌ ଓ ମିଚେଲ ପେରେଇରା  ମ୍ୟାଚ୍‌ ରେଫରୀ ଦାୟିତ୍ୱ ତୁଲାଇବେ । ସେହିପରି  କ୍ଲେୟର ପୋଲୋସାକ୍‌, ଜାକଲିନ୍‌ ୱିଲିୟମ୍ସ ଓ ସୁଇ  ରେଡଫର୍ଣ୍ଣ ତୃତୀୟ ଥର ଏବଂ ଦକ୍ଷିଣ  ଆଫ୍ରିକାର ଲାଉରେନ ଏଜେନବାଗ  ଓ ନ୍ୟୁଜିଲାଣ୍ଡର କିମ୍‌ କଟନ ଦ୍ୱିତୀୟ ଥର ବିଶ୍ୱକପ୍‌ରେ  ଅମ୍ପାୟାରିଂ କରିବାକୁ ଯାଉଛନ୍ତି । ଭାରତର ବ୍ରିନ୍ଦା ରାଠି ଓ  ଗାୟତ୍ରୀ ଭେନୁଗୋପାଳନ ମଧ୍ୟ ଅମ୍ପାୟାର ତାଲିକାରେ ସାମିଲ  ରହିଛନ୍ତି । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍‌  ଆୟୋଜନ କରିବେ । ଆସନ୍ତା ୩୦ତାରିଖରୁ ଟୁର୍ଣ୍ଣାମେଣ୍ଟ  ଆରମ୍ଭ ହୋଇ ନଭେମ୍ବର ୨ ତାରିଖରେ ଶେଷ ହେବ ।