ନୂଆଦିଲ୍ଲୀ ୨୬/୦୭: ତାଲିବାନ ଭଳି ବାଂଲାଦେଶରେ ନିୟମ ଲାଗୁ କରିବାର ମହମ୍ମଦ ୟୁନୁସ ସରକାରଙ୍କ ପ୍ରୟାସ ବିଫଳ ହୋଇଛି । ବାଂଲାଦେଶର ସେଣ୍ଟ୍ରାଲ ବ୍ୟାଙ୍କ୍‌ ଆଦେଶ  ଜାରି କରିଥିଲା, କର୍ମସ୍ଥଳୀରେ ମହିଳା କର୍ମଚାରୀଙ୍କୁ ଛୋଟ ଡ୍ରେସ୍‌, ଛୋଟ ହାତଯୁକ୍ତ  ପୋଷାକ ଏବଂ ଲେଗିଂସ ପିନ୍ଧିବାର ଅନୁମତି ମିଳିବ ନାହିଁ । ବାଂଲାଦେଶର  କେନ୍ଦ୍ରୀୟ ବ୍ୟାଙ୍କ୍‌ ୩ ଦିନ ତଳେ ମହିଳା କର୍ମଚାରୀଙ୍କୁ ଶାଳୀନ ଓ ପେସାଦାର ପୋଷାକ ପିନ୍ଧି ଅଫିସ୍‌ ଆସିବାକୁ କହିଥିଲା । ଔପଚାରିକ ଜୋତା ମଧ୍ୟ ପିନ୍ଧିବାକୁ  ନିର୍ଦ୍ଦେଶ ଜାରି ହୋଇଥିଲା । 

ବ୍ୟାଙ୍କ୍‌ର ଏଚ୍‌ଆର୍‌ ବିଭାଗ ଚେତାବନୀ ଦେଇଥିଲା, ଏହି ଆଦେଶ ପାଳନ ନ କଲେ, ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ  ଏହା ବିରୋଧରେ ସୋସିଆଲ ମିଡିଆରେ ଝଡ଼ ଉଠିଲା । ଲୋକେ ବାଂଲାଦେଶ  ବ୍ୟାଙ୍କ୍‌ ମ୍ୟାନେଜ୍‌ମେଣ୍ଟକୁ ଫେସ୍‌ବୁକ ଓ ଏକ୍ସ ପ୍ଲାଟ୍‌ଫର୍ମରେ ‘ଶାଳୀନତା ଓ  ପେସାଦାର’ର ପରିଭାଷା ବୁଝାଇବାକୁ ଲାଗିଲେ । କଥା ଏତେ ଆଗକୁ ବଢ଼ିଲା  ଯେ ବ୍ୟାଙ୍କ୍‌କୁ ଆଦେଶ ପ୍ରତ୍ୟାହାର କରିବାକୁ ପଡ଼ିଲା । ଅନେକ ଏହାକୁ  ତାଲିବାନୀ ଶାସନ ସହ ତୁଳନା କହିଛନ୍ତି । 

ପୁରୁଷ କର୍ମଚାରୀଙ୍କୁ ଲମ୍ବା କିମ୍ବା  ଅଧା ହାତଯୁକ୍ତ ଫର୍ମାଲ ସାର୍ଟ, ଫର୍ମାଲ ପ୍ୟାଣ୍ଟ୍‌ ଓ ଜୋତା ପିନ୍ଧିବାକୁ ନିର୍ଦ୍ଦେଶ  ଦିଆଯାଇଥିଲା । କିନ୍ତୁ ଜିନ୍ସ କିମ୍ବା ଫ୍ୟାନ୍ସି ପାଇଜାମା ପିନ୍ଧିବାର ଅନୁମତି ନ  ଥିଲା । ବାଂଲାଦେଶ ବ୍ୟାଙ୍କ୍‌ର ପ୍ରବକ୍ତା ଆରିଫ ହୁସେନ କହିଛନ୍ତି, ଏହି  ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ରୂପେ ଏକ ପରାମର୍ଶ । ହିଜାବ ବା ବୁର୍କା ପିନ୍ଧିବା  ସମ୍ପର୍କରେ କୌଣସି ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରାଯାଇନାହିଁ ।