ନୂଆଦିଲ୍ଲୀ ୨୬/୦୭: ତାଲିବାନ ଭଳି ବାଂଲାଦେଶରେ ନିୟମ ଲାଗୁ କରିବାର ମହମ୍ମଦ ୟୁନୁସ ସରକାରଙ୍କ ପ୍ରୟାସ ବିଫଳ ହୋଇଛି । ବାଂଲାଦେଶର ସେଣ୍ଟ୍ରାଲ ବ୍ୟାଙ୍କ୍ ଆଦେଶ ଜାରି କରିଥିଲା, କର୍ମସ୍ଥଳୀରେ ମହିଳା କର୍ମଚାରୀଙ୍କୁ ଛୋଟ ଡ୍ରେସ୍, ଛୋଟ ହାତଯୁକ୍ତ ପୋଷାକ ଏବଂ ଲେଗିଂସ ପିନ୍ଧିବାର ଅନୁମତି ମିଳିବ ନାହିଁ । ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ୩ ଦିନ ତଳେ ମହିଳା କର୍ମଚାରୀଙ୍କୁ ଶାଳୀନ ଓ ପେସାଦାର ପୋଷାକ ପିନ୍ଧି ଅଫିସ୍ ଆସିବାକୁ କହିଥିଲା । ଔପଚାରିକ ଜୋତା ମଧ୍ୟ ପିନ୍ଧିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା ।
ବ୍ୟାଙ୍କ୍ର ଏଚ୍ଆର୍ ବିଭାଗ ଚେତାବନୀ ଦେଇଥିଲା, ଏହି ଆଦେଶ ପାଳନ ନ କଲେ, ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ଏହା ବିରୋଧରେ ସୋସିଆଲ ମିଡିଆରେ ଝଡ଼ ଉଠିଲା । ଲୋକେ ବାଂଲାଦେଶ ବ୍ୟାଙ୍କ୍ ମ୍ୟାନେଜ୍ମେଣ୍ଟକୁ ଫେସ୍ବୁକ ଓ ଏକ୍ସ ପ୍ଲାଟ୍ଫର୍ମରେ ‘ଶାଳୀନତା ଓ ପେସାଦାର’ର ପରିଭାଷା ବୁଝାଇବାକୁ ଲାଗିଲେ । କଥା ଏତେ ଆଗକୁ ବଢ଼ିଲା ଯେ ବ୍ୟାଙ୍କ୍କୁ ଆଦେଶ ପ୍ରତ୍ୟାହାର କରିବାକୁ ପଡ଼ିଲା । ଅନେକ ଏହାକୁ ତାଲିବାନୀ ଶାସନ ସହ ତୁଳନା କହିଛନ୍ତି ।
ପୁରୁଷ କର୍ମଚାରୀଙ୍କୁ ଲମ୍ବା କିମ୍ବା ଅଧା ହାତଯୁକ୍ତ ଫର୍ମାଲ ସାର୍ଟ, ଫର୍ମାଲ ପ୍ୟାଣ୍ଟ୍ ଓ ଜୋତା ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଜିନ୍ସ କିମ୍ବା ଫ୍ୟାନ୍ସି ପାଇଜାମା ପିନ୍ଧିବାର ଅନୁମତି ନ ଥିଲା । ବାଂଲାଦେଶ ବ୍ୟାଙ୍କ୍ର ପ୍ରବକ୍ତା ଆରିଫ ହୁସେନ କହିଛନ୍ତି, ଏହି ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ରୂପେ ଏକ ପରାମର୍ଶ । ହିଜାବ ବା ବୁର୍କା ପିନ୍ଧିବା ସମ୍ପର୍କରେ କୌଣସି ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରାଯାଇନାହିଁ ।