କାବୁଲ,୩୧/୧୦: ଆଫଗାନିସ୍ତାନରେ ତାଲିବାନ୍‌ ମହିଳାଙ୍କ ପାଇଁ ଆହୁରି କଠୋର ହୋଇଛି । ରିପୋର୍ଟ  ଅନୁସାରେ, ଆଫଗାନିସ୍ତାନ ମହିଳାମାନେ  ଉଚ୍ଚସ୍ୱରରେ କଥା କହିପାରିବେନି କିମ୍ବା ବଡ଼ପାଟିରେ ନମାଜ ମଧ୍ୟ ପଢ଼ିପାରିବେନି  ବୋଲି ତାଲିବାନ୍‌ ଫତୱା ଜାରି କରିଛି । ମସ୍‌ଜିଦ ଯିବା ପାଇଁ ବି ସେମାନଙ୍କ  ଉପରେ ଲଗାମ ଲାଗିଛି । 

ତାଲିବାନ୍‌  ମନ୍ତ୍ରୀ ମହମ୍ମଦ ଖାଲିଦ ହନାଫି କହିଛନ୍ତି,  ମହିଳାମାନେ କୁରାନ୍‌ ପଢ଼ିବାବେଳେ  ଏତେ ଧୀର ସ୍ୱରରେ ପଢ଼ିବେ ଯେପରି  ତାଙ୍କ ପାଖରେ ଥିବା ଅନ୍ୟ ମହିଳା  ବି ତାହା ଶୁଣିପାରିବେନି । ମହିଳାଙ୍କୁ  ଅଜାନ ପଢ଼ିବାକୁ ଅନୁମତି ନାହିଁ ।  ତେଣୁ ସେମାନେ ଗୀତ ଗାଇପାରିବେନି  କି ଶୁଣିପାରିବେନି । ତେବେ ଏହି ଆଦେଶ  କେବଳ କୁରାନ୍‌ ପଢ଼ିବା ଯାଏ ସୀମିତ  ଅଛି । ଆଗକୁ ମହିଳାମାନେ ସାର୍ବଜନିକ  ଭାବେ ମଧ୍ୟ କଥା ନ କହିବା ଲାଗି  ତାଲିବାନ୍‌ ନିର୍ଦ୍ଦେଶ ଜାରି କରିପାରେ ବୋଲି  ଆଶଙ୍କା କରାଯାଇଛି । 

ଆଫଗାନିସ୍ତାନର  ହେରାତରେ କାମ କରୁଥିବା ଜଣେ  ନର୍ସ କହିଛନ୍ତି, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ  ମଧ୍ୟ ସାର୍ବଜନିକ ଭାବେ କଥା କହିବାର  ଅନୁମତି ନାହିଁ । ଏପରିକି ଡାକ୍ତରଖାନାରେ  ବି ପୁରୁଷ ସହକର୍ମୀଙ୍କ ସହ ଚିକିତ୍ସା  ସମ୍ବନ୍ଧରେ ବି କଥା ହୋଇହେବ ନାହିଁ ।  ପୂର୍ବରୁ ତାଲିବାନ୍‌ର ସୁପ୍ରିମଲିଡର ମୁଲ୍ଲା  ହିବାତୁଲ୍ଲା ଅଖୁନ୍ଦଜାଦା କହିଥିଲେ ଯେ,  ମହିଳାଙ୍କ ସ୍ୱର ଶୁଣିବା ଦ୍ୱାରା ପୁରୁଷଙ୍କ ମନ  ପଥଭ୍ରଷ୍ଟ ହୋଇପାରିବ । ତେଣୁ ସାର୍ବଜନିକ  ସ୍ଥାନରେ ମହିଳାଙ୍କ କଥା କହିବା ଉପରେ  ଲଗାମ ଲଗାଯିବା ଉଚିତ ।