ଚେନ୍ନାଇ: ତାମିଲନାଡୁରେ ଡିଏମ୍‌କେ ଶାସନକୁ ବିରୋଧ କରି ନିଆରା ପ୍ରତିବାଦ କରିଛନ୍ତି ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ। ଆଜି(ଡିସେମ୍ବର ୨୭) ଗଣମାଧ୍ୟମ ସାମ୍ନାରେ ସେ ନିଜକୁ ୬ ଥର କୋରଡ଼ା ମାଡ଼ କରିଛନ୍ତି। 

ଦ୍ରାବିଡ଼ ମୁନ୍ନେତ୍ରା କାଜାଗାମ(ଡିଏମକେ) ରାଜ୍ୟରେ ଶାସନ କରୁଥିବାରୁ ଏହା ତାଙ୍କର ପ୍ରଥମ ପ୍ରାୟଶ୍ଚିତ ବୋଲି ସେ କହିଛନ୍ତି। ଗତକାଲି ସେ ଏପରି ପ୍ରାୟଶ୍ଚିତ କରିବେ ବୋଲି ସାମ୍ବାଦିକ ସମ୍ମିଳନିରେ ଘୋଷଣା କରିଥିଲେ। ଆଜି ସତକୁ ସତ ନିଜକୁ କୋରଡ଼ା ମାଡ଼ କରିଛନ୍ତି ଏହି ବିଜେପି ନେତା। 

ଆନ୍ନାମଲାଇ ଆଜି ଗଣମାଧ୍ୟମ ସାମ୍ନାରେ ଏଭଳି ପ୍ରତିବାଦ ଜଣାଇଥିଲେ। ଏକ ସବୁଜ ମୁଣ୍ଡୁ ପିନ୍ଧି ଖାଲି ଦେହରେ ଥିବା ନିଜକୁ ୬ଥର କୋରଡ଼ା ମାରିଥିଲେ। ଏହାପରେ ତାଙ୍କ କର୍ମୀମାନେ ଆସି ତାଙ୍କୁ ଧରି ପକାଇଥିଲେ।  ତାଙ୍କୁ ସମର୍ଥନ କରିବା ପାଇଁ ଅନ୍ୟ ବିଜେପି କର୍ମକର୍ତ୍ତମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। 

ନିଜକୁ କୋରଡ଼ା ମାରିବା, ନିଜକୁ କଷ୍ଟ ଦେବା, ନିଜକୁ କଷ୍ଟକର ଧାର୍ମିକ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରିବା ଆମ ସଂସ୍କୃତିରେ ରହିଛି। ଏହା କାହା ବିପକ୍ଷରେ କିମ୍ବା କାହା ପାଇଁ ବିରୋଧ ପ୍ରଦର୍ଶନ ନୁହେଁ। ଏହା ରାଜ୍ୟରେ ଘଟୁଥିବା ଅନ୍ୟାୟ ବିରୁଦ୍ଧରେ ମୋର ଏକ ପ୍ରୟାସ। ଏଭଳି ଅନେକ ଘଟଣା ଘଟୁଛି। ଆନ୍ନା ବିଶ୍ୱବିଦ୍ୟାଳୟରେ ଯାହା ଘଟିଛି ତାହା ସେଥିମଧ୍ୟରୁ ଗୋଟିଏ ବୋଲି ଆନ୍ନାମଲାଇ କହିଛନ୍ତି।  

ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟର ଇଂଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସହ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ବର୍ତ୍ତମାନ ତାମିଲନାଡୁରେ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଖବର ମୁତାବକ ଛାତ୍ରୀ ଜଣଙ୍କ  ନିଜ ସିନିୟର ତୃତୀୟ ବର୍ଷର ପୁରୁଷ ବନ୍ଧୁଙ୍କ ସହ ବସିଥିଲେ। ଏହି ସମୟରେ ଆପରାଧିକ ପୃଷ୍ଟଭୂମି ଥିବା ଜ୍ଞାନଶେଖରନ ସେଠାରେ ପହଞ୍ଚି ସେମାନଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକର୍ଡ କରିଥିବା କହି ଧମକାଇଥିଲା। ଏହାପରେ ଛାତ୍ରୀଙ୍କ ପୁରଷ ବନ୍ଧୁ ସେଠାରୁ ଚାଲିଯିବାରୁ ଜ୍ଞାନଶେଖରନ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  

ଏହାକୁ ବିରୋଧ କରି ବିଜେପି ଡିଏମ୍‌କେ ଶାସିତ ସରକାରଙ୍କୁ କଡ଼ା ସମାଲୋଚନା କରୁଛି। ତାମିଲନାଡୁର ଉଭୟ ଶାସକ ବିରୋଧି ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ଏହି ପରିପ୍ରେକ୍ଷିରେ ଗୁରୁବାର ଆନ୍ନାମଲାଇ ଏକ ସାମ୍ବାଦିକ ସମ୍ମିଳନି ଡାକି ସେଥିରେ ଡିଏମକେର ଶାସନ ବିରୁଦ୍ଧରେ ନିଜେ ନିଜକୁ କୋରଡ଼ା ମାଡ କରିବେ ବୋଲି ଘୋଷଣା କରିଥିଲେ। ଏହା ସହ ଡିଏମକେର ଶାସନ ରାଜ୍ୟରୁ ନହଟିବାଯାଏ ସେ ସ୍ଲିପର ଚପଲ ବ୍ୟବହାର କରିବେ ବୋଲି ଘୋଷଣା କରିଛନ୍ତି।