ଚେନ୍ନାଇ,୨୦/୦୪: ତାମିଲନାଡ଼ୁର ବିରୁଧୁନଗର ଜିଲ୍ଲା କଟ୍ଟାନାପଟ୍ଟିରେ ଥିବା ଏକ ବାଣ କାରଖାନାରେ ରବିବାର ଅପରାହ୍ନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଅନ୍ୟୁନ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ମହିଳା ଥିବାବେଳେ ଜଣଙ୍କ ଶରୀର ୬୦%ରୁ ଅଧିକ ପୋଡ଼ି ଯାଇଛି। ଆଉ କେତେକ ଲୋକ କାରଖାନାରେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଅନୁମାନ କରାଯାଉଛି । ଫଳରେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୁଣି ବ୍ଲାଷ୍ଟ୍ ହୋଇଛି। ଏଥିରେ ୬ ପୁଲିସ କର୍ମୀଙ୍କ ୧୩ ଆହତ ହୋଇଛନ୍ତି।  ସୂଚନା ପାଇ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ନିଆଁ ଲିଭା ସହ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ପ୍ରାୟ ଘଣ୍ଟାଏ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ମନ୍ତ୍ରୀମାନଙ୍କୁ ଷ୍ଟାଲିନ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତଙ୍କ ପାଖରେ ଜରୁରି ସହାୟତା ପହଞ୍ଚାଇବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଫ୍ୟାକ୍ଟ୍ରିର ବୈଧ ଆର୍ଡିଓ ଲାଇସେନ୍ସ ଥିଲେ ହେଁ ଏହାର ପରିଚାଳନା ବେଆଇନ ଭାବେ ଚାଲୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିସ୍ଫୋରଣର ପ୍ରକୃତ କାରଣ ଖୋଜା ଆରମ୍ଭ ହୋଇଛି । ଏଥିପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ, ଏହି କାରଖାନା ପରିସରରେ ୩୦ରୁ ଅଧିକ କୋଠରୀ ରହିଛି । ସେଠାରେ ୫୦ରୁ ଅଧିକ କର୍ମଚାରୀ କାମ କରନ୍ତି । ରବିବାର ପ୍ରାୟ ୩୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ଅଚାନକ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୪ଟି କୋଠରୀ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣର ଶବ୍ଦ ସେଠାରୁ ଅନେକ କିମି ପର୍ଯ୍ୟନ୍ତ ଶୁଭିଥିଲା । ନିଆଁ ଲିଭା ଯିବା ପରେ ଧ୍ୱଂସାବଶେଷ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିରୁଧୁନଗର ବାଣ କାରଖାନର ଅନ୍ୟତମ ପ୍ରମୁଖ ହବ୍ । ଗତ କିଛି ବର୍ଷ ଭିତରେ ଏଠାରେ ଅନେକ କାରଖାନାରେ ବିସ୍ଫୋରଣ ଘଟିଲାଣି ।

ଅଧିକ ପଢ଼ନ୍ତୁ :- ତାମିଲନାଡୁ ବାଣ କାରଖାନାରେ ଜୋରଦାର ବିସ୍ଫୋରଣ: ୧୯ ମୃତ, ୬ ଗୁରୁତର... ଛୁଟି ଦିନରେ ବି ଚାଲିଥିଲା କାମ

ଗତ ୧୩ ତାରିଖରେ ବିରୁଧୁନଗର ଜିଲ୍ଲାର ମଦାଥୁପଟ୍ଟି ନିକଟରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ୨୦୨୪ ଫେବ୍ରୁଆରୀ ୧୭ରେ ବିରୁଧୁନଗରରେ ଆଉ ଏକ କାରଖାନାରେ ବିସ୍ଫୋରଣ ଘଟିଥିଲା । ଏଥିରେ ଅନ୍ୟୁନ ୧୦ ଜଣଙ୍କ ଜୀବନ ଯାଇଥିଲା । ଅନେକ ଆହତ ହୋଇଥିଲେ । ସେହିପରି ୨୦୨୪ ଜୁନ୍ ୨୯ରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।