ଚେନ୍ନାଇ,୧୩/୧୨: ତାମିଲନାଡୁର ଡିଣ୍ଡିଗୁଲ୍‌ସ୍ଥିତ ଏକ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଗୁରୁବାର ରାତିରେ ଭୟଙ୍କର  ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୨୮  ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ  ଶିଶୁ ଥିବା ଜଣାପଡ଼ିଛି । 

ସୂଚନା ମୁତାବକ, ସର୍ଟ ସର୍କିଟ୍‌ ଯୋଗୁ  ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ରିସେପସନ୍‌ରୁ ପ୍ରଥମେ ନିଆଁ  ଲାଗିଥିଲା । ଆଖି ପିଛୁଳାକେ ଭୟଙ୍କର ରୂପ ଧାରଣ କରି ନିଆଁ ସବୁ  ଫ୍ଲୋର୍‌କୁ ବ୍ୟାପିଯାଇଥିଲା । ପରେ ସମ୍ପୂର୍ଣ୍ଣ ହସ୍ପିଟାଲ କୋଠା ଜଳିବାକୁ  ଲାଗିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ  ଆରମ୍ଭ କରିଥିଲେ । ପ୍ରାୟ ୫୦ଟି ଆମ୍ବୁଲାନ୍ସ ପହଞ୍ଚି ରୋଗୀମାନଙ୍କୁ  ଉଦ୍ଧାର କରି ଅନ୍ୟ ହସ୍ପିଟାଲରେ ପହଞ୍ଚାଇଥିଲା । ଡିଣ୍ଡିଗୁଲ୍‌  ସରକାରୀ ହସ୍ପିଟାଲରେ ଅତିକମ୍‌ରେ ୩୦ ରୋଗୀଙ୍କୁ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଛି । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୧ ଘଣ୍ଟା ଧରି  ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଲିଭାଇଥିଲେ । ଅଗ୍ନିକାଣ୍ଡ ପରେ ୪  ମହଲାବିଶିଷ୍ଟ ହସ୍ପିଟାଲରେ ଶତାଧିକ ରୋଗୀ ଫସି ରହିଥିଲେ ।  ତ୍ରିଚି ରୋଡ୍‌ସ୍ଥିତ ସିଟି ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । କିଛି  ରୋଗୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।