ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ( NSA) ଜନ୍ ବୋଲ୍ଟନ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନେଇ ଟ୍ରମ୍ପ ପ୍ରଶାସନକୁ ପୁଣି ଥରେ ସମାଲୋଚନା କରିଛନ୍ତି । ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ବୋଲ୍ଟନ୍ କହିଛନ୍ତି ଯେ, ଶୁଳ୍କ ନୀତି ଆମେରିକାର ଏକ ବଡ଼ ଭୁଲ । ଆମେ ଶୁଳ୍କ ହ୍ରାସ କରୁଥିବା ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଦେବା ଉଚିତ ଏବଂ ବାଣିଜ୍ୟ ଚୁକ୍ତି ଆଲୋଚନା ପାଇଁ ଦ୍ୱାର ଖୋଲା ରଖିବା ଦରକାର ବୋଲି ସେ କହିଛନ୍ତି ।
ଜନ୍ ବୋଲ୍ଟନ୍ କହିଛନ୍ତି,‘ଏକ ଚୁକ୍ତିରେ ପହଞ୍ଚିବା ସର୍ବୋତ୍ତମ ହେବ । ଯାହା ଶୁଳ୍କ ହ୍ରାସ କରିବ ଏବଂ ଆହୁରି ଆଲୋଚନା ପାଇଁ ଦ୍ୱାର ଖୋଲା ରଖିବ । ଆମର ଧ୍ୟାନ ଶୁଳ୍କ ଉପରେ ଏକ ସହମତିରେ ପହଞ୍ଚିବା ଏବଂ ତା'ପରେ ସେହି ଆଧାରରେ ଆଗକୁ ବଢ଼ିବା ଉପରେ ହେବା ଉଚିତ । ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିବା ଏବଂ ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା କରିବା ଦରକାର । ତାଙ୍କୁ କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ଭାରତ ଯିବା ଉଚିତ ।’
ଟ୍ରମ୍ପ କହିଥିଲେ ଯେ, ଭାରତ ରୁଷଠାରୁ ତେଲ କିଣୁଛି , ତେଣୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଛି । ଏହାକୁ ନେଇ ବୋଲ୍ଟନ୍ କହିଛନ୍ତି, ‘ରୁଷ ଉପରେ କୌଣସି ସିଧାସଳଖ ଶୁଳ୍କ ଲଗାଯାଇନାହିଁ । ଭାରତଠାରୁ ଆହୁରି ଅଧିକ ତେଲ କିଣୁଥିବା ଚୀନ୍ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।’ ସେ ଏହା ମଧ୍ୟ କହିଛନ୍ତି ଯେ, ରୁଷ ସହିତ ଭାରତର ଐତିହାସିକ ସମ୍ପର୍କ ଆହୁରି ଚ୍ୟାଲେଞ୍ଜ ବଢ଼ାଉଛି ।
ସେ କହିଛନ୍ତି , ‘ମୁଁ ଭାବୁଛି ଆମକୁ ରୁଷରୁ ତେଲ ଏବଂ ଗ୍ୟାସ କ୍ରୟ ହ୍ରାସ କରିବାକୁ ପଡିବ । ଭାରତକୁ ଆର୍ଥିକ ଭାବରେ କ୍ଷତି ନକରି ଏହା କରିବା ଲାଗି ଅନେକ ଉପାୟ ରହିଛି।’ସେ ପରାମର୍ଶ ଦେଇଛନ୍ତି, ଶୁଳ୍କ ହ୍ରାସ କରିବା ଏବଂ ବିଶ୍ୱାସ ଫେରାଇ ଆଣିବା ପାଇଁ ଦୁଇ ପକ୍ଷ ଆଲୋଚନା ପୁଣି ଆରମ୍ଭ କରିବା ଉଚିତ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଅତ୍ୟାବଶ୍ୟକ।
ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଏକ ସାକ୍ଷାତକାରରେ ଜନ୍ ବୋଲ୍ଟନ୍ କହିଛନ୍ତି, ‘ଯଦି ଦୁଇ ନେତା ଏବେ ଏହା ବିଷୟରେ ପୁଣି ଥରେ କଥାବାର୍ତ୍ତା କରିବାକୁ ଯାଉଛନ୍ତି, ତେବେ ମୁଁ ଭାବୁଛି ଏହା ଏକ ଭଲ ସଙ୍କେତ।’ ବୋଲ୍ଟନ୍ କ୍ୱାଡ୍ ମାଧ୍ୟମରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ଟ୍ରମ୍ପଙ୍କୁ ଭାରତ ଗସ୍ତ କରିବା ଉଚିତ।
ଅପରେସନ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ବିଷୟରେ ଟ୍ରମ୍ପଙ୍କ ଦାବିର ପର୍ଦ୍ଦାଫାସ କରିଛି ପାକିସ୍ତାନ । ଏହାକୁ ନେଇ ବୋଲ୍ଟନ କହିଛନ୍ତି, ‘ଟ୍ରମ୍ପ ମୁଖ୍ୟତଃ ଅନ୍ତର୍ଜାତୀୟ ଘଟଣାକ୍ରମର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ଏବଂ ନୋବେଲ ଶାନ୍ତି ପୁରସ୍କାର ପାଇଁ ଇଚ୍ଛା ରଖିଛନ୍ତି । ଟ୍ରମ୍ପଙ୍କ ବୟାନ ପ୍ରମାଣ କରୁଛି ଯେ, ସେ ଭାରତ ବିଷୟରେ କେତେ କମ୍ ଜାଣନ୍ତି।’