ଭୁବନେଶ୍ୱର,୧୪/୧୦: ଦାଦନଜନତି ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଦିଗ୍ଦର୍ଶନ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ଏଥିରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପଞ୍ଚାୟତିରାଜ ମନ୍ତ୍ରୀ , ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି। ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନ ଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ଭାବରେ ଆଲୋଚନା କରିବା ସହ ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ । ଏହା ସହ ଏହି ଟାସ୍କଫୋର୍ସ ବିଭିନ୍ନ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପ ଗୁଡିକ ସୁପାରିଶ କରିବ ।
ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସଟି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଲୋକସେବା ଭବନଠାରେ କାର୍ଯ୍ୟ କରିବ । ପ୍ରତି ଛଅ ମାସରେ ଅନ୍ୟୁନ ଥରେ ଟାସ୍କଫୋର୍ସର ବୈଠକ କରାଯାଇ ଦାଦନ ଦୂରୀକରଣ ଦିଗରେ ହୋଇଥିବା ପ୍ରଗତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯିବ । ଦାଦନ ଦୂରୀକରଣ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ, ଉନ୍ନୟନ ବିଶେଷଜ୍ଞ, ମିଳିତ ଜାତିସଂଘ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି ।
ରାଜ୍ୟରେ ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ଗଠିତ ଏହି ସ୍ୱତନ୍ତ୍ର ଟାସ୍କଫୋର୍ସ ଅଞ୍ଚଳ ଅନୁଯାୟୀ ବିସ୍ଥାପନର ପ୍ରକାର ଭେଦ ନିରୀକ୍ଷଣ କରିବା ସହ ଆବଶ୍ୟକୀୟ ନିର୍ଦ୍ଦିଷ୍ଟ ପଦକ୍ଷେପ ସୁପାରିଶ କରିବ । ଏହା ସହ ବିସ୍ଥାପନଜନିତ ଆଞ୍ଚଳିକ ବୈଷମ୍ୟତା, ସମାୟିକତା ତଥା ଏହାର ବିସ୍ତୃତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ନିରାକରଣ ନିମନ୍ତେ ପରାମର୍ଶ ଦେବ । ଏତଦ୍ ବ୍ୟତୀତ ଦାଦନ ଜନିତ ବିସ୍ଥାପନ ହ୍ରାସ କରିବା ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଜାରି ରହିଥିବା କାର୍ଯ୍ୟକ୍ରମ ଓ ଏହା ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟବସ୍ଥାର ଅଧ୍ୟୟନ କରାଯିବ । ଦକ୍ଷତା ବିକାଶ,ଋଣ ଉପଲବ୍ଧତା, ଦାରିଦ୍ର୍ୟ ନିରାକରଣ ଯୋଜନାରେ ପରିବାରମାନଙ୍କୁ ସାମିଲ କରିବା, ଭିତ୍ତିଭୂମି ଯୋଗାଇ ଦେବା ତଥା ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ନିଆଯିବାକୁ ଥିବା ନିର୍ଦ୍ଦିଷ୍ଟ ପଦକ୍ଷେପ ସୁପାରିଶ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯିବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ ଓ ଯୋଜନା ସୁପାରିଶ କରିବା, ସମସ୍ୟାର ସାମଗ୍ରିକ ଏବଂ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ, ଜିଲ୍ଲା, ପଞ୍ଚାୟତ ସମିତି ସ୍ତରରେ ଆବଶ୍ୟକୀୟ ଆନୁଷ୍ଠାନିକ ଢାଞ୍ଚା ଉପଲବ୍ଧ କରାଇବା ନିମନ୍ତେ ପରାମର୍ଶ ଦେବା, ପ୍ରସ୍ତାବିତ ପଦକ୍ଷେପଗୁଡିକର ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ବିଶେଷଜ୍ଞ ସଂସ୍ଥା, ନାଗରିକ ସମାଜ ଓ ବୈଷୟିକ ସଂଗଠନଗୁଡିକ ସହ ସହଭାଗିତା ଆଦି ବିଷୟରେ ବିଚାର କରାଯିବ ।
ଏତଦ୍ବ୍ୟତୀତ ଏହି ସମସ୍ତ ପଦକ୍ଷେପ ପାଇଁ ସମ୍ବଳର ଉପଲବ୍ଧତାକୁ ସୁନିଶ୍ଚିତ କରାଇବା ଓ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାଗୁଡିକର ତ୍ୱରିତ ସମାଧାନ ପାଇଁ ଭାରତ ସରକାର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆବଶ୍ୟକୀୟ ସମନ୍ୱୟ ଆଦି ବିଷୟରେ ଟାସ୍କଫୋର୍ସ ଦ୍ୱାରା ଆଲୋଚନା ଓ ସୁପାରିଶ କରାଯିବ । ଦାଦନ ସମସ୍ୟାରସାମଗ୍ରିକ ଏବଂ ସ୍ଥାୟୀ ସମାଧାନ ପାଇଁ ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଲକ୍ଷ୍ୟନିଷ୍ଠ ହୋଇ କାର୍ଯ୍ୟକରିବ ।