ଭୁବନେଶ୍ୱର,୧୧/୧୧: ଉତ୍ସାହିତ ହୋଇ କରିପକାଉଛନ୍ତି ଟାଟୁ । ତେବେ କିଏ କଳା କରୁଛନ୍ତି ତ ଆଉ କିଏ ରଙ୍ଗିନ୍‌ । କିନ୍ତୁ ପରେ ଚିନ୍ତା ଘାରୁଛି କେମିତି ଲିଭାଇବେ । ଏଥିପାଇଁ ରହୁଛି ବିଭିନ୍ନ କାରଣ । କାହାକୁ ଟାଟୁ ପସନ୍ଦ ଆସୁନି ତ ଆଉ କିଏ ଟାଟୁକୁ ଲୁଚାଇବାକୁ  ଚାହୁଁଛି । ହେଲେ ମନ୍ଦିରଠୁ ମୁଖଶାଳା ବଳିପଡ଼ିଲା ଭଳି ଟାଟୁ କରିବାରେ ଯେତିକି ଖର୍ଚ୍ଚ ହେଉଛି ଲିଭାଇବାରେ ତାହାର ୧୦ ଗୁଣା ଖର୍ଚ୍ଚ ହେଉଛି । 

ଲିଭାଇଲେ ବି ସଂପୂର୍ଣ୍ଣ  ଲିଭୁନି । ଚର୍ମ ଖରାପ ହେବାର ବି ଭୟ ରହୁଛି ।  ଯୁବପିଢି ନିଜକୁ ଫ୍ୟାସନ୍‌ବେଲ୍‌ କରିବା ପାଇଁ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି । ସେଥିରେ ଯୋଡ଼ିହୋଇଯାଇଛି  ଟାଟୁ । ସାଧାରଣତଃ ୨ ପ୍ରକାର ଟାଟୁ ଦେଖାଯାଉଛି ଯଥା- କଳା  ଏବଂ ରଙ୍ଗିନ୍‌ ।  କଳା ଟାଟୁର  ମୂଲ୍ୟ ହଜାରେ ଟଙ୍କାରୁ ଆରମ୍ଭ  ହେଉଥିବାବେଳେ ରଙ୍ଗିନ୍‌ ଟାଟୁ  କରିବା ପାଇଁ ଟିକେ  ଅଧିକ ଖର୍ଚ୍ଚ ହେଉଛି ।  

ସେହିଭଳି କଳା ଟାଟୁକୁ  ଲିଭାଇବା ଠାରୁ ରଙ୍ଗିନ୍‌ ଟାଟୁକୁ ଲିଭାଇବାରେ ଅଧିକ ସମୟ  ତଥା ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଏହାକୁ ଲିଭାଇବାକୁ  ହେଲେ ଲେଜର୍‌ ଲାଇଟ୍‌ ବ୍ୟବହାର କରାଯାଏ । ଏଥିପାଇଁ  ୩ରୁ ୪ଟି ପର୍ଯ୍ୟାୟରେ କାମ କରିବାକୁ ପଡ଼ିଥାଏ । ଏଥିପାଇଁ ପାଖାପାଖି ବର୍ଷେରୁ ଅଧିକ ସମୟ ଲାଗିଥାଏ । ଗୋଟିଏ  ପର୍ଯ୍ୟାୟର ୩ରୁ ୪ ମାସ ପରେ ଆଉ  ଏକ ପର୍ଯ୍ୟାୟ ଆରମ୍ଭ ହୋଇଥାଏ । ପ୍ରତି ପର୍ଯ୍ୟାୟରେ ୪ରୁ  ୫ ହଜାର ଟଙ୍କା  ଖର୍ଚ୍ଚ ହୋଇଥାଏ । ତେବେ ଚର୍ମ ସଂକ୍ରମଣର  ଆଶଙ୍କା ଥିବାରୁ  ଟାଟୁକୁ ଚର୍ମ  ବିଶେଷଜ୍ଞଙ୍କ ନିକଟରେ ଲିଭାଇବ  ଉଚିତ ବୋଲି  ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।