ନୂଆଦିଲ୍ଲୀ,୦୬/୧୧: ୨୦୧୭ରେ ଯେବେଠାରୁ ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସ୍‌ଟିକୁ କାର୍ଯ୍ୟକାରୀ କରାଗଲା, ସେବେଠାରୁ ଟିକସ ଚୋରି ପାଇଁ ନୂଆ ନୂଆ ଉପାୟ ଆପଣାଇ ଆସୁଛନ୍ତି ଟିକସ ଖିଲାପକାରୀ । ଏହା ଉପରେ ରୋକ ଲଗାଇବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରକାର ରଣନୀତି ଆଣୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଏକ ବଡ଼ ଧରଣର ଟିକସ ଫାଙ୍କିର ପର୍ଦ୍ଦାଫାଶ କରିଛି ଟିକସ ବିଭାଗ । ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୧୮,୦୦୦ ଭୂତ କମ୍ପାନିଙ୍କୁ ଚିହ୍ନଟ କରିଛନ୍ତି ଟିକସ ଅଧିକାରୀ । ଏହି କମ୍ପାନିଗୁଡ଼ିକ ପ୍ରାୟ ୨୫,୦୦୦ କୋଟିର ଟିକସ ଫାଙ୍କିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନିକଟରେ ଦେଶବ୍ୟାପୀ ହୋଇଥିବା ଏକ ଅଭିଯାନ ଜରିଆରେ ଜିଏସ୍‌ଟି ଅଧିକାରୀମାନେ ୭୩,୦୦୦ କମ୍ପାନିଙ୍କୁ ଯାଞ୍ଚ କରିଥିଲେ । କେବଳ ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌(ଆଇଟିସି) ଲାଭ କରିବା ପାଇଁ ଏହି କମ୍ପାନିଗୁଡ଼ିକୁ ସ୍ଥାପନ କରାଯାଇଥିବା ସନ୍ଦେହ ରହିଥିଲା ।

 ଅଧିକାରୀଜଣକ କହିଛନ୍ତି ଯେ, ନକଲି ରେଜିଷ୍ଟ୍ରେଶନ୍‌ ବିରୋଧରେ ଆମେ ଦ୍ୱିତୀୟ ଅଲ୍‌-ଇଣ୍ଡିଆ ଡ୍ରାଇଭ୍‌ ଚଳାଇଥିଲୁ । ଏହା ମାଧ୍ୟମରେ ୭୩,୦୦୦ କମ୍ପାନିଙ୍କୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ ୧୮,୦୦୦ କମ୍ପାନିଙ୍କ କୌଣସି ଚିହ୍ନବର୍ଣ୍ଣ ନ ଥିବା ଜଣାପଡ଼ିଛି । ଏହି ଭୂତ କମ୍ପାନିଗୁଡ଼ିକ ମାଧ୍ୟମରେ ପ୍ରାୟ ୨୪,୫୫୦ କୋଟି ଟଙ୍କାର ଟିକସ ଖିଲାପି ହୋଇଛି । କମ୍ପାନିଗୁଡ଼ିକ କୌଣସି ସାମଗ୍ରୀ ବିକ୍ରି ସହ ଜଡ଼ିତ ନାହାନ୍ତି । ରାଜକୋଷକୁ ଠକିବା ଥିଲା ଉଦ୍ଦେଶ୍ୟ । ସ୍ୱତନ୍ତ୍ର ଡ୍ରାଇଭ୍‌ ମାଧ୍ୟମରେ କମ୍ପାନିଗୁଡ଼ିକ ନିଜଆଡୁ ୭୦ କୋଟିର ଜିଏସ୍‌ଟି ପୈଠ କରିଥିବା ଜଣାପଡ଼ିଛି । ନକଲି ଜିଏସ୍‌ଟି ପଞ୍ଜୀକରଣ ବିରୋଧରେ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟାରେ ଫିଜିକାଲ ଭେରିଫିକେଶନ୍‌ ହେଉଛି । 

ସୂଚନାଯୋଗ୍ୟ, ନକଲି ପଞ୍ଜୀକରଣକୁ ଚିହ୍ନଟ କରିବା ପାଇଁ ଚଳିତବର୍ଷ ଅଗଷ୍ଟ ୧୬ରେ ଦ୍ୱିତୀୟ ଅଲ୍‌-ଇଣ୍ଡିଆ ଡ୍ରାଇଭ୍‌ ଆରମ୍ଭ ହୋଇଥିଲା । ଏହା ଅକ୍ଟୋବର ଶେଷ ଯାଏ ଚାଲିଥିଲା । ପ୍ରଥମ ଡ୍ରାଇଭ୍‌ ୨୦୨୩ ମେ’ ୧୬ରୁ ଜୁଲାଇ ୧୫ ଯାଏ ଚାଲିଥିଲା, ଯାହା ମାଧ୍ୟମରେ ମୋଟ ୨୧,୭୯୧ ସଂଖ୍ୟକ ଭୂତ କମ୍ପାନିଙ୍କୁ ଚିହ୍ନଟ କରାଯାଇଥିଲା । ଏହି କମ୍ପାନିଗୁଡ଼ିକ ମାଧ୍ୟମରେ ୨୪,୦୧୦ କୋଟି ଟଙ୍କାର ଟିକସ ଖିଲାପି କରାଯାଇଥିଲା । ସରକାରଙ୍କ ପକ୍ଷରୁ ଚଲାଯାଇଥିବା ଅଭିଯାନ ମାଧ୍ୟମରେ ଗତ ଦେଢ଼ ବର୍ଷରେ ପ୍ରାୟ ୪୯,୦୦୦ କୋଟି ଟଙ୍କାର ଟିକସ ଚୋରିକୁ ଠାବ କରାଯାଇଛି । ଏ ଅବସରରେ ଅଧିକାରୀମାନେ ୪୦ ହଜାର ନକଲି କମ୍ପାନିଙ୍କୁ ଚିହ୍ନଟ କରିଛନ୍ତି । ସାଧାରଣତଃ ଆଇଟିସି ନାମରେ ଟିକସ ଚୋରି କରିବା ସବୁଠାରୁ ସହଜ ଉପାୟ । ଏହାଦ୍ୱାରା ବିନା ସାମଗ୍ରୀ ଯୋଗାଣରେ ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌ ଡାଟା କ୍ଲେମ୍‌ କରି ବ୍ୟବସାୟିକ ସଂସ୍ଥାଗୁଡ଼ିକ ସରକାରଙ୍କଠାରୁ ପାଲଟା ଟଙ୍କା ଫେରସ୍ତ ନେଇଥାନ୍ତି ।