ଭୁବନେଶ୍ୱର,୨୨/୦୯: ହତ୍ୟା ନୁହେଁ ଆତ୍ମହତ୍ୟା । ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଅପହର୍ତ୍ତାଙ୍କ ହେପାଜତରେ ଆତ୍ମହତ୍ୟା କରିଛନ୍ତି । ବିଦ୍ୟାଧରଙ୍କ ମୃତ୍ୟୁ ପରେ ଅପହର୍ତ୍ତାମାନେ ଭୟଭୀତ ହୋଇ ତାଙ୍କ ମୃତଦେହକୁ ଚନ୍ଦକା-ଦାରୁଠେଙ୍ଗ ମୁଖ୍ୟ ରାସ୍ତା କଡ଼ରେ ଫିଙ୍ଗି ପଳାଇଛନ୍ତି । ରାଜଧାନୀରୁ ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ କରି ହତ୍ୟା ମାମଲାର ତଦନ୍ତ କରୁ କରୁ ଏଭଳି ସୁରାକ୍‌ ପାଇଛି କମିଶନରେଟ୍‌ ପୁଲିସ । ୧୦ କୋଟିରୁ  ଉଦ୍ଧ୍ୱର୍ ଟଙ୍କାର ଚାକିରି ଠକେଇ ରାକେଟ୍‌ର ମୁଖ୍ୟ କାର୍ପଟଦାର ମାଡାମ୍‌ଙ୍କ ପାଇଁ ବିଦ୍ୟାଧର ଜୀବନ ହାରି ଦେଇଥିବା ଜଣାପଡ଼ିଛି । ତେବେ ଏହି ମାମଲାରେ ସଂପୃକ୍ତ ୪ ଅପହର୍ତ୍ତାଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। ଅଭିଯୁକ୍ତମାନେ ହେଲେ ଏନ୍‌ ଦିଲ୍ଳୀପ କୁମାର, କେ. ରବିନ୍ଦ୍ର, ରମେଶ ବେହେରା ଏବଂ ଦୀପକ ସାହୁକାର ବୋଲି ଜଣାପଡିଛି। ସମସ୍ତଙ୍କ ଘର ପରଳେଖାମୁଣ୍ଡି ଅଞ୍ଚଳରେ । ଅପହରଣ ଘଟଣାରେ ୮ ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ତେବେ ଚାକିରି ନାମରେ କୋଟି  କୋଟି ଟଙ୍କା ଠକି ନେଇଥିବା ଜ୍ୟୋତ୍ସ୍ନା ମାଡାମ୍‌  ମୋବାଇଲ ସୁଇଚ୍‌ ଅଫ୍‌ କରି କେଉଁଆଡ଼େ  ଫେରାର୍‌ ହୋଇ ଯାଇଛନ୍ତି । ତାଙ୍କୁ ଧରିବା ପାଇଁ  କମିଶନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ୱାଡ୍‌ ସମେତ  ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ।  

ଏନେଇ କମିଶନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜ୍ୟୋତ୍ସ୍ନା  ନାମ୍ନୀ ଉକ୍ତ ମହିଳା ଖଣ୍ଡଗିରି ଥାନା ବରମୁଣ୍ଡା  ଅଞ୍ଚଳରେ ଏକ ପ୍ଲେସ୍‌ମେଣ୍ଟ୍‌ ସଂସ୍ଥା ଖୋଲିଥିଲେ ।  ବେସରକାରୀ ଓ ସରକାରୀ ସଂସ୍ଥାରେ ଚାକିରି  କରାଇ ଦେବାକୁ କହି ଆଶାୟୀଙ୍କ ଠାରୁ ଲକ୍ଷ  ଲକ୍ଷ ଟଙ୍କା ଆଦାୟ କରୁଥିଲେ । ବଡ଼ଗଡ଼  କେନାଲ ରୋଡ୍‌ରେ ରହୁଥିବା ଖୋର୍ଦ୍ଧା ବାଣପୁର  ଥାନା ଅରାଙ୍ଗର କ୍ୟାବ୍‌ ଡ୍ରାଇଭର ବିଦ୍ୟାଧର  ସାହୁ ଜ୍ୟୋତ୍ସ୍ନା ମାଡାମଙ୍କୁ କାର୍‌ରେ ଅଫିସ  ନେବା ଆଣିବା କରିବା ସହ ଅନ୍ୟ ଭଡ଼ାରେ  ମଧ୍ୟ ଯାଉଥିଲେ । ତେବେ ଜ୍ୟୋତ୍ସ୍ନା ମାଡାମଙ୍କ  ଘନିଷ୍ଠ ହୋଇ ଯାଇଥିବା ବିଦ୍ୟାଧର ତାଙ୍କ କଥାରେ ପଡ଼ି ଚାକିରି ରାକେଟ୍‌ରେ ସାମିଲ୍‌  ହୋଇଥିଲେ । ବିଦ୍ୟାଧରଙ୍କ ସମେତ ଅନ୍ୟ ୨  ସହଯୋଗୀ ରାଜ୍ୟର ବିଭିନ୍ନ ଜିଲ୍ଲା, ଗଜପତି  ଠାରୁ ଆରମ୍ଭ କରି ବାଲେଶ୍ୱର, ଭଦ୍ରକ,  ଯାଜପୁର ଆଦି ଅଞ୍ଚଳର ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ଜ୍ୟୋତ୍ସ୍ନା ମାଡାମଙ୍କୁ  ଦେଇଥିଲେ । ଶତାଧିକ ଆଶାୟୀଙ୍କ ଠାରୁ  ସେମାନେ ୧୦ କୋଟିରୁ ଅଧିକ ଟଙ୍କା ଆଦାୟ  କରି ଜ୍ୟୋତ୍ସ୍ନାଙ୍କୁ ଦେଇଥିବା ଜଣାପଡ଼ିଛି । ହେଲେ  ଟଙ୍କା ଦେଇଥିବା ଆଶାୟୀଙ୍କୁ ସେମାନେ ଆଉ  ଚାକିରି ଦେଇ ପାରି ନଥିଲେ । ଫଳରେ ଟଙ୍କା  ଦେଇଥିବା ଆଶାୟୀମାନେ ବାରମ୍ବାର ଜ୍ୟୋତ୍ସ୍ନାଙ୍କ  ଅଫିସରେ ଯାଇ ଟଙ୍କା ଫେରସ୍ତ ମାଗୁଥିଲେ  ମଧ୍ୟ ମାଡାମ୍‌ ଧରାଛୁଆଁ ଦେଉ ନଥିଲେ ।  

ସେପଟେ ବିଦ୍ୟାଧର ମଧ୍ୟ ଉକ୍ତ ଠକେଇ ଟଙ୍କାରୁ କିଛି ଆତ୍ମସାତ କରି ଦେଇଥିଲେ । ୪  ମାସ ତଳେ ଅତି ଜାକଜମକରେ ତାଙ୍କ ବିବାହ  ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଧରଙ୍କୁ ଟଙ୍କା ଦେଇଥିବା କିଛି ଆଶାୟୀ ଟଙ୍କା ଫେରି ପାଇବା ପାଇଁ ତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ । ଏପରିକି ତାଙ୍କ ଭଡ଼ାଘରେ ପହଞ୍ଚି ତାଙ୍କୁ  ଟଙ୍କା ଫେରସ୍ତ ମାଗିବା ସହ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ । ଶେଷରେ ଗତ ୧୫  ତାରିଖରେ ସେମାନେ ବିଦ୍ୟାଧରଙ୍କୁ ଅପହରଣ  କରି ଯାଜପୁର ଅଞ୍ଚଳକୁ ନେଇ ଯାଇଥିଲେ । ସେଠାରେ ଏକ ଘରେ ବନ୍ଦି କରି ନିସ୍ତୁକ ମାଡ଼ ମାରିଥିଲେ । ଜ୍ୟୋତ୍ସ୍ନା ମାଡମଙ୍କୁ ଡାକି ତାଙ୍କଠାରୁ ଟଙ୍କା ଆଦାୟ କରି ଦେବାକୁ କହିଥିଲେ ।  

ବିଦ୍ୟାଧର ଜ୍ୟୋତ୍ସ୍ନା ମାଡମଙ୍କୁ ଫୋନ୍‌ କରିବାରୁ ସେ ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଦେଇଥିଲେ ।  ବାରମ୍ବାର ମାଡମଙ୍କୁ ଫୋନ୍‌ କରି ବିଦ୍ୟାଧର  ନିରାଶ ହୋଇଥିଲେ ।   ଶେଷରେ ଅପହର୍ତ୍ତାମାନେ ଗତ ୧୮  ତାରିଖ ରାତି ସାଢ଼େ ୧୧ଟାରେ ବିଦ୍ୟାଧରଙ୍କ  ପତ୍ନୀ ମାମିନା ଖଟୁଆଙ୍କୁ ଫୋନ୍‌ କରିଥିଲେ ।  ବିଦ୍ୟାଧର ସେମାନଙ୍କ କବଳରେ ଥିବା ଓ  ସେମାନଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା  ବିଦ୍ୟାଧର ନେଇଥିବା କଥା କହିଥିଲେ । ୨ କୋଟି  ୪୦ ଲକ୍ଷ ଟଙ୍କା ଆମକୁ ଦେଇ ତୁମ ସ୍ୱାମୀଙ୍କୁ  ନେଇଯାଅ, ନଚେତ ଜ୍ୟୋତ୍ସ୍ନା ମାଡମଙ୍କୁ ଖୋଜି ଆଣି ଆମକୁ ହସ୍ତାନ୍ତର କର ବୋଲି ମାମିନାଙ୍କୁ  ଫୋନ୍‌ରେ ଦାବି କରିଥିଲେ । ମାମିନା ଅସହାୟତା  ପ୍ରକାଶ କରିଥିଲେ ମଧ୍ୟ ଅପହର୍ତ୍ତାମାନେ କିଛି ଶୁଣି ନଥିଲେ । ତେଣୁ ପରଦିନ ଅର୍ଥାତ ୧୯  ତାରିଖ ସକାଳେ ମାମିନା ଏନେଇ ବଡ଼ଗଡ଼  ଥାନାରେ ଅଭିଯୋଗ କରିଥିଲେ ।  

ସେପଟେ ୧୮ ତାରିଖ ବିଳମ୍ବିତ ରାତିରେ  ଅପହର୍ତ୍ତାମାନେ ବିଦ୍ୟାଧରଙ୍କୁ ତାଲା ପକାଇ  ଖାଇବାକୁ ଯାଇଥିବା ବେଳେ ବିଦ୍ୟାଧର ଏକ  ଗାମୁଛାକୁ ବେକରେ ଗୁଡ଼ାଇ ଉକ୍ତ ଘର ସିଲିଂ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ । ଅପହର୍ତ୍ତାମାନେ ଫେରିବା ପରେ ବିଦ୍ୟାଧର ଆତ୍ମହତ୍ୟା କରିଥିବା  ଦେଖି ସେମାନେ ହଡ଼ବଡ଼େଇ ଯାଇଥିଲେ ।  ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ  ବିଦ୍ୟାଧରଙ୍କ ମୃତଦେହକୁ ତାଙ୍କ କାର୍‌ରେ ଆଣି ଭୁବନେଶ୍ୱର ଆସିଥିଲେ । ବିଳମ୍ବିତ ରାତିରେ ଚନ୍ଦକା-ଦାରୁଠେଙ୍ଗ ରାସ୍ତା କଡ଼ରେ  କାର୍‌ ଥୋଇ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି  ନେଇ କିଛି ଦୂରରେ ଫିଙ୍ଗି ପଳାଇଥିଲେ ।  ନିଖୋଜ ବିଦ୍ୟାଧରଙ୍କୁ ଖୋଜାଖୋଜି କରୁଥିବା ଅନ୍ୟଜଣେ କ୍ୟାବ୍‌ ଡ୍ରାଇଭର ବିଦ୍ୟାଧରଙ୍କ କାର୍‌  ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରେ ଥୁଆ ହୋଇଥିବା  ଓ କିଛି ଦୂରରେ ତାଙ୍କ ମୃତଦେହ ପଡ଼ିଥିବା  ଦେଖିଥିଲେ । ଏନେଇ ସେ ବିଦ୍ୟାଧରଙ୍କ  ପରିବାର ଓ ପୁଲିସକୁ ଖବର ଦେଇଥିଲେ ।  ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡକୁ ନେଇ  ଖୋଳତାଡ଼ ଚଳାଇଥିବା କମିଶନରେଟ୍‌ ପୁଲିସ  ଜଣେ ଅପହର୍ତ୍ତାକୁ ଉଠାଇ ଆଣି ଜେରା କରିବାପରେ ଚାକିରି ଠକେଇରୁ ବିଦ୍ୟାଧରଙ୍କ  ଜୀବନ ଯାଇଥିବା ଜାଣିବାକୁ ପାଇଥିଲା । ପୁଲିସ  ଗଜପତି ଜିଲ୍ଲାର ଉକ୍ତ ଅପହର୍ତ୍ତାଙ୍କୁ ଧରି ଆଉ ୪  ଅପହର୍ତ୍ତାଙ୍କୁ ଉଠାଇ ଆଣିଛି । ଅନ୍ୟ ଅପହର୍ତ୍ତାଙ୍କ  ସମେତ ଏହି ଠକେଇ ରାକେଟ୍‌ର ମୁଖ୍ୟ  କାର୍ପଟଦାର ଜ୍ୟୋତ୍ସ୍ନା ମାଡମ୍‌ଙ୍କୁ ଧରିବା ପାଇଁ  ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।