ନାସିକ, ୧୭।୪: ଧର୍ମାନ୍ତରଣ ସିଣ୍ଡିକେଟ୍ ଦେଶ ପାଇଁ ବିପଦ । ସୁପ୍ରିମକୋର୍ଟରେ ପହଞ୍ଚିଲା TCS ମାମଲା । ମହାରାଷ୍ଟ୍ରର ନାସିକସ୍ଥିତ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) କାର୍ଯ୍ୟାଳୟରେ ଘଟିଥିବା ସଂଗଠିତ ଧର୍ମାନ୍ତରଣ ଏବଂ ଯୌନ ନିର୍ଯାତନା ମାମଲା ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଏହି ଘଟଣାକୁ କେବଳ ଏକ ସାଧାରଣ ଅପରାଧ ନୁହେଁ, ବରଂ ଏହାକୁ ଦେଶ ବିରୋଧରେ ଏକ "ଅପ୍ରତ୍ୟକ୍ଷ ଯୁଦ୍ଧ" ଏବଂ "ଆତଙ୍କବାଦୀ କାର୍ଯ୍ୟ" ଭାବେ ଅଭିହିତ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।

ସୁପ୍ରିମକୋର୍ଟରେ ଆବେଦନ:

ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି । ପିଟିସନରେ ଦର୍ଶାଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଧୋକା କିମ୍ବା ବାଧ୍ୟତାମୂଳକ ଧର୍ମାନ୍ତରଣ ଏକ ଗମ୍ଭୀର ଜାତୀୟ ସମସ୍ୟା । ଏହା ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ଧାରା ୧୧୩ ଅନୁଯାୟୀ 'ଆତଙ୍କବାଦୀ କାର୍ଯ୍ୟ' ପରିସରଭୁକ୍ତ ହେବା ଉଚିତ୍ । ଆବେଦନକାରୀଙ୍କ ମତରେ ଏଭଳି ସଂଘଠିତ ଧର୍ମାନ୍ତରଣ ଭାରତ ବିରୋଧରେ ଏକ ଛଦ୍ମ ବା ଅପ୍ରତ୍ୟକ୍ଷ ଯୁଦ୍ଧ, ଯାହା ସାମାଜିକ ସଂହତିକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ । ଏଭଳି ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଉ ଏବଂ ଅପରାଧୀଙ୍କ ଦଣ୍ଡ ଅବଧିକୁ ଏକାଠି ନ ରଖି ପୃଥକ୍ ପୃଥକ୍ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଉ ।

କ’ଣ ଏହି TCS ନାସିକ ମାମଲା ?

ନାସିକସ୍ଥିତ TCS ଶାଖାର ଅନେକ ଯୁବ ମହିଳା କର୍ମଚାରୀ ସେମାନଙ୍କର ପୁରୁଷ ସହକର୍ମୀ ଏବଂ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ।

ଯୌନ ନିର୍ଯାତନା ଓ ଚାପ: ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ସହ ଇସଲାମ ଧର୍ମ ଗ୍ରହଣ କରିବା ଏବଂ ମୁସଲିମ୍ ଧାର୍ମିକ କାର୍ଯ୍ୟକଳାପରେ ସାମିଲ ହେବାକୁ ବାଧ୍ୟ କରାଯାଉଥିଲା ।

HR ର ସମ୍ପୃକ୍ତି: ଅଭିଯୋଗ ଅନୁଯାୟୀ, କମ୍ପାନୀର ମୁସଲିମ୍ HR ଅଧିକାରୀମାନେ ଅଭିଯୁକ୍ତ ପୁରୁଷ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ସହାୟତା କରୁଥିଲେ ।

ଉଦ୍ଦେଶ୍ୟମୂଳକ ନିଯୁକ୍ତି: ତଦନ୍ତରୁ ଜଣାପଡ଼ିଛି ଯେ, ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଅଧୀନରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଏହି ଶାଖାରେ ଚାକିରି ଦିଆଯାଇଥିଲା ଯେପରି ସେମାନେ ଏହି 'ଧର୍ମାନ୍ତରଣ ସିଣ୍ଡିକେଟ୍' ଚଲାଇପାରିବେ ।

ପୁଲିସର ଅଣ୍ଡରକଭର ଅପରେସନ୍:

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ କିଛି ମହିଳା କର୍ମଚାରୀଙ୍କୁ କର୍ମଚାରୀ ସାଜି ଅଫିସ ଭିତରକୁ ପଠାଇଥିଲା । ସେଠାରେ ସଂଗୃହିତ ପ୍ରମାଣ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ୯ଟି ଅଭିଯୋଗ ଦାଖଲ କରାଯାଇଛି । ଏପର୍ଯ୍ୟନ୍ତ କମ୍ପାନୀର ଟିମ୍ ଲିଡର ଏବଂ ସିନିୟର HR ଅଧିକାରୀଙ୍କ ସମେତ ଅନେକଙ୍କୁ ଗିରଫ କରାଯାଇଛି । ପିଟିସନରେ ଦାବି କରାଯାଇଛି ଯେ, ଏହା କୌଣସି ଜଣେ ବ୍ୟକ୍ତିଙ୍କର ଖରାପ କର୍ମ ନୁହେଁ, ବରଂ ଏକ ସଂଗଠିତ ଅପରାଧ । ଯଦି କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ଶୀଘ୍ର ପଦକ୍ଷେପ ନ ନିଅନ୍ତି, ତେବେ ଏହା ଜାତୀୟ ସୁରକ୍ଷା ପ୍ରତି ଏକ ବିରାଟ ବିପଦ ସୃଷ୍ଟି କରିବ । ସୁପ୍ରିମକୋର୍ଟ ଏହି ଆବେଦନ ଉପରେ କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ଏବେ ସମଗ୍ର ଦେଶର ନଜର ରହିଛି ।

ଆହୁରି ପଢ଼ନ୍ତୁ... ​​​​​​​TCS କ୍ୟାମ୍ପସରେ ଧର୍ମାନ୍ତରଣ ସିଣ୍ଡିକେଟ୍ ! ଶାଢ଼ୀ-ବିନ୍ଦିକୁ ପରିହାସ, ରୁଦ୍ରାକ୍ଷଧାରୀ ସାଜିଲେ ଇସଲାମର ମୁରିଦ୍