କଟକ ୨୮/୦୮: କିଛି ଦିନର  ବ୍ୟବଧାନ ପରେ ଜାଲ୍‌ ପ୍ରମାଣପତ୍ର ଦେଇ  ଶିକ୍ଷକ ନିଯୁକ୍ତ ଘଟଣାକୁ ନେଇ ସରକାର  ଖୋଳତାଡ଼ କରିଛନ୍ତି । ୨୦୧୧-୧୨ ଶିକ୍ଷା  ସହାୟକ ନିଯୁକ୍ତିରେ ନିୟୋଜିତ ଅଧିକାରୀ  ଆଉ ବର୍ତ୍ତି ପାରିବେ ନାହିଁ । ସେମାନଙ୍କ  ବିରୋଧରେ ଆକ୍ସନ୍‌ ମୁଡ୍‌ରେ ସରକାର ।  କଟକ ଜିଲ୍ଲାରେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ୍‌ ଥିବା ସେ ସମୟର ଅଧିକାରୀଙ୍କ ବିରୋଧରେ  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।  ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ଅଧିକାରୀ । 

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି  କରିଥିବା ପାଖାପାଖି ୧୫୦ଜଣଙ୍କୁ ବହିଷ୍କାର  କରାଯାଇଛି । ଏହି ମାମଲାରେ ଥାନାରେ ଏତଲା  ଦାଖଲ କରାଯାଇଥିବା ଜଣାପଡ଼ିଛି । କଟକ  ଜିଲ୍ଲାରେ ଟାଙ୍ଗୀ, ମାହାଙ୍ଗା, ବାଙ୍କୀ ବ୍ଲକ୍‌ରେ କିଛି  ନକଲି ଶିକ୍ଷକ ରହିଥିବା ବେଳେ ଏମାନଙ୍କ  ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ପୂର୍ବରୁ ବଲାଙ୍ଗୀର  ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିବା ପରେ  ସରକାର ଏହାକୁ ଗମ୍ଭୀରତାର ସହ ତଦନ୍ତ  କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମ୍‌ବ୍ରାଞ୍ଚ  ଏହି ତଦନ୍ତରେ ଜଡ଼ିତ ଥିବା ବେଳେ ବ୍ଲକ  ଶିକ୍ଷା ଅଧିକାରୀ (ବିଇଓ) ଓ ଜିଲ୍ଲା ଶିକ୍ଷା  ଅଧିକାରୀ (ଡିଇଓ) ମାନଙ୍କୁ ୭ଦିନ ମଧ୍ୟରେ  ନକଲି ସାର୍ଟିଫିକେଟ୍‌ଧାରୀଙ୍କ ସମ୍ପର୍କରେ  ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ  ଦିଆଯାଇଥିଲା । ଏଥିସହ, ଓଡ଼ିଶା ଓ  ବାହାର ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ  ମଧ୍ୟ ଚିଠି ପଠାଯାଇ ସାର୍ଟିଫିକେଟ୍‌ର  ସତ୍ୟତା ଯାଞ୍ଚ୍‌ କରାଯାଇଛି । ନକଲି  ସାର୍ଟିଫିକେଟ ସମ୍ପର୍କିତ ମାମଲା ଓଡ଼ିଶା  ହାଇକୋର୍ଟରେ ମଧ୍ୟ ଉଠିଛି । ଓଡ଼ିଶା ହାଇକୋର୍ଟ  ଏହି ମାମଲା ଗୁଡ଼ିକରେ ସମୟ ସମୟରେ  ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ହାଇକୋର୍ଟ  ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଅନିୟମିତତା ନେଇ ମାମଲାରେ ରାଜ୍ୟ ସରକାରଙ୍କୁ ନିୟମିତ  ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ଏହି କ୍ରମରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ  ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ଯେଉଁଥିରେ ସେ ୨୦୧୧-୧୨ ବର୍ଷର ଶିକ୍ଷା  ସହାୟକ ନିଯୁକ୍ତିରେ ସାମିଲ୍‌ ଥିବା ଅଧିକାରୀ  ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ  କାର୍ଯ୍ୟାନୁଷ୍ଠାନ ନେବାକୁ ସମଗ୍ର ଶିକ୍ଷାର ଜିଲ୍ଲା  ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେ ସମୟର ନିଯୁକ୍ତିର ପ୍ରକ୍ରିୟାରେ ସାମିଲ  ଅବସରପ୍ରାପ୍ତ କର୍ମଚାରୀଙ୍କ ପଦବି ସମ୍ବନ୍ଧୀୟ  ବିବରଣୀ ମଗାଯାଇଛି । ସେହିପରି ନିଯୁକ୍ତିରେ  ସାମିଲ୍‌ ଥିବା ଅଧିକାରୀଙ୍କ ଡ୍ରାଫ୍ଟିଂ ସମ୍ବନ୍ଧୀୟ  ଅଫିସ ଅର୍ଡରର କପି ସହିତ ମେରିଟ୍‌ ତାଲିକା  ଚୂଡ଼ାନ୍ତ କରିବାରେ ଡିପିସିଙ୍କ ଭୂମିକା କ’ଣ ଥିଲା  ସେ ସମ୍ବନ୍ଧରେ ରିପୋର୍ଟ ତଲବ କରାଯାଇଛି ।