ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍‌ର ମହିଳା କ୍ରିକେଟ ଟିମ୍‌ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା । କିନ୍ତୁ ଓ୍ବେଷ୍ଟଇଣ୍ଡିଜ୍‌ ଦମଦାର ପ୍ରତ୍ୟାବର୍ତ୍ତନ କରିବା ସହ ଦ୍ବିତୀୟ ମ୍ୟାଚ୍‌ ଜିତି ସିରିଜକୁ ୧-୧ରେ ବରାବର କରିଛି ।  ଏବେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଫାଇନାଲ୍‌ ମ୍ୟାଚ୍‌ ଭାବରେ ଖେଳାଯିବ । 

ଦ୍ବିତୀୟ ଟି-୨୦ରେ ଓ୍ବେଷ୍ଟଇଣ୍ଡିଜ୍‌ର ଅଧିନାୟକ ହେଲି ମ୍ୟାଥ୍ୟୁସ୍‌ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ୧୮୦.୮୫ ଷ୍ଟ୍ରାଇକ୍‌ ରେଟ୍‌ ସହ ଅପରାଜିତ ୮୫ ରନ୍‌ କରିଛନ୍ତି । ଡିଓ୍ବାଇ ପାଟିଲ୍‌ ସ୍ପୋର୍ଟସ୍‌ ଏକାଡେମୀରେ ଖେଳାଯାଇଥିବା ଦ୍ବିତୀୟ ମୁକାବିଲାରେ ଭ୍ରମଣକାରୀ ଦଳ ବହୁତ ଭଲ ବ୍ୟାଟିଂ କରିଛି । ୧୬୦ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ୧୫.୪ ଓଭରରେ ହିଁ ଲକ୍ଷ୍ୟ ହାସଲ କରିନେଇଛି । ଏହି ସମୟରେ ଟିମ୍‌ କେବଳ ଗୋଟିଏ ଓ୍ବିକେଟ ହରାଇଛି । 

ଆଜି ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ୍‌ । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୯ ରନ୍‌ କରିଥିଲା ।  ଟିମ୍‌ ପାଇଁ ଅଧିନାୟକ ସ୍ମୃତି ମନ୍ଦାନା ସର୍ବାଧିକ ୬୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ ।  ସେପଟେ ଓ୍ବେଷ୍ଟଇଣ୍ଡିଜ୍‌ର ୪ ବୋଲର ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରନ୍‌ ଆଉଟ୍‌ରେ ଯାଇଥିଲା ଗୋଟିଏ ଓ୍ବିକେଟ ।