ରାଜକୋଟ୍‌ :  ଜୋସ୍‌ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡର ଟିମ୍‌ ଭାରତ ବିରୋଧରେ ଟି-୨୦ ସିରିଜରେ ବିଜୟରସ ସ୍ୱାଦ ଚାଖିଛି। ତାକୁ ଏହି ସଫଳତା ରାଜକୋଟ ମ୍ୟାଚ୍‌ରେ ମିଳିଛି। ସିରିଜର ଏହା ୩ୟ ମ୍ୟାଚ୍‌ ମଙ୍ଗଳବାର ( ୨୮ ଜାନୁଆରୀ) ରେ ଖେଳା ଯାଇଥିଲା। ଯେଉଁଥିରେ ଇଂଲଣ୍ଡ ୨୬ ରନ୍‌ରେ ବିଜୟ ହାସଲ କରିଛି। ହେଲେ ଏବେ ବି ପ୍ରାରମ୍ଭିକ ଦୁଇଟି ମୁକାବିଲା ଜିତି ଭାରତୀୟ ଟିମ୍‌ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। 

୧୭୨ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଭାରତୀୟ ଟିମ୍‌ର ପ୍ରାରମ୍ଭ ଖରାପ ରହିଥିଲା ଏବଂ ୩୧ ରନ୍‌ର ସ୍କୋରରେ  ଭାରତର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କ ୱିକେଟ୍‌ ଖସି ଥିଲା । ସଞ୍ଜୁ ( ୩ରନ୍‌) ଙ୍କୁ ଜୋଫ୍ରା ଆର୍ଚର ପୁଣି ଥରେ ସର୍ଟ ବଲ୍‌ରେ ଫସାଇଲେ। ଅଭିଷେକ ୨୪ ରନ୍‌ କରି ବ୍ରାୟଡନ ଫାର୍ସଙ୍କ ବଲ୍‌ରେ ଆର୍ଚରଙ୍କ ହାତରେ ଧରାପଡ଼ି ଥିଲେ। 

ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ଖରାପ ଫର୍ମ ଜାରି ରହିଛି ଏବଂ ସେ କେବଳ ୧୪ ରନ୍‌ର ସ୍କୋରରେ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟଙ୍କୁ ମାର୍କ ଉଡ୍‌ ୱିକେଟ୍‌କିପର ସଲ୍ଟଙ୍କ ହାତରେ କ୍ୟାଚ୍‌ ଆଉଚ୍‌ କରାଇଥିଲେଯ ସୂର୍ଯ୍ୟଙ୍କ ଆଉଟ୍‌ ହେବା ବେଳେ ଭାରତର ସ୍କୋର ୩ ୱିକେଟ୍‌ରେ ୪୮ ରନ୍‌ ଥିଲା। 

ଉଲ୍ଲେଖନୀୟ ଯେ, ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ରେ ୧୭୧ ରନ୍‌ କରି ଥିଲା ଏବଂ ଭାରତକୁ ୧୭୨ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଭାରତ ୩ୟ ଟି-୨୦ ପାଇଁ ନିଜର ପ୍ଲେଇଂ ଇଲେଭନରେ କେବଳ ଗୋଟିଏ ପରିବର୍ତ୍ତନ କରିଥିଲା। ପେସର ଅର୍ଶଦୀପ ସିଂହଙ୍କ ସ୍ଥାନରେ ଶାମୀଙ୍କୁ ପ୍ଲେଇଂ ଇଲେଭନରେ ଏଣ୍ଟ୍ରି ହୋଇଥିଲା। ଶାମୀ ଏହା ପୂର୍ବରୁ ୨୦୨୩ରେ ଭାରତ ପାଇଁ ଖେଳି ଥିଲେ, ଯାହାକି ୱାନଡେ ୱାର୍ଲ୍ଡ କପ୍‌ ଫାଇନାଲ ଥିଲା। ତାଙ୍କୁ ଗୋଇଠିରେ ଆଘାତ କାରଣରୁ ଦୀର୍ଘ ସମୟ ଧରି ମୈଦାନ ଠାରୁ ଦୂରେଇ ରହିବାକୁ ପଡ଼ିଥିଲା।