ନୂଆଦିଲ୍ଲୀ,୧୩/୦୬; ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଆଜି ଧର୍ମାଶାଳା କ୍ରିକେଟ୍ ଆସୋସିଏସନ ଗ୍ରାଉଣ୍ଡ୍ରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଭାରତ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ ଜିତି ନଥିବା ଆଫଗାନିସ୍ତାନ ପରାଜୟ ଧାରାରେ ବ୍ରେକ୍ ଲଗାଇବାକୁ ଆଶାବାଦୀ ରହିଛି । ଭାରତ ଭେଟେରାନ ଓ ଯୁବ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଦଳ ଗଢ଼ିବାକୁ ନିଷ୍ପତ୍ତି ନେଇଛି । ଉଭୟ ଦଳର ଯୋଜନା ଭିନ୍ନ ଥିଲେ ହେଁ ଲକ୍ଷ୍ୟ କେବଳ ବିଜୟ ରହିଛି । ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଏହି ସିରିଜରୁ ପ୍ରସ୍ତୁତି ଆରମ୍ଭ କରୁଥିବାରୁ ଅନେକ ପରୀକ୍ଷା ନିରୀକ୍ଷା କରିବା ନିଶ୍ଚିତ । ବିଶେଷ କରି ବ୍ୟାଟିଂ କ୍ରମ ଓ ପେସ୍ ବୋଲିଂ ବିଭାଗରେ ନୂଆ ବିକଳ୍ପ ପ୍ରସ୍ତୁତ କରାଯିବ । ତେବେ ବିରାଟ କୋହଲି ଆହତ ଥିବାରୁ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଯୁବ ଖେଳାଳି ଯଶସ୍ୱୀ ଜୈସ୍ୱାଲଙ୍କୁ ସାମିଲ କରାଯାଇଛି । ପ୍ଲେଇଂ ଏକାଦଶରେ ବିରାଟଙ୍କ ସ୍ଥାନ ନେବା ପାଇଁ ୩ ଜଣ ଦାବିଦାର ଅଛନ୍ତି । ସେପଟେ ଜଣେ ବୋଲରଙ୍କ ଡେବ୍ୟୁ ନିଶ୍ଚିତ ବୋଲି ଖବର ଆସୁଛି ।
ବିରାଟ କୋହଲିଙ୍କ ସ୍ଥାନ କିଏ ନେବେ ? ଆହତ ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତେ୍ୱ ଭାରତର ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି । କେବଳ ବ୍ୟାଟରମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଖେଳାଇ ପ୍ରତି ସ୍ଥାନ ପାଇଁ ବିକଳ୍ପ ମହଜୁଦ ରଖିବାକୁ ଟିମ ମ୍ୟାନେଜମେଣ୍ଟ ଯୋଜନା କରୁଛି । ରୋହିତ ଶର୍ମାଙ୍କ ସହ ଅଧିନାୟକ ଶୁଭମନ ଗିଲ ଓପନ କରିବା ନିଶ୍ଚିତ । ସବୁଠାରୁ ବଡ଼ ପ୍ରଶ୍ନ ତୃତୀୟ ନମ୍ବରରେ କିଏ ବ୍ୟାଟିଂ କରିବ ? ଯଶସ୍ୱୀ ଜୈସ୍ୱାଲ କିମ୍ବା ଇଶାନ କିଷନଙ୍କୁ ୩ନଂ ସ୍ଥାନରେ ପରୀକ୍ଷା କରାଯିବ । ଆବଶ୍ୟକ ପଡ଼ିଲେ ରୋହିତଙ୍କୁ ବିଶ୍ରାମ ଦେଇ ଜୈସ୍ୱାଲ ଓ ଗିଲଙ୍କୁ ଓପନ କରାଯିବ । କିଷନ ନିୟମିତ ଭାବେ ୩ନଂ ସ୍ଥାନରେ ଖେଳିବା ଆଶା ଯାଉଛି । ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ଅର୍ଶଦୀପ ସିଂହ ଓ ପ୍ରସିଦ୍ଧ କ୍ରିଷ୍ଣା ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । ତୃତୀୟ ପେସ ବୋଲର ଭାବେ ପ୍ରିନ୍ସ ଯାଦବ କିମ୍ବା ଗୁରନୂର ବ୍ରାର ପଦାର୍ପଣ କରିବା ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ...IND vs AFG 1st ODI: ଏହି କାରଣରୁ ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆରେ ଉପୁଜିପାରେ ବାଧା
ସମ୍ଭାବ୍ୟ ଭାରତ ଏକାଦଶ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ଇଶାନ କିଷନ, ଶ୍ରେୟାସ ଆୟର, କେଏଲ ରାହୁଲ, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ/ଗୁରନୂର ବ୍ରାର ।