ନୂଆଦିଲ୍ଲୀ,୧୫/୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା । ଏଥିରେ ଇଞ୍ଜିନିୟରଙ୍କ ପତ୍ନୀ ନିକିତାଙ୍କ ସହିତ ତାଙ୍କ ଶଳା ଓ ଶାଶୂଙ୍କୁ ଗିରଫ କରିଛି ପୋଲିସ।  ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ପୋଲିସ ଗିରଫ କରିଥିବା ବେଳେ  ତାଙ୍କ ମାଆ ନିଶା ସିଘାଂନିଆ ଏବଂ ଭାଇକୁ  ପ୍ରୟାଗରାଜରୁ ଗିରଫ କରିଛି ପୋଲିସ । 

ସୂଚନା ମୁତାବକ, ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମୃତ୍ୟୁ ପୂର୍ବରୁ ଭିଡିଓ କରିଥିଲେ ଅତୁଲ । ଯେଉଁ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାରି ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ପୋଲିସ । ସମସ୍ତ ତିନି ଜଣଙ୍କୁ ପୋଲିସ ଗିରଫ କରି ବେଙ୍ଗାଲୁରୁ ଆଣି କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଅତୁଲଙ୍କର ମୃତ୍ୟୁ ପରେ ତାଙ୍କ ଭାଇ ୪ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ । ଆଉ ସେହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରକାଶ ଥାଉକି, ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଶ ଡିସେମ୍ବର ୯ ତାରିଖରେ ତାଙ୍କ  ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଥିଲେ ଅତୁଲ।  ତାଙ୍କ ପତ୍ନୀ ନିକିତା  ଛାଡ଼ପତ୍ର ସହ ସେଟେଲମେଣ୍ଟ ପାଇଁ ୩ କୋଟି ଟଙ୍କା ଦାବି କରୁଥିଲେ। ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ। ଅନ୍ୟପଟେ ଶଳା ଏବଂ ଶାଶୁ ମଧ୍ୟ ତାଙ୍କୁ ମିଛ କେସରେ ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରୁଥିବା କଥା ସେ ମୃତ୍ୟୁ ପୂର୍ବରୁ କହିଥିଲେ ।