ନୂଆଦିଲ୍ଲୀ : ଦୁବାଇ ଏୟାର ଶୋ’ ବେଳେ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ କେହି କେବେ କଳ୍ପନା ବି କରି ନଥିଲେ। ଭାରତର ସ୍ୱଦେଶୀ ହାଲୁକା ଫାଇଟର ବିମାନ ଏଲସିଏ ତେଜସ ନିଜର ଡେମୋନଷ୍ଟ୍ରେସନ ଫ୍ଲାଇଟ୍‌ ବେଳେ ହଠାତ୍‌ କ୍ରାସ୍‌ ହୋଇଥିଲା। ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହରର ୨ଟା ୧୦ ମିନିଟ୍‌ରେ ହୋଇଥିଲା। ଏହି ସମୟରେ ହଜାର ହଜାର ଲୋକ ବିମାନର ଷ୍ଟଣ୍ଟ୍ ଦେଖୁ ଥିଲେ।

ବିମାନ ବାୟୁରେ ଆକର୍ଷଣୀୟ ମୋଡ ନେଉଥିଲା, ସେତେବେଳେ ହଠାତ୍‌ ଏହା ନିୟନ୍ତ୍ରଣ ହରାଇ ବସିଥିଲା। କିଛି ହିଁ ସେକେଣ୍ଡରେ ତେଜସ ତଳକୁ ଖସିବା ଆରମ୍ଭ କରିଥିଲା ଏବଂ ସିଧା ଆସି ଭୂଇଁରେ ମାଡ଼ ହୋଇଥିଲା। ଏହି ଧକ୍କାରେ ବଡ଼ ବିସ୍ଫୋରଣ ହୋଇଥିଲା ଏବଂ ଅଲ୍ ମକତୁମ ଇଣ୍ଟରନ୍ୟାସାନାଲ ଏୟାରପୋର୍ଟର ଉପରେ କଳା ଧୂଆଁର ଆସ୍ତରଣ ଉଠି ଥିଲା। ସବୁଠୁ ଦୁଃଖଦ ଖବର ଯେ, ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି।

ଦୁବାଇ ଏୟାର ଶୋ’ ବିଶ୍ୱର ପ୍ରମୁଖ ଆଭିଏସନ ଆୟୋଜନ ଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠି ସାରା ବିଶ୍ୱର ଏୟାରଲାଇନ୍ସ ଓ ସାମରିକ ଉତ୍ପାଦକ ନିଜ ନିଜର କୌଶଳ ଦେଖାଇ ଥାନ୍ତି। ଏହି ଦୁର୍ଘଟଣାରେ ଏୟାର ଶୋ’ର ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ଆୟୋଜନ ସ୍ଥଳରେ ଜରୁରୀକାଳୀନ ଦଳ ତୁରନ୍ତ ସକ୍ରିୟ ହୋଇଥିଲା ଏବଂ ଆଭିଏସନ ଅଧିକାରୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି।

ଭାରତୀୟ ବାୟୁସେନା (ଆଇଏଏଫ୍) କହିଛି ଯେ, ଦୁବାଇ ଏୟାର ଶୋ’ରେ ଏକ ଏୟାର ପ୍ରଦର୍ଶନ ବେଳେ ଆଇଏଏଫ୍‌ର ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି, ଯାହାକି ଖୁବ୍‌ ଦୁଃଖପୂର୍ଣ୍ଣ। ଆଇଏଏଫ୍ କହିଛି ଯେ, ସେ ଏହି ଅପୂରଣୀୟ କ୍ଷତିରେ ଗଭୀର ଶୋକ ବ୍ୟକ୍ତ କରିଥାଏ ଏବଂ ଏହି କଠିନ ସମୟରେ ପାଇଲଟର ପରିବାର ସହ ଠିଆ ହୋଇଛି। ବାୟୁସେନା ଦୁର୍ଘଟଣାର କାରଣ ଗୁଡ଼ିକର ଯାଞ୍ଚ ପାଇଁ କୋର୍ଟ ଅଫ୍‌ ଇନକ୍ୱାଏରୀର ଗଠନ କରିବାକୁ ନିଷ୍ପତ୍ତି ନେଇଛି।