ନୂଆଦିଲ୍ଲୀ,୩୧/୧୦:ମୋମୋ ସହିତ ମେୟୋନିଜ କାହାକୁ ବା ଭଲ ନ ଲାଗେ। ମେୟୋନିଜ ବିନା ମୋମୋ ଅଧୁରା । ହେଲେ ଏବେ ଆଉ ମୋମୋ ପ୍ଲେଟରେ ଦେଖିବାକୁ ମିଳିବନି ମେୟୋନିଜ । ମେୟୋନିଜ ବ୍ୟାନ୍ କରିଛନ୍ତି ତେଲେଙ୍ଗାନା ସରକାର। ଲୋକଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଆଜିଠୁ ମେୟୋନି ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର।
ସୂଚନା ମୁତାବକ, ଗତ ମଙ୍ଗଳବାର ମୋମୋ ଖାଇବା ପରେ ହାଇଦ୍ରାବାଦରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୪୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାଥମିକ ଯାଞ୍ଚରୁ ସେମାନେ ହାଇଦ୍ରାବାଦରେ ପାଖାପାଖି ଥିବା ୬ରୁ ଅଧିକ ଦୋକାନରୁ ମୋମୋ ଖାଇଥିଲେ। ଏହି ଘଟଣାର ଯାଞ୍ଚ କରି ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଦୋକାନୀ ଜଣେ ସପ୍ଲାୟର୍ସଙ୍କ ନିକଟରୁ ମୋମୋ ଅର୍ଡର କରିଥିବା ଜଣାପଡ଼ିଥିଲା। ତାହାର କିଛି ଦିନ ପୂର୍ବରୁ ବି ମୋମୋ ଖାଇବା ଦ୍ୱାରା ଫୁଡ ପଏଜନିଂ ମାମଲା ସାମନାକୁ ଆସିଥିଲା।
ଏହାପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋମୋ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହାପରେ ମୋମୋ ସହ ମିୟୋନିଜକୁ ବି ପରୀକ୍ଷା ପାଇଁ ପଠାଯାଇଥିଲା। ମିୟୋନିଜ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ହେଉଥିବାରୁ ଏହା ଫୁଡ ପଏଜନିଂ କରାଉଥିବା ଅନୁସନ୍ଧାନରୁ ଜଣାପଡିବା ପରେ ତେଲେଙ୍ଗାନା ସରକାର ଏହାକୁ ବ୍ୟାନ୍ କରିଛନ୍ତି।