ନୂଆଦିଲ୍ଲୀ, ୧୪/୦୧ : ନିର୍ବାଚନ ପ୍ରତିଶ୍ରୁତି ପାଇଁ ୫୦୦ କୁକୁରଙ୍କ ବଳି। ତେଲେଙ୍ଗାନାର ୨ଟି ଜିଲ୍ଲାରେ ଜଘନ୍ୟ କାଣ୍ଡ। କାମାରେଡି ଏବଂ ହମନକୋଣ୍ଡା ଜିଲ୍ଲାରେ ଘଟିଛି ଏଭଳି ଘଟଣା। ନୃଶଂସତାର ସବୁ ସୀମା ପାର୍ କରିଗଲେ ସରପଞ୍ଚ। ଥାନାରେ ପହଞ୍ଚିଲା ମାମଲା। ଷ୍ଟ୍ରିଟ୍ ଡଗ୍‌ ଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲୁଥିବା ବେଳେ ସମସ୍ତଙ୍କୁ ଚକିତ କରିଛି ଏହି ଘଟଣା।

ସୂଚନାନୁଯାୟୀ, ୨୦୨୬ ଜାନୁଆରୀ ୧୨ ତାରିଖରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସହ ଜଡ଼ିତ ଆନିମଲ୍ କ୍ରୁଏଲିଟି ନିବାରଣ ପରିଚାଳକ ଆଦୁଲାପୁରମ୍ ଗୌତମ ମାଚାରେଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗୌତମଙ୍କ ଅଭିଯୋଗ ଅନୁଯାୟୀ, ମାଚାରେଡି ଥାନା ଅଞ୍ଚଳର ଭାବନିପେଟ, ପଲବାଞ୍ଚା, ଫରିଦପେଟ, ୱାଡି ଏବଂ ବୃନ୍ଦାରମେଶ୍ୱରପାଲ୍ଲୀ ଗାଁରେ ଗତ ଦୁଇରୁ ତିନି ଦିନ ଭିତରେ ପ୍ରାୟ ୨୦୦ ବୁଲା କୁକୁରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଗାଁ ଗୁଡ଼ିକର ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି। 

ଏନେଇ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଡିସେମ୍ଵରରେ ହୋଇଥିବା ନିର୍ବାଚନରେ ବୁଲା କୁକୁର ସମସ୍ୟା ଦୂର କରିବା ପାଇଁ ସରପଞ୍ଚ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ଜିତିବା ପରେ  ଏହାକୁ ପୂରଣ କରିବା ପାଇଁ ଏତେ ସଂଖ୍ୟାରେ କୁକୁରଙ୍କୁ ସାମୂହିକ ଭାବେ ହତ୍ୟା କରାଯାଇଛି। ଗାଁ ବାହାରେ ଏହି କୁକୁରଙ୍କ ଶବ ପୋତା ଯାଇଛି। ପଶୁ ଚିକିତ୍ସକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁକୁରଙ୍କ ଶବ ବାହାର କରି ବ୍ୟବଚ୍ଛେଦ କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରୁନି ବିଏମ୍‌ସି, ଉତ୍ପାତ କରୁଛନ୍ତି ୫୦ ହଜାର ବୁଲା କୁକୁର