ଭୁବନେଶ୍ବର,୨୧।୧୨ :  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭିଜିବ ଓଡ଼ିଶା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିବ ବର୍ଷା । କାଲିଠୁ କମିବ ବର୍ଷାର ପରିମାଣ । ବର୍ଷା କମିବା ପରେ ବଢିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସହ ଏକ ପଶ୍ଚିମା ଝଡ ସକ୍ରିୟ ରହିଛି । ଏହାର ପ୍ରଭାବରେ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ଅନ୍ୟପକ୍ଷରେବର୍ଷା ଶୀତ ମଧ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଏଥିପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ନୟାଗଡର ରଣପୁରରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 

ସେପଟେ ବର୍ଷା କମିବା ପରେ  ଘନ କୁହୁଡି ପଡିବ । ୨୩ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି,କନ୍ଧମାଳ, କୋରାପୁଟ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ । ପଶ୍ଚିମା ଝଡ ପ୍ରଭାବରେ ନୂଆ ବର୍ଷ ପର୍ଯ୍ୟନ୍ତ ମେଘୁଆ ପାଗ ରହିବା ସହ ୩ ଦିନ ପରେ ରାଜ୍ୟରେ ଶୀତ ବଢିବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ଏବଂ ରାତିର ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବର୍ଷା ପାଗ ପାଇଁ ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ।