ଝାରସୁଗୁଡ଼ା:  ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ବୃହତ ବ୍ଲକ୍ ଲଖନପୁର ବ୍ଲକ ବୁକୁରେ ଖୁନ୍ଦିହୋଇ ରହିଛି ଐତିହ ଓ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ । ଏଠିକାର ଜୀବନ୍ତ ପ୍ରକୃତି କୋଳରେ ହଜିବାକୁ, ଏସବୁର ଇତିହାସ ଜାଣିବାକୁ ସ୍ୱତଃ ଲୋକଙ୍କ ମନରେ ଉତ୍ସୁକତା ଦେଖାଦିଏ । ଏଠିକାର ଇତିହାସର ବହୁ ପଦଚିହ୍ନ ଜୀବନ୍ତ ଓ ଚଳମାନ । ଏଠି ସ୍ଥାପତ୍ୟ ଅଛି, ଏଠି ଗୁମ୍ଫା ଅଛି, ଏଇଠି ସଂସ୍କୃତି ଅଛି । ଏଇଠି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ଅତି ମନଲୋଭା ଜଳପ୍ରପାତ ରହିଛି । କୁଳୁକୁଳୁ ନିନାଦରେ ପ୍ରବାହିତ ଅନେକ ଚିରଶ୍ରୋତା ଝରଣା ବହିଯାଉଛି । ପୁରୁଣା ଶିଳାଳୀପି ଥିବା ବିକ୍ରମଖୋଲ, ଉଲାପଗଡ଼, ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୋଇଲିଘୁଘର, ଲାଲପଥର ସାଙ୍ଗକୁ ଐତିହାସିକ କିମ୍ବଦନ୍ତୀ ଓ ଗୁମ୍ଫା ଥିବା ଗୁଜାପାହାଡ଼ ଅନ୍ୟତମ । ସେହିପରି ଜିଲ୍ଲା ତଥା ଜିଲ୍ଲା ବାହାର ଏପରିକି ରାଜ୍ୟ ବାହାର ପର୍ଯ୍ୟଟକଙ୍କ ମାନସ ପଟରେ ଛାପ ହୋଇରହିଥିବା ପିକ୍ନିକ୍ ସ୍ପଟ ରମ୍ପାଲୁଗା । ହେଲେ ବିଡ଼ମ୍ବନାର ବିଷୟ ପର୍ଯ୍ୟଟନ ସ୍ଥଳି ଗୁଡିକର ଯେଉଁଭଳି ବିକାଶ ହେବା କଥା ଏଠାରେ ତାହା ଦେଖା ଯାଉନାହିଁ । (ମେହବୁବ ମାହତାବ, ଝାରସୁଗୁଡ଼ା; ଦାମୋଦର ବଢ଼େଇ, ଲଖନପୁର)

ରମ୍ପାଲୁଗା

ଜଳଭଣ୍ଡ।ର ଉପକଣ୍ଠରେ ଥିବା ସୁନାରୀ ପଞ୍ଚାୟତର ପ୍ରାକୃତିକ ପରିବେଶ ଭରପୁର ତଥା ଜନମାନସରେ ସ୍ୱତନ୍ତ୍ର ଛାପ ପକାଇଥିବା ପିକ୍‌ନିକ୍ ସ୍ପଟ ହେଉଛି । ରମ୍ପାଲୁଗା । ଏଠାକାର ପ୍ରାକୃତିକ ପରିବେଶ, ନୌ-ଚାଳନା, ବୋଟିଂ ସୁବିଧା, ପିକ୍ନିକ୍ ପାଇଁ ଉପଯୁକ୍ତ ପରିବେଶ, ଜଳଭଣ୍ଡାରର ଜଳରାଶି, ବିଦେଶୀ ପକ୍ଷୀଙ୍କ କଳରବ, ରମ୍ପାଲୁଗା ଡୁଙ୍ଗୁରି ଯାହାକୁ ଶୁଆକାନୀ ବୋଲି କୁହାଯାଏ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବର୍ତ୍ତମାନ ନିର୍ମାଣାଧୀନ ପାର୍କ ବର୍ଷ ତମାମ ଦୂର ଦୂରାନ୍ତରରୁ ଲୋକଙ୍କୁ ଟାଣି ଆଣିଥାଏ । ବହୁଳ ମାତ୍ରାରେ ଜନସମାଗମ ହେଉଥିବାରୁ ଏଠାକାର ପରିବେଶକୁ ସେଭଳି ଭାବରେ ସଫାସୁତୁରା କରାଯିବା ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଛି।

ଇବ୍ ନଦୀଘାଟ ବ୍ୟସ୍ତବହୁଳ ପିକନିକ୍ ସ୍ପଟ୍

ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼ ଦେଇ ଝାରସୁଗୁଡ଼ାକୁ ପ୍ରବେଶ କରିଥିବା ଇବ୍ ନଦୀ କୂଳରେ ବହୁ ସ୍ଥାନ ରହିଛି ଯାହାକୁ ଲୋକେ ପିକନିକ ଋତୁରେ ବଣଭୋଜି ପାଇଁ ଯାଇଥାନ୍ତି । ଝାରସୁଗୁଡ଼ା-ବ୍ରଜରାଜନଗର ମଧ୍ୟରେ ଇବ୍ ସେତୁର ଦୁଇ ପାଶ୍ୱର୍ରେ ନଦୀ କୂଳରେ ପିକନିକ୍ ପାଇଁ ଲୋକଙ୍କ ଭିଡ଼ ହୁଏ । ତାଲପଟିଆ, ଦୁର୍ଲଗା ଠାରୁ ଆରମ୍ଭ କରି ପଞ୍ଚପଡ଼ା, କଟାପାଲି, ଲହଣ୍ଡାବୁଡ଼, ବୁଢ଼ୀପଦର, ଜମେରା ଏବଂ ଇବ୍ ଗାଁ ପର୍ଯ୍ୟନ୍ତ ବହୁ ସୌନ୍ଦର୍ଯ୍ୟମୟ ସ୍ଥାନ ରହିଛି । ଯାହାକୁ ଜନ ମୁଖରେ ପିକନିକ ସ୍ପଟ ମାନ୍ୟତା ମିଳେ । ସେହିପରି ବ୍ରଜରାଜନଗର ପଟେ ମଧ୍ୟ ରାଜପୁର, ଗଣ୍ଡଘୋରା, ତେଲେନପାଲି, ରେମଜା ଆଦି ସ୍ଥାନକୁ ଲାଗି ରହିଥିବା ଇବ୍ ନଦୀକୂଳରେ ପିକନିକ ପାଇଁ ଭରପୁର ସୁବିଧା ରହିଛି ।

ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର

ଶିଳ୍ପ ଓ ଖଣି ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଛି । ମାତ୍ର ତନ୍ମଧ୍ୟରୁ ବ୍ରଜରାଜନଗର ପାଖ ଇବ୍ ଏବଂ ଭେଡ଼େନ ନଦୀର ମିଳନ ସ୍ଥଳକୁ ଲାଗି ରହିଥିବା ଚଣ୍ଡୀ ମନ୍ଦିର ଓ ରାମଚଣ୍ଡୀ ଗୁମ୍ଫା ଅନ୍ୟତମ । ଲୋକଙ୍କ ଧର୍ମୀୟ ଭାବନା ଓ ଆସ୍ଥା ସହ ଯୋଡ଼ି ହୋଇ ରହିଥିବା ଏହି ସ୍ଥାନର ପବିତ୍ରତା, ସୌନ୍ଦର୍ଯ୍ୟ ରାଜ୍ୟ ଏବଂ ରାଜ୍ୟ ବାହାର ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରଶସ୍ତ ରାସ୍ତା ନିର୍ମାଣ ସହ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ରହିଛି । ଲକ୍ଷ୍ମୀ ମନ୍ଦିର ଠାରୁ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ରୋପ ୱେ ବ୍ୟବସ୍ଥା କରାଯିବାକୁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇସାରିଛି । ଯାହାକି କାର୍ଯ୍ୟକାରୀ ଅପେକ୍ଷାରେ ରହିଛି । ଏହା ହେବା ପରେ ପର୍ଯ୍ୟଟକ ବହୁଳ ଭାବେ ଆକର୍ଷିତ ହେବେ । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଉଛି ଚଣ୍ଡୀ ମନ୍ଦିର ପାଶ୍ୱର୍ରେ ଡିଅର ପାର୍କ ପରିକଳ୍ପନା । ଚଣ୍ଡୀ ମନ୍ଦିର ସମ୍ମୁଖରେ ଇବ୍ ଏବଂ ଭେଡ଼େନ ନଦୀର ସଂଯୋଗ ସ୍ଥଳ ଏକ ବିରାଟ ଜଳଗଣ୍ଡକୁ ସୃଷ୍ଟି କରିଛି । ଯାହାକି ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ହେବା ସହ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ

ବିକ୍ରମଖୋଲ

ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୩୦ କିଲାମିଟର ଦୂରରେ ଲଖନପୁର ବ୍ଲକ ବନ୍ଜାରୀ ପଞ୍ଚାୟତରେ ରହିଛି ବିକ୍ରମଖୋଲ ଐତିହସ୍ଥଳୀ । କିମ୍ବଦନ୍ତୀ ଅନୁଶାରେ ବିକ୍ରମଖୋଲର ପଥର ଗୁମ୍ଫାରେ ରହିଛି ପ୍ରାୟ ୩୫ ହାଜର ବର୍ଷର ପୁରୁଣା ଶିଳାଲେଖ । ବିଶିଷ୍ଟ ଇତିହାସକାର କେ.ପି ଜୟସ୍ୱାଲ ଏବଂ ଗୁଡିଆ ବାବା ଏହି ଶିଳାଲେଖକୁ ଆବିଷ୍କର କରିଥିଲେ । ଏହା ସିନ୍ଧୁ ସଭ୍ୟତାର ଲିପି ଏବଂ ପରବର୍ତ୍ତୀ ବ୍ରାହ୍ମୀ ଲିପିର ମଧ୍ୟବର୍ତ୍ତୀ ଲିପି ବୋଲି ଇତିହାସକାର ଜୟସ୍ୱାଲ ଏବଂ ଶିବପ୍ରସାଦ ମିଶ୍ର ମତ ରଖିଛନ୍ତି । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ଯେଉଁ ସବୁ ପ୍ରମାଣ ଉପସ୍ଥାପନ କରାଯାଇଥିଲା ସେ ସବୁ ମଧ୍ୟରେ ବିକ୍ରମଖୋଲ ଶିଳାଲିପିର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା । ତେବେ ଏହି ଲିପିକୁ ଏପର୍ଯ୍ୟନ୍ତ ପଢ଼ାଯାଇପାରି ନାହିଁ । ଦେଶ ବିଦେଶରୁ ବହୁ ଇତିହାସକାର ଅନେକ ସମୟରେ ଏଠାକୁ ଭ୍ରମଣ କରିଛନ୍ତି । ହେଲେ ବିକ୍ରମଖୋଲ ଗୁମ୍ଫାକୁ ଯିବା ପାଇଁ ଭଲ ରାସ୍ତା ଟିଏ ଏଯାଏ ନାହିଁ ।

କୋଇଲିଘୁଘର

ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂରରେ ଲଖନପୁର ବ୍ଲକରେ ରହିଛି କୋଇଲିଘୁଘର ଶୈବପୀଠ ପର୍ଯ୍ୟଟନ ସ୍ଥଳ । ମନୋରମ ବନାନୀ ଭିତରେ ଥିବା କାଇଲିଘୁଘରର ଚିରସ୍ରୋତା ଝରଣା ଓ ପ୍ରସିଦ୍ଧ ଶୈବ ପୀଠ ପ୍ରକୃତିପ୍ରେମୀ ତଥା ଧାର୍ମିକ ବ୍ୟକ୍ତି ବିଶେଷଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । ବର୍ଷ ତମାମ ପ୍ରକୃତିପ୍ରେମୀ ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଶୀତ ଦିନେ ବେଶ ଭିଡ଼ ଜମିଥାଏ । ଏଠାରେ ଝରଣାରେ ଥିବା ଏକ ପଥରରେ ଦେବଦେବ ମହାଦେବଙ୍କ ଉଭା ଲିଙ୍ଗ ରହିଛି । ଝରଣା ତଳେ ଏକ ଗୁମ୍ଫା ଭିତରେ ସୁନା ପ୍ରତିମା ରହିଥିବା ଜଳପ୍ରପାତର ଘୁ ଘୁ ଶବ୍ଦ ଓ ଶୀତଳ ପବନ ପର୍ଯ୍ୟଟକଙ୍କୁ ଆମୋଦିତ କରେ । ଏଥିସହ ଏଠାରେ ଶୋହମସ୍ୱାମୀ ମନ୍ଦିର ମଧ୍ୟ ରହିଛି । ପୂଜାପାଠ ଏବଂ ପିକନିକ ପାଇଁ ଏହା ବେଶ ପ୍ରସିଦ୍ଧି ଲାଭ କରିପାରିଛି ।

ଲାଲପଥର

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତ ଅନ୍ତର୍ଗତ “ଲାଲପଥର’ । ବିସ୍ତିର୍ଣ୍ଣ ଲାଲପଥର ମଝିରେ ପ୍ରବାହିତ ଚୀରସ୍ରୋତା ଝରଣାର ନିର୍ମଳ ଜଳ ପ୍ରବାହ, ପ୍ରାକୃତିକ ଜଙ୍ଗଲ ପରିବେଶ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ଗାଁ ପରିଚାଳାନ କମିଟି ପକ୍ଷରୁ ନୌବିହାର ବ୍ୟବସ୍ଥା କରାଯାଇଛି । ଝରଣାର ଏକୂଳରୁ ସେକୂଳ ଯିବାକୁ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ପ୍ରତିବର୍ଷ ଏକ ଗଛର ପୋଲ ନିର୍ମାଣ କରାଯାଇଥାଏ । ସରକାର ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦେଇସାରିଛନ୍ତି ସ୍ଥଳିର ଯେଉଁଭଳି ବିକାଶ ହେବା କଥା ତାହା ଦେଖା ଯାଉନାହିଁ । ବର୍ତ୍ତମାନ ସୁଦ୍ଧା ଏହି ସ୍ଥାନକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।

ଗୁଜା ପାହାଡ଼

ଲଖନପୁର ବ୍ଲକ ତିଲିଆ ପଞ୍ଚାୟତରେ ରହିଛି ଗୁଜା ପାହାଡ଼ । ପ୍ରାୟ ୬୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ ଚାରିପଟକୁ ଘେରି ରହିଛି ହୀରାକୁଦ ଜଳଭଣ୍ଡାର । ପାହାଡ଼ ତଳେ ପୂଜା ପାଆନ୍ତି ଅନେକ ଦେବାଦେବୀ । ଶିଖରରେ ବିରାଜମାନ ରାମଭକ୍ତ ହନୁମାନ । କିମ୍ବଦନ୍ତୀ ଅନୁସାରେ ପଞ୍ଚୁ ପାଣ୍ଡବ ଏହି ରାସ୍ତା ଦେଇ ଯିବା ସମୟରେ ସବୁଜ ବନାନୀ ସାଙ୍ଗକୁ ସୁଉଚ୍ଚ ପାହାଡ଼କୁ ଦେଖି ତାର ଉଚ୍ଚତା କମ କରିବାକୁ ପାହାଡ଼ ଶୀଖରେ ଭୀମ ପଦାଘାତ କରିଥିଲେ । ପୌରାଣିକ ସୃତିକୁ ସାଇତି ରଖିଥିବା ପଥର ଦେହରେ ଥିବା ଭୀମପାଦର ପ୍ରାୟ ୨ ଫୁଟ ଗଭୀର ଏଯାଏଁ ରହିଛି । ପରବର୍ତ୍ତି ସମୟରେ ପର୍ଯ୍ୟଟକଙ୍କ ତୃଷା ମେଣ୍ଟାଇବାକୁ ସେହି ଭୀମପାଦରେ ଭର୍ତ୍ତି ହୋଇରହୁଛି ସ୍ୱଚ୍ଛ ନିର୍ମଳ ପାଣି, ପାହାଡ଼ ଦେହରେ ରହିଛି ୧୬ଟି ଛୋଟବଡ଼ ମନଲୋଭା ଗୁମ୍ଫା, ପାହାଡ଼ ଉପରୁ ହୀରାକୁଦ ଜଳଭଣ୍ଡାର ସୌାନ୍ଦର୍ଯ୍ୟ ଦୃଶ୍ୟ, ହୀରାକୁଦ ନଦୀବନ୍ଧ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ । ହୁଏତ ସରକାର ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦେଇସାରିଛନ୍ତି ହେଲେ ବିକାଶ କଚ୍ଛପ ଗତି ।

ମନୋରମ ଦ୍ୱୀପ ‘ସୁଆକାନି’

ହୀରାକୁଦ ଜଳଭଣ୍ଡାର ସୌନ୍ଦର୍ଯ୍ୟର ଗନ୍ତାଘର । ମନୋରମ ପ୍ରାକୃତିକ ପରିବେଶ, ନୀଳ ଜଳରାଶି ଏବଂ ବିଦେଶୀ ଏବଂ ଦେଶୀୟ ପକ୍ଷୀଙ୍କ କଳରବ ସାଙ୍ଗକୁ ସ୍ୱାଦିଷ୍ଟ ମାଛର ଭଣ୍ଡାର ଆଜି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଜଳଭଣ୍ଡାର ଗର୍ଭରେ ଏଭଳି ଏକ ମନୋରମ ଏବଂ ଅଗମ୍ୟ ଦ୍ୱୀପଟିଏ ହେଉଛି "ସୁଆକାନି । ଡଙ୍ଗା ସାହାଯ୍ୟରେ ପର୍ଯ୍ୟଟକ ଏଠାକୁ ଯିବା ସହ ଏକ ଆକର୍ଷଣୀୟ ପିକନିକ୍ ସ୍ପଟର ମର୍ଯ୍ୟାଦା ଲାଭ କରିବାକୁ ବସିଛି । ଲଖନପୁର ଥାନା ସୁନାରୀ ପଞ୍ଚାୟତ ଅଧୀନରେ ଥିବା ପର୍ଯ୍ୟଟନ କେନ୍ଦ୍ର ରଂପାଲୁଗାକୁ ଲାଗି ରହିଛି ସୁଆକାନି । ଜଳଭଣ୍ଡାରର ଅଜସ୍ର ଜଳରାଶି ଏହି ସୁଆକାନି ଡୁଙ୍ଗୁରିକୁ ଚାରି ପଟୁ ଘେରି ରହିଛି । ଜଳଭଣ୍ଡାର ପାରି କରି ହିଂସ୍ର ବନ୍ୟଜନ୍ତୁ କୌଣସି ପଟୁ ଏହି ଦ୍ୱୀପକୁ ପ୍ରବେଶ କରିବାର ସୁଯୋଗ ନାହିଁ । ତେଣୁ ଲୋକେ ଏଠାକୁ ନିର୍ଭୟରେ ଯାଇଥାନ୍ତି ।

ସବୁଠାରୁ ଆକର୍ଷଣୀୟ ହେଉଛି ଏଠିକାର ମନୋରମ ପ୍ରାକୃତିକ ଏବଂ ନିରୋଳା ପରିବେଶ । ଯାନବାହାନର କୋଳାହଳ ଏବଂ ଶିଳ୍ପ ପ୍ରଦୂଷଣ ଠାରୁ ବହୁ ଦୂରରେ ରହିଥିବା ଏହି ଦ୍ୱୀପ ଲୋକଙ୍କୁ କିଛି ସମୟ ଏକ ଶାନ୍ତ ପରିବେଶରେ ବିତାଇବାକୁ ସୁଯୋଗ ଦେଉଛି । ଏଠାରେ ବିଦେଶୀ ପକ୍ଷୀ ସାଙ୍ଗକୁ ଦେଶୀୟ ପକ୍ଷୀଙ୍କ ସମାଗମ ଏଠିକାର ପରିବେଶକୁ ଅତ୍ୟନ୍ତ ମନୋରମ କରିଛି । ଡୁଙ୍ଗୁରିରେ ବିଭିନ୍ନ ପ୍ରଜାତିର ବୃକ୍ଷଲତାଠାରୁ ଆରମ୍ଭ କରି ବହୁ ଔଷଧୀୟ ଗୁଳ୍ମ, ତରୁଲତା, ଚେରମୂଳି ଉପଲବ୍ଧ । ସାନୀୟ ଲୋକଙ୍କ କହିବା ଅନୁସାରେ, ମୟୂର ଏବଂ ଭଳିକି ଭଳି ଚଢେଇ ଏଠାରେ ଦେଖିବାକୁ ମିଳନ୍ତି । ସେହିପରି ପର୍ଯ୍ୟଟକ ଏଠାରେ ବୋଟିଂ ସାଙ୍ଗକୁ ପିକ୍ନିକ୍ର ମଜା ଉଠାଇଥାନ୍ତି । ହୀରାକୁଦ ଜଳଭଣ୍ଡାର ଭିତରେ ରହିଥିବା ଏହି ଆକର୍ଷଣୀୟ ପ୍ରାକୃତିକ ପରିବେଶ ଏବଂ ନୌଯାତ୍ରାର ଆକର୍ଷଣ ସୁଆକାନିକୁ ଏକ ବଡ଼ ଟୁରିଷ୍ଟ ଡେଷ୍ଟିନେସର ପରିଚୟ ଦେଇଛି ।