ଭୁବନେଶ୍ୱର, ୨୬/୦୬: ସ୍କୁଲ ବହି ତ୍ରୁଟି ପ୍ରସଂଗରେ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି । କମିଟିର ସୁପାରିସ ଅନୁଯାୟୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର (Teachers Training & SCERT) ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଏବଂ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ୬ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ।

ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ୧୪ଟି ସୁପାରିଶ କାର୍ଯ୍ୟକାରୀ କରାଯିବ। ଏଗୁଡ଼ିକ ହେଲା SCERT ପକ୍ଷରୁ ମାଷ୍ଟର ତ୍ରୁଟି (Errata) ରେଜିଷ୍ଟର ପ୍ରସ୍ତୁତ କରାଯିବ । ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବ । SCERTରେ Quality Assurance Cell ଖୋଲାଯିବ । ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସକୁ ଯିବ ନାହିଁ  ।

  • ସାତ ଦିନ ମଧ୍ୟରେ ‘ମାଷ୍ଟର ଏରାଟା ରେଜିଷ୍ଟର’ ପ୍ରକାଶ ହେବ
  • ବଡ଼ ତ୍ରୁଟି ଥିଲେ ପୃଷ୍ଠା ବଦଳିବ କିମ୍ବା ପୁନଃମୁଦ୍ରିତ ସଂଶୋଧନ ପୃଷ୍ଠା ଯୋଗାଇ ଦିଆଯିବ
  • ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୃଷ୍ଠା ପ୍ରଦାନ କରଯିବ
  • ସଂଶୋଧିତ PDFକୁ ଶିକ୍ଷାଦାନ ସଂସ୍କରଣ ଭାବେ ଘୋଷଣା କରାଯିବ
  • ଶିକ୍ଷକମାନଙ୍କୁ ଶୀଘ୍ର ସଂଶୋଧନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ
  • ପ୍ରତ୍ୟେକ ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ମ୍ୟାଟ୍ରିକ୍ସ ପ୍ରସ୍ତୁତ କରାଯିବ
  • ଡିଟିପି ସଂସ୍ଥା, ମୁଦ୍ରଣ ସଂସ୍ଥା ଏବଂ ଅନୁମୋଦନକାରୀ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍
  • SCERTରେ ଏକ ପାଠ୍ୟପୁସ୍ତକ ଗୁଣବତ୍ତା ସୁନିଶ୍ଚିତ ସେଲ୍ ଗଠନ ହେବ
  • NCERT ଢାଞ୍ଚାରେ ବିଷୟଭିତ୍ତିକ ପାଠ୍ୟକ୍ରମ ଏବଂ ପୁସ୍ତକଭିତ୍ତିକ ପାଠ୍ୟପୁସ୍ତକ ବିକାଶ ପାଇଁ କମିଟି ହେବ
  • ଚାରି-ସ୍ତରୀୟ ଯାଞ୍ଚ ଏବଂ ଫାଇନାଲ ଲକ୍ଡ PDF ବ୍ୟବସ୍ଥା ପ୍ରଚଳନ ହେବ
  • ସାର୍ବଜନୀନ ଏରାଟା ପୋର୍ଟାଲ୍ ତିଆରି କରାଯିବ
  • ମୁଦ୍ରଣ ସଂସ୍ଥା/DTP ବିକ୍ରେତାଙ୍କୁ ଜରିମାନା, କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ ଏବଂ କଳା ତାଲିକାଭୁକ୍ତ ନେଇ ବ୍ୟବସ୍ଥା କାରଯିବ
  • ପ୍ରତ୍ୟେକ ନୂତନ ପାଠ୍ୟପୁସ୍ତକ ପାଇଁ ପାଇଲଟ୍ ପରୀକ୍ଷଣ କରାଯିବ
  • ଭବିଷ୍ୟତରେ ଫାଇନାଲ୍ ଏକାଡେମିକ୍ ଲାଙ୍ଗୁଏଜ୍, ତଥ୍ୟ-ଚିତ୍ର ଏବଂ ଉତ୍ପାଦନ ଅନୁମୋଦନ ବିନା ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ପଠାଯିବ ନାହିଁ

ଅଧିକ ପଢନ୍ତୁ-Text Book Error: ପାଠ୍ୟପୁସ୍ତକ ତ୍ରୁଟିରେ ବଡ଼ ଷଡ଼ଯନ୍ତ୍ର ସନ୍ଦେହ; ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଫେରାଇ ନେବେ ସବୁ ବହି