ନୂଆଦିଲ୍ଲୀ,୨୪।୭: ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ସୀମାରେ ପୁଣି ଉତ୍ତେଜନା ଦେଖାଦେଇଛି। ଟା ମୁଏନ୍ ଥମ୍ ମନ୍ଦିର ନିକଟ ବିବାଦୀୟ ଅଞ୍ଚଳରେ ଗୁଳିମାଡ଼, ରକେଟ୍ ଆକ୍ରମଣ ଏବଂ ଏପରିକି ବିମାନ ଆକ୍ରମଣ ମଧ୍ୟ ହୋଇଛି। ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଉଭୟ ସେନା ହାଇ ଆଲର୍ଟରେ ଅଛନ୍ତି। ଏବେ ବାୟୁସେନା ମୈଦାନକୁ ଓହ୍ଲାଇଛି।
ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଥାଇଲାଣ୍ଡ ଓ କାମ୍ବୋଡିଆ ଭିତରେ ସୀମା ବିବାଦ ହିଂସାତ୍ମକ ରୂପ ନେଇଛି। କିନ୍ତୁ ଏଥର ମାମଲା ଖୁବ୍ ଗମ୍ଭୀର ହେଉଥିବାର ଜଣାପଡୁଛି, ଦୁଇ ପକ୍ଷ ସେନା ସମ୍ପୂର୍ଣ୍ଣ ଶକ୍ତି ସହ ଓହ୍ଲାଇଛନ୍ତି। କୁଟନୈତିକ ଆଲୋଚନା ବଦଳରେ କାର୍ଯ୍ୟାନୁଷ୍ଠାନ ବାଟରେ ଅଛନ୍ତି। ଆସନ୍ତୁ ଜାଣିବା ଏହି ପୁରା ଘଟଣାକ୍ରମର କ୍ରୋନୋଲୋଜି।
ଥାଇ ଆର୍ମିକୁ ମିଳିଥିବା ସୂଚନା ଅନୁସାରେ, ଥାଇଲାଣ୍ଡର ସୁରିନ୍ ପ୍ରଦେଶ ଓ କାମ୍ବୋଡିଆର ଓଡର ମେଚି ପ୍ରଦେଶର ସୀମାରେ ଥିବା ଏକ ପ୍ରାଚୀନ ମନ୍ଦିର ଟା ମୁଏନ୍ ଥୋମ୍ ମନ୍ଦିର। ଏହି ଅଞ୍ଚଳକୁ ନେଇ ଦୀର୍ଘ ସମୟ ଧରି ଦୁଇ ପକ୍ଷ ଭିତରେ ବିବାଦ ରହିଛି। ମନ୍ଦିରର ମାଲିକାନା ଅଧିକାର କିଏ ରଖିଛି, ଏହାକୁ ନେଇ ବର୍ଷ ବର୍ଷ ହେବ ବିବାଦ ଚାଲି ଆସୁଛି। ଥାଇ ସେନାର ମନିଟରିଂ ସିଷ୍ଟମ ସକାଳ ୭ଟା ୩୦ ମିନିଟ୍ରେ ମନ୍ଦିର ଆଖପାଖରେ କାମ୍ବୋଡିଆ ପକ୍ଷରୁ ପଠାଯାଇଥିବା ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଏହି ଡ୍ରୋନ୍ କିଛି ସମୟ ପର୍ଯ୍ୟନ୍ତ ମନ୍ଦିର ଉପରେ ବୁଲିଥିବା ଓ ଗାଏବ ହୋଇଯାଇଥିଲା। ଏହରେ ତୁରନ୍ତ ପରେ ସୀମାରେ ଲାଗିଥିବା ବାଡ଼ ନିକଟରେ ସଶସ୍ତ୍ର କାମ୍ବୋଡିଆ ସୈନିକ ଦେଖିବାକୁ ମିଳିଥିଲେ। ଯେଉଁମାନେ ଥାଇ ଅଞ୍ଚଳକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଥାଇ ଗାର୍ଡସ୍ ତାଙ୍କୁ ଚେତାବନୀ ଦେଇ ପଛକୁ ହଟାଇ ଦେଇଥିଲେ। ତେବେ ସକାଳ ୮ଟା ୨୦ ମିନିଟରେ କାମ୍ବୋଡିଆ ସେନା ଥାଇ ମିଲିଟାରୀ ପୋଷ୍ଟ ଉପରକୁ ହଠାତ ଗୁଳିମାଡ କରିଥିଲା।
କେବଳ ଗୁଳିମାଡ଼ରେ ଘଟଣା ସୀମିତ ରହିଲା ନାହିଁ। କାମ୍ବୋଡିଆ ପକ୍ଷରୁ BM-21 ରକେଟ୍ ଲଞ୍ଚର ସହିତ ଆକ୍ରମଣ କରାଯାଇଥିଲା। ଏହି ରକେଟ୍ ଥାଇଲ୍ୟାଣ୍ଡର ସିସାକୋଟ ପ୍ରଦେଶର ଏକ ମନ୍ଦିର ଏବଂ ଅନେକ ଆବାସିକ ଅଞ୍ଚଳରେ ପଡ଼ିଥିଲା। ଅନେକ ସାଧାରଣ ନାଗରିକ ଆହତ ହୋଇଥିଲେ, କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହାର ୧୫ ମିନିଟ୍ ପରେ କାମ୍ବୋଡିଆ ସେନା ସୁରିନ୍ ପ୍ରଦେଶର କାପ୍ ଚୋଏଙ୍ଗ ଅଞ୍ଚଳକୁ ଟାର୍ଗେଟ କରିଥିଲା। ଏକ ରକେଟ୍ ସିଧାସଳଖ ଏକ ଘର ଉପରେ ପଡ଼ିଥିଲା, ଯେଉଁଥିରେ ଘଟଣାସ୍ଥଳେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ବିବାଦ ବଢିବାର ଦେଖି ଥାଇଲାଣ୍ଡ ୬ଟି F-16 ଯୁଦ୍ଧ ବିମାନ ଉଡ଼ାଣ ଭରାଇ କାମ୍ବୋଡିଆ ଭିତରେ ଦୁଇଟି ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କାମ୍ବୋଡିଆର ଲଜିଷ୍ଟିକ୍ସ ଏବଂ ରାଡାର ୟୁନିଟ୍ କୁ ପ୍ରବଳ କ୍ଷତି ହୋଇଥିବା ଦାବି କରାଯାଇଛି।