ନୂଆଦିଲ୍ଲୀ: କାନାଡାର ମିସିସାଗା ସହରରେ ପ୍ରଭୁ ଶ୍ରୀରାମଙ୍କ ୫୧ ଫୁଟ ଉଚ୍ଚ ପ୍ରତିମା ସ୍ଥାପନ କରାଯାଇଛି। ଏହା ଉତ୍ତର ଆମେରିକାର ସବୁଠାରୁ ଉଚ୍ଚ ଶ୍ରୀରାମଙ୍କ ପ୍ରତିମା । ଏହା ହିନ୍ଦୁ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି। ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପ୍ରଭୁ ରାମଙ୍କ ସବୁଠାରୁ ଉଚ୍ଚ ପ୍ରତିମା ଉନ୍ମୋଚନ ହୋଇଛି । ପ୍ରତିମାର ଉଚ୍ଚତା ଭୂମିରୁ ୫୧ ଫୁଟରୁ ଅଧିକ ହୋଇପାରେ।  ପ୍ରତିମା ସ୍ଥାପନ ସହିତ, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା କାନାଡାର ଏହି ସହର । ଶ୍ରୀରାମଙ୍କ ପ୍ରତିମା ଅଣ୍ଟାରିଓର ହିନ୍ଦୁ ଐତିହ୍ୟ କେନ୍ଦ୍ରରେ ସ୍ଥାପିତ ହୋଇଛି । ଉତ୍ତର ଆମେରିକାରେ ହିନ୍ଦୁମାନଙ୍କର ଧାର୍ମିକ ଏବଂ ସାଂସ୍କୃତିକ ପରିଚୟର ଏକ ନୂତନ ପ୍ରତୀକ ପାଲଟିଛି ପ୍ରଭୁ ଶ୍ରୀରାମଙ୍କ ପ୍ରତିମା । 




ଶ୍ରୀରାମଙ୍କ ପ୍ରତିମା ସ୍ଥାପନ କାନାଡାରେ ଥିବା ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ରବିବାର ଦିନ ଅଣ୍ଟାରିଓର ମିସିସାଗାରେ ଥିବା ହିନ୍ଦୁ ଐତିହ୍ୟ କେନ୍ଦ୍ରରେ ଏହି ପ୍ରତିମା ଉନ୍ମୋଚିତ ହୋଇଛି ।ପ୍ରତିମା ଫାଇବର ଗ୍ଲାସରେ ତିଆରି।  ଗ୍ରେଟର ଟୋରଣ୍ଟୋ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପ୍ରତୀକ ଭାବରେ ପ୍ରତିଷ୍ଠିତ ହୋଇଛି ଶ୍ରୀରାମଙ୍କ ପ୍ରତିମା । ଉଦଘାଟନୀ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ । 

କାନାଡା ମନ୍ତ୍ରୀ ରିଚି ଭାଲଡେଜ୍, ଟ୍ରେଜେରୀ ବୋର୍ଡ ସଭାପତି ଶଫକତ ଅଲି, ଆନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁ ପ୍ରମୁଖ ସାମିଲ ଥିଲେ। ହାଉସ ଅଫ୍ କମନ୍ସରେ ବିରୋଧୀ ଦଳ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। କାନାଡାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ, ଭକ୍ତମାନେ ପ୍ରଭୁଙ୍କ ଆଶିଷ କାମନା କରିଛନ୍ତି । ଶ୍ରୀରାମଙ୍କ ପ୍ରତିମୂର୍ତ୍ତୀ ସ୍ଥାପନକୁ  ନେଇ ସୋସିଆଲ ମିଡିଆରେ ମଧ୍ୟ ପ୍ରବଳ ଉତ୍ସାହ ।  ଲୋକେ ଲେଖିଛନ୍ତି, ଏହା କେବଳ ଏକ ପ୍ରତିମୂର୍ତ୍ତି ନୁହେଁ, ଏହା ବିଶ୍ୱାସ ଏବଂ ପରିଚୟର ପ୍ରତୀକ । ଏହି ପ୍ରତିମୂର୍ତ୍ତି କେବଳ ବିଶ୍ୱାସର ପ୍ରତୀକ ନୁହେଁ ବରଂ ଧୈର୍ଯ୍ୟ, ଶାନ୍ତି ଏବଂ ବଞ୍ଚିବାର ପ୍ରତୀକ।