କଟକ, ୧୪/୦୨: କଟକ ସ୍ଥିତ ମାଧ୍ୟମିକ ଶିକ୍ଷା  ପରିଷଦ(ବୋର୍ଡ)କାର୍ଯ୍ୟାଳୟରୁ ବୁଧବାର ଠାରୁ ନୋଡାଲ୍‌  ସେଣ୍ଟରକୁ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ପଠାଯିବା ପ୍ରକ୍ରିୟା  ଆରମ୍ଭ ହୋଇଛି । ବନ୍ଧୁକଧାରୀ ପୁଲିସ୍‌ ସହାୟତାରେ ବୋର୍ଡ କର୍ମଚାରୀମାନେ ପ୍ରଶ୍ନପତ୍ରଗୁଡ଼ିକୁ ନେଇ ନୋଡାଲ୍‌ ସେଣ୍ଟରରେ  ପହଞ୍ଚାଇବା ଲାଗି ବ୍ୟବସ୍ଥା ରହିଛି । ପ୍ରଶ୍ନପତ୍ର ଯିବା ଲାଗି ବୋର୍ଡ ପକ୍ଷରୁ ୪୪ ଟି ରୁଟ୍‌ କରାଯାଇଛି । ୬ଟି ରୁଟ୍‌ରେ ଯଥା କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାର ନୋଡାଲ୍‌ ସେଣ୍ଟର  ଅଭିମୁଖେ ପଠାଯାଇଥିଲା । 

ଗୁରୁବାର କୋରାପୁଟ, ମାଲକାନଗିର, ନବରଙ୍ଗପୁର ଜିଲ୍ଲାର ୧୦ ଟି ରୁଟ୍‌ରେ ପ୍ରଶ୍ନପତ୍ର ପଠାଯାଇଛି ।  ଆସନ୍ତା ୧୯ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩୧୪ ନୋଡାଲ୍‌  ସେଣ୍ଟରରେ ପ୍ରଶ୍ନପତ୍ର ସୁରକ୍ଷିତ ଅବସ୍ଥାରେ ପହଞ୍ଚିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । କଣ୍ଟେନର ଯୋଗେ ଯାଉଥିବା ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷାରେ ଯେପରି କୌଣସି ବିଭ୍ରାଟ  ନୁହୁଏ ସେଥିଲାଗି ବୋର୍ଡ କର୍ମଚାରୀମାନଙ୍କୁ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି। 

ମାଓ ଉପଦ୍ରୁତ ଇଲାକାରେ ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ରଖିବା  ପାଇଁ ୨୧ ଟି ଥାନା ଓ ଗୋଟିଏ ବିଟ୍‌ ହାଉସ୍‌କୁ ନୋଡାଲ୍‌ ସେଣ୍ଟର କରାଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାରେ ୭ ଟି  ଥାନା, କୋରାପୁଟରେ ୪ ଥାନା, ମାଲକାନଗିରିରେ ୧୦ଟି  ଥାନା ଓ ଲମତାପୁଟ ବିଟ୍‌ ହାଉସ୍‌ରେ ହୋଇଥିବା ନୋଡାଲ୍‌  ସେଣ୍ଟରରେ କଡ଼ା ସୁରକ୍ଷାରେ ପ୍ରଶ୍ନପତ୍ର ରଖିବା ବ୍ୟବସ୍ଥା  ରହିଛି । ବନ୍ଧୁକଧାରୀ ପୁଲିସ୍‌ ଥାନାରେ ୨୪ ଘଣ୍ଟିଆ ପ୍ରହରା  ଦେଇ ପ୍ରଶ୍ନପତ୍ରକୁ ଜଗି ରହିବେ । 

ସୂଚନା ଯୋଗ୍ୟ, ମାଟ୍ରିକ୍‌,  ଏସ୍‌ଓଏସ୍‌ସି, ମଧ୍ୟମା ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ  ରାଜ୍ୟରେ ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି । ପରୀକ୍ଷା ଦିନ ହିଁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷା  କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ । ପ୍ରଶ୍ନପତ୍ରଗୁଡ଼ିକ କଡ଼ା ସୁରକ୍ଷା  ବ୍ୟବସ୍ଥାରେ ଯାଇ ସକାଳ ୭ଟା ୩୦ ରେ ପହଞ୍ଚାଇବା ପାଇଁ  ସମୟ ଧାର୍ଯ୍ୟ ରହିଛି ।