ନୂଆଦିଲ୍ଲୀ ୦୭/୦୧: ମହାକାଶ ଯାତ୍ରା ଦ୍ୱାରା କ’ଣ ଶରୀର ଶୀଘ୍ର ବୁଢ଼ା ହୋଇଯାଏ। ଏଭଳି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରେ। ଏବେ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ମହାକାଶରେ ଶରୀରରେ ଶୀଘ୍ର ପରିବର୍ତ୍ତନ ପରିଲିକ୍ଷିତ ହୋଇଥାଏ। ଅବଶ୍ୟ ପୃଥିବୀପୃଷ୍ଠକୁ ଫେରିବା ପରେ ଏହାର ପ୍ରଭାବ ଆପେ ଆପେ ହ୍ରାସପାଏ। ଏହି ଗବେଷଣାର ନାଁ ‘ଆଷ୍ଟ୍ରୋନସ୍ସ ଆଜ୍ ଏ ହ୍ୟୁମାନ ଏଜିଂ ମଡେଲ’ ରଖାଯାଇଛି। ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ,ସ୍ୱଳ୍ପ ସମୟ ଲାଗି ମହାକାଶ ମିଶନକୁ ଯାଇଥିବା ମହାକାଶଚାରୀଙ୍କ ଶରୀରରେ ଏମିତି ପରିବର୍ତ୍ତନ ଦେଖାଯାଇଛି, ଯାହାକି ବୟସ ବୃଦ୍ଧି ସହିତ ଜଡିତ।
ମାଧ୍ୟାକର୍ଷଣର ଅଭାବ, ନିଦରେ ଅନିୟମିତତା ତଥା ଶାରୀରିକ ଚାପ ଯୋଗୁଁ ଶରୀର ଏକପ୍ରକାର ଷ୍ଟ୍ରେସ୍ ମୋଡ୍କୁ ଗତି କରେ। ଏହାର ଅର୍ଥ ଏହା ନୁହେଁ ଯେ ମହାକାଶଚାରୀ ସତରେ ବୁଢା ହୋଇଯାନ୍ତି। ଅବଶ୍ୟ ଏଭଳି ପରିବର୍ତ୍ତନ ଆସ୍ଥାୟୀ ହୋଇଥାଏ। ପରିବେଶ ବଦଳିବା ମାତ୍ରେ ହିଁ ଶରୀର ଏହାକୁ ସମ୍ଭାଳି ନିଏ। ସେହିପରି ଉକ୍ତ ଗବେଷଣାରେ ୪ଜଣ ମହାକାଶଚାରୀଙ୍କୁ ସାମିଲ କରାଯାଇଥିଲା। ଏହି ମହାକାଶଚାରୀମାନେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ୯ଦିନ ଅତିବାହିତ କରିଥିଲେ। ବୈଜ୍ଞାନିକମାନେ ସେମାନେ ମହାକାଶକୁ ଯିବା ପୂର୍ବରୁ, ମିଶନ ସମୟରେ ଏବଂ ପୃଥିବୀପୃଷ୍ଠକୁ ଫେରିବା ପରେ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହାଦ୍ୱାରା ବାସ୍ତବିକ ସମୟ ମଧ୍ୟରେ ଶରୀରରେ ହେଉଥିବା ପରିବର୍ତ୍ତନକୁ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା।
ଆହୁରି ପଢ଼ନ୍ତୁ...ଅଫିସ୍ରେ ତିଆରି ହେବ AI ଟିମ୍, ସାମ୍ ଅଲ୍ଟମ୍ୟାନଙ୍କ କମ୍ପାନୀ ଆଣିଲା 'OpenAI Frontier'
ଅନ୍ୟପଟେ ଏହି ଗବେଷଣାରେ ବୟସକୁ କ୍ୟାଲେଣ୍ଡର ଆଧାରରେ ନୁହେଁ, ବରଂ ଏପିଜେନେଟିକ୍ ଘଣ୍ଟା ଦ୍ୱାରା ମପାଗଲା। ଏହି ଘଣ୍ଟା ଡିଏନ୍ଏରେ ହେଉଥିବା ପରିବର୍ତ୍ତନ ଆଧାରରେ ଶରୀରର ଜୈବିକ ବୟସ ବାବଦରେ ଜଣାଏ। ଏହା ଚାପ ଏବଂ ପରିବେଶ ଯୋଗୁଁ ପ୍ରଭାବିତ ହୋଇପାରେ। ମହାକାଶରେ ରହିବା ସମୟରେ ଏହି ଘଣ୍ଟାରେ ଅସ୍ଥାୟୀ ବୃଦ୍ଧି ଦେଖିବାକୁ ମିଳିଲା। ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଏହା ପ୍ରତ୍ୟେକ ମହାକାଶଚାରୀଙ୍କଠାରେ ଅଲଗା ସ୍ତରରେ ଥିଲା। ସେହିପରି ପୃଥିବୀପୃଷ୍ଠକୁ ଫେରିବା ପରେ ଅଧିକାଂଶ ମହାକାଶଚାରୀଙ୍କ ଜୈବିକ ବୟସ ପୁଣି ଥରେ ପୂର୍ବ ଭଳି ହୋଇଯାଇଥିଲା।
ବୈଜ୍ଞାନିକଙ୍କ ମତରେ, ଏଥିରେ ଇମ୍ୟୁନୋ ସିଷ୍ଟମର ବଡ ଭୂମିକା ରହିଛି। ଯାହାକି ଶରୀରକୁ ଶୀଘ୍ର ଠିକ୍ ହେବାରେ ସାହାଯ୍ୟ କରେ। ତେବେ ବୈଜ୍ଞାନିକମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଗବେଷଣା ଏକଥା ପ୍ରମାଣିତ କରିନାହିଁ ଯେ ମହାକାଶ ଯାତ୍ରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବୟସ ଶୀଘ୍ର ବଢିଥାଏ। କାରଣ ଉକ୍ତ ମିଶନ ବେଶ୍ ସ୍ୱଳ୍ପ ସମୟ ପାଇଁ ଥିଲା ଓ ମହାକାଶଚାରୀଙ୍କ ସଂଖ୍ୟା ବି କମ୍ ଥିଲା। ତେଣୁ ଦୀର୍ଘକାଳୀନ ମହାକାଶ ଯାତ୍ରାରେ ଏହା ଅଲଗା ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହାବାଦ୍ ଏହି ଗବେଷଣା ଏକଥା ଦର୍ଶାଇଛି ଯେ, ମଣିଷ ଶରୀର କେତେ ଶୀଘ୍ର କଠିନ ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କରିଥାଏ। ଏହାସହିତ ବୟସ ବଢିବା କୌଣସି ଏକ ତରଫା ପ୍ରକ୍ରିୟା ନୁହେଁ। ପରିବେଶ ଏବଂ ପରିସ୍ଥିତି ବୟସ ବଢିବା ଗତିକୁ କମ୍ ଓ ବେଶି କରିପାରେ ବୋଲି ଉକ୍ତ ଗବେଷଣା ଏକପ୍ରକାର ସ୍ପଷ୍ଟ କରିଛି।