ପ୍ରାୟ ସମୟରେ ଲୋକମାନେ କଥା କଥାରେ କହିଥାନ୍ତି ପୁରୁଷ ଓ ମହିଳାଙ୍କ ମସ୍ତିଷ୍କ ଅଲଗା ହୋଇଥାଏ । ଏପରିକି କେହି କେହି ମହିଳାଙ୍କୁ ପୁରୁଷଙ୍କଠାରୁ ନ୍ୟୂନ ମଧ୍ୟ କହିଥାନ୍ତି, ଯଦିଓ ସତ ନୁହେଁ । ଜାଣନ୍ତି କି ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ମସ୍ତିଷ୍କରେ ଭିନ୍ନତା ରହିଛି ।

ଭୁବନେଶ୍ଵର : ବୈଜ୍ଞାନିକ ଦୃଷ୍ଟିକୋଣରୁ ପୁରୁଷ ଓ ମହିଳାଙ୍କ ମସ୍ତିଷ୍କର ସଂରଚନା ଓ ଆକାର ଅଲଗା ଅଲଗା ହୋଇଥାଏ। ମସ୍ତିଷ୍କରେ ଥିବା ଅନ୍ତର କାରଣରୁ କ୍ରମିକ ବିକାଶରେ ମଧ୍ୟ ପାର୍ଥକ୍ୟ ଦେଖାଯାଏ। ଏହାସହିତ ହର୍‌ମୋନ୍‌ ମଧ୍ୟ ସେମାନଙ୍କ ମସ୍ତିଷ୍କର ସଂରଚନା ଓ କାର୍ଯ୍ୟବିଧିରେ ସକ୍ରିୟ ଭୂମିକା ଗ୍ରହଣ କରିଥାଏ । ପୁରୁଷଙ୍କ ମସ୍ତିଷ୍କ ମହିଳାଙ୍କ ତୁଳନାରେ ୧୦ ପ୍ରତିଶତ ବଡ଼ ହୋଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ, ଯେ ପୁରୁଷ ଅଧିକ ଚତୁର କିମ୍ବା ସ୍ମାର୍ଟ।

ଭାଷା ଶୈଳୀରେ ମହିଳାମାନେ ଆଗୁଆ। ପୁରୁଷଙ୍କଠାରେ ଭାଷାଜନିତ ଅଂଶ ମସ୍ତିଷ୍କର ବାମପଟ ହେମିସ୍ପିଅର୍‌ରେ ରହିଥାଏ । କିନ୍ତୁ ମହିଳାଙ୍କର ଡାହାଣ ଓ ବାମ ଉଭୟପଟେ ଭାଷା ଶିଖିବା ଓ ବ୍ୟବହାର କରିବା ପାଇଁ ମେସିନ୍‌ ରହିଥାଏ । ଭାଷା ମାମଲାରେ ପୁରୁଷଙ୍କ ମସ୍ତିଷ୍କର କେବଳ ଗୋଟିଏ ଅଂଶ ସକ୍ରିୟ ରହୁଥିବା ବେଳେ ମହିଳାମାନଙ୍କର ଉଭୟ ଭାଗ ସକ୍ରିୟ ରହିଥାଏ । ମହିଳାଙ୍କ ଭାଷାର ପରିପକ୍ୱତା ପୁରୁଷଙ୍କଠାରୁ ୬ ବର୍ଷ ଆଗୁଆ। ସେମାନେ ବାକ୍‌ଚାତୁର୍ଯ୍ୟ ଓ ବାର୍ତ୍ତାଳାପ ଶୈଳୀ ବେଶ୍‌ ଜାଣିଥାନ୍ତି। କେତେବେଳେ କାହାକୁ କେମିତି ଓ କଣ କହିବା ଉଚିତ୍‌, ସେମାନେ ତାହା ଠିକ୍‌ ଭାବେ ଜାଣିଥାନ୍ତି । 

ସେହିପରି ଗଣିତ ଜ୍ଞାନରେ ପୁରୁଷ ଆଗରେ। ହିସାବ-ନିକାଶରେ ପୁରୁଷ ଆଗରେ ରହିଥାନ୍ତି। ଗଣିତ ଓ ଜ୍ୟାମିତି କ୍ଷେତ୍ରରେ ପୁରୁଷଙ୍କ ମସ୍ତିଷ୍କ ୪ ବର୍ଷ ଆଗୁଆ ପରିପକ୍ୱ। ପୁରୁଷଙ୍କ ମସ୍ତିଷ୍କର ଏହି ଅଂଶ ମହିଳାଙ୍କ ତୁଳନାରେ ବଡ଼ ହୋଇଥାଏ । କିଛି ବୈଜ୍ଞାନିକଙ୍କ ମତରେ ଗଣିତ ଦକ୍ଷତାରେ ପୁରୁଷ ଓ ମହିଳାଙ୍କ ଭିତରେ ସେତେଟା ଫର୍‌କ ନଥାଏ । ସାମାଜିକ କାରଣରୁ ଝିଅମାନଙ୍କ ଭିତରେ ପଢାକୁ ନେଇ କମ୍‌ ଆଗ୍ରହ ରହିଥାଏ । ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଓ କୋଚିଂ ମିଳି ନଥାଏ । 

ମହିଳାମାନେ ଅଧିକ ସମ୍ବେଦନଶୀଳ ହୋଇଥାଆନ୍ତି। କୌଣସି ଯନ୍ତ୍ରଣା ପାଇଁ ଅଧିକ ପେନ୍‌କିଲର୍‌ ଆବଶ୍ୟକ କରନ୍ତି । ଯନ୍ତ୍ରଣା ହେବା ମାତ୍ରେ ସେମାନଙ୍କ ମସ୍ତିଷ୍କର ଆମେଗଡାଲା ଅଂଶ ସକ୍ରିୟ ହୋଇଯାଏ। ଯନ୍ତ୍ରଣା ହେବା ସମୟରେ ସେମାନଙ୍କର ବାମପଟେ ଆମେଗଡାଲା ସକ୍ରିୟ ହେଉଥିବା ବେଳେ ପୁରୁଷଙ୍କର ଡାହାଣପଟ ସକ୍ରିୟ ହୋଇଥାଏ । ତେବେ ସ୍ମରଣ ଶକ୍ତି କ୍ଷେତ୍ରରେ ଉଭୟ ସମାନ। ମହିଳାମାନେ ନକାରାତ୍ମକ ଭାବନା ସହ ବେଶୀ ଯୋଡ଼ି ହୋଇଥାନ୍ତି। ଏମାନଙ୍କର ସର୍ଟ ଟର୍ମ ବା ୱାର୍କିଂ ମେମୋରୀ ପୁରୁଷଙ୍କ ତୁଳନାରେ ଅଧିକ ରହିଥାଏ । କେତେକ କ୍ଷେତ୍ରରେ ପୁରୁଷଙ୍କର ସର୍ଟ ଟର୍ମ ମେମୋରୀ ମଧ୍ୟ ଭଲ ରହିଥାଏ । ରାସ୍ତା ଭୁଲିଗଲେ ପୁରୁଷମାନେ ଖୋଜାଖୋଜି ଠିକ୍‌ ଜାଗାରେ ପହଞ୍ଚି ଯାଆନ୍ତି । କିନ୍ତୁ ମହିଳାମାନେ ହଜିଗଲେ ରାସ୍ତା ପାଇନଥାନ୍ତି । ସେହିପରି କୌଣସି ଘଟଣାକୁ ମନେ ରଖିବାରେ ମହିଳାମାନେ ବେଶ୍‌ ଆଗରେ। ସେଥିପାଇଁ ପୁରୁଷମାନେ ଜନ୍ମଦିନ, ବିବାହ ବାର୍ଷିକୀ ଆଦି ଭୁଲିଯାଇଥାନ୍ତି। 

ଭାବପ୍ରବଣତାରେ ମହିଳା ଆଗରେ। ସେମାନଙ୍କ ମସ୍ତିଷ୍କରେ ଡିପ୍‌ ଲିମ୍ବିକ୍‌ ସିଷ୍ଟମ୍‌ ବଡ଼ ହୋଇଥାଏ । ସେମାନେ ପିଲାର ଖୁବ୍‌ ଭଲ ଲାଳନପାଳନ କରିବା ସହ ଲୋକମାନଙ୍କ ସହ ମିଳାମିଶା କରିପାରିଥାନ୍ତି । ପୁରୁଷମାନେ ଏହି କ୍ଷେତ୍ରରେ ପଛୁଆ । ତେଣୁ ମହିଳାମାନେ ଅଧିକ ଅବସାଦର ଶିକାର ହୋଇଥାନ୍ତି । ବିଶେଷକରି ପିରିୟଡ୍ସ, ସନ୍ତାନ ଜନ୍ମ ଓ ମେନୋପଜ୍‌ ପରି ଅନେକ ହର୍‌ମୋନାଲ୍‌ ଉତ୍ଥାନ-ପତ୍ତନ ଯୋଗୁ ଚିନ୍ତା, ଅବସାଦ ଓ ଆଙ୍ଗ୍‌ଜାଇଟିର ଶିକାର ହୋଇଥାନ୍ତି। ତଥାପି ସେମାନେ ସାମାଜିକ ହେଉ ଅବା ପାରିବାରିକ କ୍ଷେତ୍ରରେ ଖୁବ୍‌ କମ୍‌ ସମୟ ଭିତରେ ନିଜକୁ ଖାପଖୁଆଇ ନିଅନ୍ତି।