ଝୁମ୍ପୁରା, ୨୦/୧୧ : ପେଟ ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିଲେ ଜନଜାତିମାନେ । ପାଠ ପଢୁଥିଲେ ସତ ହେଲେ ଛୋଟ ବ୍ୟବସାୟୀ କିମ୍ବା ଲଘୁ ଉଦ୍ୟୋଗୀ ଟିଏ ହେବା ପାଇଁ ବାଟ ପାଉନଥିଲେ । ମୂଲମଜୁରି ଏବଂ ଛେଳି ଗୋରୁ ଚରାଇବା ପନ୍ଥା ଆପଣାଇ ନେଉଥିଲେ । ଏପରିସ୍ଥଳେ ଜନଜାତିଙ୍କୁ ସାହା ହେଲା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ । କୃଷିକ୍ଷେତ୍ର ହେଉ କି ଛୋଟ ବ୍ୟବସାୟ ଅଥବା ଉଘୁ ଉଦ୍ୟୋଗ ବିହନ ଏବଂ ଆର୍ଥିକ ସହାୟତା ବଳରେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ଗ୍ରାମାଞ୍ଚଳର ଜନଜାତି ପୁରୁଷ ଏବଂ ମହିଳା । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସହାୟତାରେ ତଥା ଚମ୍ପୁଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସହଯୋଗରେ କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକର ମଲଦା ଅଞ୍ଚଳରେ ବର୍ତ୍ତମାନ ୧୦ ରୁ ଅଧିକ ଜନଜାତି ବ୍ୟବସାୟୀ ଏବଂ ଉଦ୍ୟୋଗୀ ସଫଳତାର ପାହାଚ ଚଢୁଛନ୍ତି । କୃଷିକ୍ଷେତ୍ରକୁ ଆପଣେଇ ଉଦାହରଣ ସାଜିଛନ୍ତି ମଲଦା ପଞ୍ଚାୟତ କାଳିଆପାଳ ଡ୍ୟାମ୍‌ ସାହିର ସୋନୁ ନାଏକଙ୍କ ସ୍ତ୍ରୀ ସୁକାନ୍ତି ନାଏକ । 

ସୁକାନ୍ତି ୮୦ ଗ୍ରାମ୍‌ ମଞ୍ଜିରୁ ଚାରା ପ୍ରସ୍ତୁତ କରି ୬୦ ଡେସିମିଲ ଜମିରେ ଲଙ୍କା ଚାଷ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ କ୍ୱିଣ୍ଟାଲ ଲଙ୍କା ବିକି ଲକ୍ଷାଧିକ ଟଙ୍କା ରୋଜଗାର କଲେଣି । ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଲଙ୍କା ଫଳିବ ବୋଲି ସୁକାନ୍ତି କହିଥିବାବେଳେ ଉକ୍ତ ଜମିରୁ ଆହୁରି ୩ କ୍ୱିଣ୍ଟାଲ ଲଙ୍କା ଅମଳ ଲକ୍ଷ୍ୟ ରଖିଛନ୍ତି ।  ସ୍ୱାମୀ, ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ନେଇ ସୁକାନ୍ତିଙ୍କ ପରିବାର । ପୂର୍ବରୁ ସେମାନେ ମୂଲ ମଜୁରି କରିବା ସହିତ କ୍ଷୁଦ୍ର ଚାଷ କରି ଜୀବିକା ନିର୍ବାହ କରୁଥିଲେ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ପକ୍ଷରୁ ଲଙ୍କା ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ସଂସ୍ଥା ପକ୍ଷରୁ ମଞ୍ଜି, ସାର ଏବଂ କୀଟନାଶକ ଆଦି ଯୋଗାଇ ଦିଆଯାଇଥିବାବେଳେ ୮୦ ଗ୍ରାମ୍‌ ମଞ୍ଜିରୁ ଚାରା ପ୍ରସ୍ତୁତ କରି ୬୦ ଡେସିମିଲ୍‌ ଜମିରେ ଅଗଷ୍ଟ ମାସରେ ଲଙ୍କା ଚାଷ ଆରମ୍ଭ କରିଥିଲେ ସୁକାନ୍ତି । ଶ୍ରମିକ ଏବଂ ଅନ୍ୟାନ୍ୟ ବାବଦକୁ ୯ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ସେପ୍ଟେମ୍ବର ମାସରେ ଲଙ୍କା ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ରତି ୨ ଦିନରେ ଥରେ ୫୦ ରୁ ୬୦ କିଲୋଗ୍ରାମ ଲଙ୍କା ତୋଳି ଝୁମ୍ପୁରା ଠାରୁ ଆରମ୍ଭ କରି ବିଲେଇପଦା ଆଦି ସାପ୍ତାହିକ ହାଟ ଗୁଡିକରେ ବିକ୍ରି କରୁଛନ୍ତି । ଏହାବ୍ୟତୀତ ସପ୍ତାହକୁ ୨ ଥର ବାହାର ବେପାରୀ ଆସି ମଧ୍ୟ ଲଙ୍କା କିଣି ନେଉଛନ୍ତି । ଲଙ୍କା କିଲୋପ୍ରତି ୧୦୦ ଟଙ୍କାରୁ ୧୨୦ ଟଙ୍କା ବିକ୍ରି କରି ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ କ୍ୱିଣ୍ଟାଲ ଲଙ୍କାରୁ ଲକ୍ଷାଧିକ ଟଙ୍କା ରୋଜଗାର କରିସାରିଥିବା ପ୍ରକାଶ କରିଛଚନ୍ତି ସୁକାନ୍ତି । 

ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ଲଙ୍କା ଫଳିବ ବୋଲି ସୁକାନ୍ତି କହିଥିବାବେଳେ ଉକ୍ତ ଜମିରୁ ଆହୁରି ପାଖାପାଖି ୩ କ୍ୱିଣ୍ଟାଲ ଲଙ୍କା ବିକିବେ ବୋଲି କହିଛନ୍ତି । ଖାଲି ସୁକାନ୍ତି ନୁହଁନ୍ତି ବର୍ତ୍ତମାନ ତାଙ୍କ ଏସଏଚଜି ଗ୍ରୁପର ୧୦ ଜଣ ଏହିପରି ଭାବେ ଚାଷ କରି ବେଶ୍‌ ଦ୍ୱିପଇସା ରୋଜଗାର କରୁଛନ୍ତି । ଲଙ୍କା ବ୍ୟତୀତ କଲରା, ରୁମାଛୁଇଁ, ବିଟ, ବାଇଗଣ ଆଦି ଅନେକ ପ୍ରକାରର ପନି ପରିବା ଚାଷ କରି ପରିବାର ପ୍ରତିପୋଷଣ କରିବା ସହିତ ପିଲା ଛୁଆଙ୍କୁ ପାଠ ପଢାଇପାରୁଥିବା କହିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କୃଷି ବିଶେଷଜ୍ଞ ବିଶ୍ୱଜିତ ସାହୁ ।  ଅନ୍ୟପକ୍ଷରେ ଏହି ଯୋଜନା ମାଧ୍ୟମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳର ଶିକ୍ଷିତ ଜନଜାତି ଯୁବକ,ଯୁବତୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବାବେଳେ ଛୋଟ ବ୍ୟବସାୟ ଏବଂ ଲଘୁ ଉଦ୍ୟୋଗ ଆରମ୍ଭ କରି ସ୍ୱାବଲମ୍ବୀ ହେଉଥିବା ଦେଖିବାକୁ ମିଳିଛି । ଜନଜାତି ଯୁବକ,ଯୁବତୀମାନେ କମ୍ପ୍ୟୁଟର ଓ ଅନଲାଇନ ସର୍ଭିସ,କୁକୁଡା ଚାଷ,ଖଲିପତ୍ର ପ୍ରସ୍ତୁତି ମେସିନ,ଧାନ କଳ,ପାୱାର ଟେଲର,ତେଜରାତି ଦୋକାନ ଆଦି ଏକାଧିକ ବ୍ୟବସାୟ କରି ମାସକୁ ୧୫ ରୁ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ମଲଦା ପଞ୍ଚାୟତ ଅଞ୍ଚଳର ପ୍ରଶାନ୍ତ କୁମାର ନାଏକ, ବୁଧୁରାମ ମୁଣ୍ଡା, ସଞ୍ଜୟ ମୁଣ୍ଡା, ପ୍ରବୀଣ କୁମାର ନାଏକ, ଧର୍ମରାଜ ନାଏକ, ଅଜୟ କୁମାର ନାଏକ, କନକ ମୁଣ୍ଡା, ନିରଞ୍ଜନ ନାଏକ, ଆଲୋକ ମୁଣ୍ଡା, ଶ୍ରୀଧର ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ଜନଜାତି ଜୀମିକା ମିଶନ ଯୋଜନାରେ ସଫଳ ବ୍ୟବସାୟ ଆରମ୍ଭ କରିପାରିଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ବିଷୟବସ୍ତୁ ବିଶେଷଜ୍ଞ ସନ୍ତୋଷ କୁମାର ପ୍ରଧାନ କହିଛନ୍ତି ।