ଫିରିଙ୍ଗିଆ,୧୨/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଂଚାୟତ ଅନ୍ତର୍ଗତ ୮ନମ୍ବର ୱାର୍ଡ଼ ଅଧୀନରେ ଥିବା ଜାମୁ ପଖାଳ ଦନ୍ଧିମାହା ଶଙ୍ଖ ଏବେ ବିପଦ ସଂକୁଳ ଅବସ୍ଥାରେ । ୪୦ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଶଙ୍ଖ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ । ଶଙ୍ଖ ତଳେ ଲୁହା ଛଡ଼ ସବୁ ସମ୍ପୂର୍ଣ୍ଣ ଦେଖାଯିବା ସହିତ ଓହଳିକି ରହିଛି । କେତେବେଳେ ଯେ, ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିବ କହି ହେବ ନାହିଁ । ଶଙ୍ଖର ଏଭଳି ଅବସ୍ଥା ଯୋଗୁଁ ସ୍ଥାନୀୟ ଲୋକେ ଶଙ୍ଖ ଉପର ଦେଇ ଯାତାୟାତ କରିବାକୁ ଭୟ କରୁଛନ୍ତି ।

ଅନ୍ୟପକ୍ଷେ ଶଙ୍ଖର ଏଭଳି ଅବସ୍ଥା ହେବା ପରେ ଶଙ୍ଖ ଉପରେ ଯାନବାହାନ ଚଳାଚଳ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି । ତେଣୁ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରୁଛନ୍ତି । ପ୍ରକାଶ ଯେ, ବନ୍ଧଗଡ଼ ପଂଚାୟତର ଜାମୁ ପଖାଳ, ମଡିଆ ସାହି, ଦନ୍ଧିମାହା, ପିକରଡ଼ି ଓ ବୈଷ୍ଣବପୁର ଗ୍ରାମର ଜନସାଧାରଣ ପାଖାପାଖି ୫୦ ପରିବାର ସର୍ବଦା ଏହି ଶଙ୍ଖ ଉପରେ ନିର୍ଭର କରିଥାନ୍ତି। ଉପରୋକ୍ତ ଗ୍ରାମର ଜନସାଧାରଣ ପଂଚାୟତ କିମ୍ବା ବ୍ଲକକୁ ଯିବାକୁ ହେଲେ ଏହି ଶଙ୍ଖ ଉପର ଦେଇ ଯିବାକୁ ପଡିଥାଏ। ହେଲେ ଶଙ୍ଖ ଭୁଶୁଡିବା ଅବସ୍ଥାରେ ରହିଥିବାରୁ ଏସବୁ ଗ୍ରାମ ଗୁଡିକୁ ଆମ୍ବୁଲାନ୍ସ ମଧ୍ୟ ଯାଉନଥିବା ଅଭିଯୋଗ ହେଉଛି। ଶଙ୍ଖର ପୁନଃନିର୍ମାଣ ପାଇଁ ବ୍ଲକ ପ୍ରଶାସନକୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ଜଣେଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣ ଗୋଚର କରୁନଥିବା ଅଭିଯୋଗ ହେଉଛି । ଅଂଚଳବାସୀଙ୍କ ଗମନାଗମନର ସୁବିଧା ଦୃଷ୍ଟିରୁ ଶଙ୍ଖର ପୁନଃ ନିର୍ମାଣ କରିବା ନିହାତି ଜରୁରୀ ହୋଇପଡ଼ିଛି । ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଟକରା କହଁର ,ବିସ୍କେ ପ୍ରଧାନ ,ପୁରନ୍ଦର ପ୍ରଧାନ ,ବିରଞ୍ଚି ପ୍ରଧାନ , କୈଳାଶ କହଁର, ଦେବରାଜ କହଁର ଦାବୀ କରିଛନ୍ତି ।