ଭୁବନେଶ୍ୱର,୨୮/୧୨: ଫ୍ରେଣ୍ଡ୍ସ ଅଫ୍ ଟ୍ରାଇବାଲ୍ସ ସୋସାଇଟି ଏବଂ ଶ୍ରୀହରି ସତ୍ସଙ୍ଗ ସମିତି ଭୁବନେଶ୍ୱରଙ୍କ ସଂଯୁକ୍ତ ଆୟୋଜନରେ ଶ୍ରୀରାମ ମନ୍ଦିରରୁ ରାଷ୍ଟ୍ର ନିର୍ମାଣ ବିଷୟରେ ଏକ ଭବ୍ୟ ଗାରିମାମୟ ଏବଂ ପ୍ରେରଣାଦାୟକ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତି ସନାତନ ମୂଲ୍ୟବୋଧ ଓ ରାଷ୍ଟ୍ରଭାବନାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି। ଏହି ଗରିମାମୟ ଅବସରରେ ପରମ ପୂଜ୍ୟ ସ୍ୱାମୀ ଗୋବିନ୍ଦଦେବ ଗିରିଜୀ ମହାରାଜଙ୍କ ପାବନ ସାନ୍ନିଧ୍ୟ ଓ ପ୍ରେରଣାଦାୟକ ଉଦ୍ବୋଧନ ପ୍ରାପ୍ତ ହୋଇଥିଲା। ସ୍ୱାମୀଜୀ ଶ୍ରୀରାମ ଜନ୍ମଭୂମି ତୀର୍ଥ ନ୍ୟାସ ଅଯୋଧ୍ୟାର ଟ୍ରଷ୍ଟି ଓ କୋଷାଧ୍ୟକ୍ଷ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ମଥୁରାର ଉପାଧ୍ୟକ୍ଷ ଅଟନ୍ତି। ସେ ସନାତନ ଧର୍ମର ଏକ ପ୍ରତିଷ୍ଠିତ ସନ୍ଥ, ଓଜସ୍ୱୀ ବକ୍ତା ଓ ସାଂସ୍କୃତିକ ମାର୍ଗଦର୍ଶକ ଭାବେ ଦେଶ ବିଦେଶରେ ସୁପରିଚିତ। ତାଙ୍କର ଚିନ୍ତାଧାରା ଓ ମାର୍ଗଦର୍ଶନ ସମାଜରେ ସଂସ୍କାର, ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଭାବନାକୁ ସୁଦୃଢ଼ କରେ।
ଏହି କାର୍ଯ୍ୟକ୍ରମ ରବିବାର ୨୮ ଡିସେମ୍ବର ୨୦୨୫ ତାରିଖରେ ସନ୍ଧ୍ୟା ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ’’ଆଇଏମଏମଟି ଅଡିଟୋରିୟମ ପରିସରରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଫ୍ରେଣ୍ଡ୍ସ ଅଫ୍ ଟ୍ରାଇବାଲ୍ସ ସୋସାଇଟି ଶ୍ରୀହରି ସତ୍ସଙ୍ଗ ସମିତି ଏବଂ ଗୀତା ପରିବାର ଓଡ଼ିଶାର ପଦାଧିକାରୀ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଅଜୟ ଅଗ୍ରୱାଲ ଜୀ ସ୍ୱାମୀଜୀଙ୍କ ପରିଚୟ ପ୍ରସ୍ତୁତ କରିଥିଲେ ଏବଂ ରାମ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ। ସେ ଆଗାମୀ ଦିନରେ ଭୁବନେଶ୍ୱରରେ ସ୍ୱାମୀଜୀଙ୍କ ମାର୍ଗଦର୍ଶନ ପାଇଁ ଅନୁରୋଧ କରିଥିଲେ, ଯାହାକୁ ସ୍ୱାମୀଜୀ ସହର୍ଷ ସ୍ୱୀକାର କରିଥିଲେ। ଆୟୋଜକମାନେ କହିଥିଲେ ଯେ ଶ୍ରୀରାମ ମନ୍ଦିରରୁ ରାଷ୍ଟ୍ର ନିର୍ମାଣ କେବଳ ଏକ ବିଷୟ ନୁହେଁ ବରଂ ଭାରତୀୟ ସମାଜକୁ ଏକ ସୂତ୍ରରେ ବାନ୍ଧିବାର ଏକ ଚିନ୍ତାଧାରା, ଯାହା ସାଂସ୍କୃତିକ ଚେତନା ସାମାଜିକ ସମରସତା ଓ ଜାତୀୟ ଏକତାକୁ ସୁଦୃଢ଼ କରେ। କାର୍ଯ୍ୟକ୍ରମରେ ସନ୍ଥମାନଙ୍କ ସହିତ ବୁଦ୍ଧିଜୀବୀମାନେ, ସାମାଜିକ କର୍ମୀ, ଯୁବବର୍ଗ ଓ ସାଧାରଣ ନାଗରିକମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ ଥିଲା।