କଟକ,୦୩/୦୨: ଦୀର୍ଘ ଦିନ ତାଲା ପଡ଼ି ରହିଥିବା ଗଡ଼ଖାଇ ପାଶ୍ୱର୍ରେ ସୁନ୍ଦର ହେରିଟେଜ୍‌ ବିଲ୍‌ଡିଂ ବା ପର୍ଯ୍ୟଟକ ବ୍ୟାଖ୍ୟାନ କେନ୍ଦ୍ରକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପ୍ରାୟ ୧ କୋଟି ୭୨ଲକ୍ଷ ଟଙ୍କା ଖର୍ଚ୍ଚରେ ଏହାର ରୂପରେଖ ବଦଳାଯିବ । ବିଶେଷକରି ଏହି ବିଲ୍‌ଡିଂ ଭିତରେ ପର୍ଯ୍ୟଟକଙ୍କ ପାଇଁ ଯାହା ଜରୁରୀ ସେସବୁ ଉପାଦାନକୁ ଖଞ୍ଜି ଦିଆଯିବ । ବାରବାଟୀ ଦୁର୍ଗ ଓ ଏହାର ଐତିହ୍ୟ ସମ୍ପର୍କରେ ଧାରଣା ପାଇବେ ପର୍ଯ୍ୟଟକ । ଅଡିଓ ଭିଜୁଆଲ୍‌ ସ୍କ୍ରିନିଂ ସହିତ ବାରବାଟୀ ଦୁର୍ଗ ପରିସରର ଖନନ ସମୟରେ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ କରାଯିବା ପରେ ବାରବାଟୀ ଦୁର୍ଗର ପ୍ରତିକୃତି ଆକର୍ଷଣୀୟ ହେବ ।

 ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ବିଲ୍‌ଡିଂ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ନର୍ମାଣ କରାଯାଇ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଏଏସ୍‌ଆଇ କାମରେ ଲଗାଇପାରୁନି । ଯାହାଫଳରେ ଏହି ବ୍ୟାଖ୍ୟାନ କେନ୍ଦ୍ର ଏବେ ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଏଏସ୍‌ଆଇକୁ ହସ୍ତାନ୍ତର କରାଯିବାର ଦେଢବର୍ଷ ବିତିଥିବା ବେଳେ ଏହାର ଉପଯୁକ୍ତ ବ୍ୟବହାର ହୋଇନପାରିବାରେ ଅସନ୍ତୋଷ ଦେଖାଯାଉଛି । ୧୫ବର୍ଷ ତଳେ ଗଡ଼ଖାଇ ଓ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ପାଇଁ ୨୨ କୋଟିର ପ୍ରକଳ୍ପ ଘୋଷଣା କରାଯାଇଥିଲା । ଦୁଇବର୍ଷ ଅର୍ଥାତ୍‌ ୨୦୧୨ ସୁଦ୍ଧା ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏଏସ୍‌ଆଇର ଆପତ୍ତି ଯୋଗୁଁ କାମ ଅନେକ ଥର ପ୍ରଭାବିତ ହୋଇଥିଲା । ଏମିତିକି ଗଡ଼ଖାଇର ସୁରକ୍ଷା ପାଇଁ ପଥର ପ୍ୟାକିଂ କରାଯାଇଥିବା ବେଳେ ଦୁର୍ଗ ପାଶ୍ୱର୍ରେ ବ୍ୟାଖ୍ୟାନ କେନ୍ଦ୍ର ହେବ ବୋଲି ଘୋଷଣା କରାଯାଇଥିଲା । 

ଏହି ବ୍ୟାଖ୍ୟାନ କେନ୍ଦ୍ରରେ ପର୍ଯ୍ୟଟକ ଆସି ଉପଭୋଗ କରିପାରିବେ । ଅର୍ଥାତ୍‌ ଏଠାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ବ୍ୟବସ୍ଥା କରାଯିବ । ତା’ସହିତ କାଫେଟେରିଆ, ପାର୍କ, ପିଲାଙ୍କ ପାଇଁ ମନୋରଞ୍ଜନ ଆଦି ବ୍ୟବସ୍ଥା ରହିବ । ବିଳମ୍ବରେ ହେଉ ପଛେ ଏହି ବ୍ୟାଖ୍ୟାନ କେନ୍ଦ୍ରର କାମ ଶେଷ ହୋଇସାରିଛି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ତରଫରୁ ୫ କୋଟି ଟଙ୍କା ଖର୍ଚ୍ଚରେ ଏହି ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଛି । ଏଥିରେ କ୍ଲୋଜ୍‌ଆଇ ଲାଟେରାଇଟ୍‌ ପଥର ବ୍ୟବହାର କରାଯାଇଛି, ଯାହା ସାଧାରଣ ମାଙ୍କଡ଼ା ପଥରର ତିନିଗୁଣା ମୂଲ୍ୟ । ବାରବାଟୀ ଦୁର୍ଗ ଖନନ ସମୟରେ ବାହାରିଥିବା ବିଭିନ୍ନ ଐତିହ୍ୟ ସାମଗ୍ରୀକୁ ଏଠାରେ ସ୍ଥାନ ଦିଆଯିବା ନେଇ ଯୋଜନା ହୋଇଥିଲା । ଏବେ ଏହି ଯୋଜନାରେ ରାଜ୍ୟ ସରକାର ଆଗେଇଛନ୍ତି । ସାମଗ୍ରୀ ଗୁଡିକର ଐତିହାସିକ ମୂଲ୍ୟକୁ ଅଡିଓ-ଭିଜୁଆଲ୍‌ ବ୍ୟବସ୍ଥା କରାଯିବ । 

ସ୍କ୍ରିନ୍‌ରେ ଲୋକେ ବାରବାଟୀ ଦୁର୍ଗର ଭିଜୁଆଲ୍‌ ଦେଖିବେ ଏବଂ ଅଡ଼ିଓ ଶୁଣିପାରିବେ । ଏହାଦ୍ୱାରା ପର୍ଯ୍ୟଟକମାନେ ବାରବାଟୀ ଦୁର୍ଗର ଇତିହାସ ବାବଦରେ ସହଜରେ ଜାଣିପାରିବେ । ସେହିପରି ବାରବାଟୀ ଦୁର୍ଗର ଏକ ପ୍ରତିକୃତିକୁ ଏଠାରେ ସ୍ଥାନିତ କରାଯିବ । ଦୁର୍ଗ ଖନନ ସମୟରେ ବାହାରିଥିବା ଉପାଦାନ ସହିତ ବାରବାଟୀ ଦୁର୍ଗ ଓ ତତ୍କାଳୀନ ସମୟର ଓଡ଼ିଶାର ସ୍ଥିତି ବାବଦରେ ଫଟୋଚିତ୍ର ପ୍ରଦର୍ଶୀତ ମଧ୍ୟ କରାଯିବାକୁ ଯୋଜନା ରହିଛି । ଏ ସବୁ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ୧୧ ମାସ ମଧ୍ୟରେ କାର୍ଯ୍ୟ ସରିବ ବୋଲି ଜଣାପଡିଛି ।