ରିପୋର୍ଟ- ଜଗନ୍ନାଥ ରାଉତ
ସାମୂହିକ ସ୍ୱାର୍ଥ ପଛରେ ଲୁଚି ରହିଥିଲା ବ୍ୟକ୍ତିଗତ ସ୍ୱାର୍ଥ, ଅଭିସନ୍ଧି । କିଏ ଚର୍ଚ୍ଚାରେ ରହିବାକୁ ତ ଆଉ କିଏ ଶୁଣାଶୁଣିରେ ଦାଏର କରିଥିଲେ ମାମଲା । କିଏ ଯଥେଷ୍ଟ ତଥ୍ୟ ସହ ଆସିନଥିଲେ ତ ଆଉ କିଏ ମାମଲା କରିବା ପୂର୍ବରୁ ସ୍ଥିତି ସଂପର୍କରେ ଅବଗତ ନଥିଲେ କି ସଂପୂର୍ଣ୍ଣ ପ୍ରସ୍ତୁତ ନଥିଲେ। କିନ୍ତୁ ସମସ୍ତେ ଜନସ୍ୱାର୍ଥ ମାମଲା ନାଁରେ ହାଇକୋର୍ଟରେ ଗୋଟେ ଲେଖାଁ ମାମଲା ରୁଜୁ କରି ଦେଇଥିଲେ । ଏସବୁ ଅଧାପନ୍ତରିଆ, ଅର୍ଦ୍ଧସତ୍ୟ, ଅସମ୍ପୂର୍ଣ୍ଣ ତଥ୍ୟକୁ ନେଇ ରୁଜୁ ମାମଲା କିନ୍ତୁ ହାଇକୋର୍ଟଙ୍କ ନଜରକୁ ଏଡ଼ାଇ ଦେଇ ଯାଇପାରିନଥିଲା । ଚଳିତ ବର୍ଷ ଏହିଭଳି ଅନେକ ମାମଲା ନେଇ ହାଇକୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ହାଇକୋର୍ଟ ଏସବୁ ମାମଲାକୁ କେବଳ ଖାରଜ କରିନଥିଲେ ବରଂ ଆବେଦନକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ଜରିମାନା ମଧ୍ୟ ଲାଗୁ କରିଥିଲେ । ଏମିତି ତଥାକଥିତ ଏକ ଜନସ୍ୱାର୍ଥ ମାମଲାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଆବେଦନକାରୀଙ୍କ ଆଭିମୁଖ୍ୟକୁ ମଧ୍ୟ ତୀବ୍ର ଭର୍ତ୍ସନା କରିଥିଲେ । ହାଇକୋର୍ଟ କହିଥିଲେ ‘ଏଭଳି ମକଦ୍ଦମା ଦ୍ୱାରା କେବଳ ମାମଲା ତାଲିକା ବୃଦ୍ଧି ହେଉଛି । ନିଜ ଅଧିକାର ତଥା ସ୍ୱାର୍ଥର ସୁରକ୍ଷା ପାଇଁ କିଛି ଲୋକ ଜନସ୍ୱାର୍ଥ ମାମଲା ବ୍ୟବସ୍ଥାର ତଥା ଏହି ଆଇନର ଅପବ୍ୟବହାର କରୁଛନ୍ତି । ବାସ୍ତବରେ ଜଣେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଏହି ଆଇନ ଜରିଆରେ ସମ୍ବିଧାନ ସୁରକ୍ଷା ଦେବା ଲାଗି ବ୍ୟବସ୍ଥା କରିଛି । ତେଣୁ ଏହିଭଳି ମାମଲାରୁ କ୍ଷାନ୍ତ ହେବାକୁ ଅଦାଲତ ଆବେଦନକାରୀଙ୍କୁ ଚେତାବନୀ ଦେଇଥିଲେ’ ।
-୨୦୨୫ରେ ଅନେକ ବ୍ୟକ୍ତିଗତ ଅଭିସନ୍ଧି ତଥା ସ୍ୱାର୍ଥ ସମ୍ବଳିତ ‘ଜଣସ୍ୱାର୍ଥ’ ମାମଲା ଅଦାଲତଙ୍କ ନଜରରେ ଧରାପଡ଼ିଯାଇଥିଲା । ଏଭଳି ମାମଲା ବିରୋଧରେ ଅଦାଲତ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଚଳିତବର୍ଷର ଏକ ଚର୍ଚ୍ଚିତ ପ୍ରସଙ୍ଗ ଥିଲା । ସେହିପରି ଚଳିତବର୍ଷ ଅନେକ ଜନସ୍ୱାର୍ଥ ଓ ଅନ୍ୟ ମାମଲାରେ ହାଇକୋର୍ଟ ଆବେଦନକାରୀଙ୍କ ଉପରେ ଜରିମାନା ଲାଗୁ କରିବା ଅଦାଲତଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା ।
ଜନସ୍ୱାର୍ଥ ନୁହେଁ ‘ଜଣସ୍ୱାର୍ଥ’
ଜଣେ ସରକାରୀ ଅଧିକାରୀଙ୍କ ଦ୍ୱାରା ନିଜ ସ୍ୱାର୍ଥ ପୂରଣ କରିପାରିଲେନି ଆବେଦନକାରୀ । ଫଳରେ ସଂପୃକ୍ତ ଅଧିକାରୀଙ୍କୁ ହଇରାଣ କରିବା ଲାଗି ତାଙ୍କ ବିରୋଧରେ ମିଥ୍ୟା ଜନସ୍ୱାର୍ଥ ମାମଲା ରୁଜୁ କଲେ । ହେଲେ ଏହା ହାଇକୋର୍ଟଙ୍କ ନଜରରେ ଧରାପଡ଼ିଗଲା । ତଥ୍ୟ ଲୁଚାଇବା, ଅଯଥାରେ ଜଣେ ଅଧିକାରୀଙ୍କୁ ହଇରାଣ ପାଇଁ ଜନସ୍ୱାର୍ଥ ମାମଲା କରିଥିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ଏଥିପାଇଁ ହାଇକୋର୍ଟ ଆବେଦନକାରୀଙ୍କ ଉପରେ ୨ଲକ୍ଷ ଟଙ୍କାର ଜରିମାନା କରିଥିଲେ । ଅନୁଗୁଳ ଜିଲ୍ଲାର ଜଣେ ସରପଞ୍ଚ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କଲେ । ଯେଉଁ ତଥ୍ୟ ସୂଚନା ଅଧିକାର ଆଇନରେ ମିଳିପାରିବ ସେହି ସୂଚନା ପାଇଁ ଆବେଦନକାରିଣୀ ଏହି ଜନସ୍ୱାର୍ଥ ମାମଲାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ଜଣେ ମହକିଲ ସୂଚନା ସଂଗ୍ରହ କାର୍ଯ୍ୟରେ ହାଇକୋର୍ଟଙ୍କୁ ବ୍ୟବହାର କରିବା ଲାଗି ଅନୁମତି ଦିଆଯାଇ ପାରିବନାହିଁ ବୋଲି ଖଣ୍ଡପୀଠ କହିବା ସହ ଏଭଳି ଜନସ୍ୱାର୍ଥ ମାମଲା ମୂଳ ବ୍ୟବସ୍ଥାର ଅପବ୍ୟବହାର କରୁଛି ବୋଲି ମତ ରଖିଥିଲେ । ବାଲେଶ୍ୱର ଜିଲ୍ଲାର କିଛି ଆବେଦନକାରୀ ହାଇକୋର୍ଟ ଆସି ଏକ ଗମ୍ଭୀର ଅଭିଯୋଗ କରିଥିଲେ । ସେମାନେ ଜନସ୍ୱାର୍ଥ ମାମଲାରେ ଦର୍ଶାଇଥିଲେ ଯେ, ଗ୍ରାମର ଥିବା ଗୋଚର ଜମିକୁ ସରକାର ସ୍କୁଲ୍ ନିର୍ମାଣ କରିଛନ୍ତି । ଗୋରୁ ଚରିବା ପାଇଁ ଆଉ ଜାଗା ନାହିଁ । କିନ୍ତୁ ବାସ୍ତବରେ ଗାଁରେ ଆହୁରି ୧୫ ଏକର ଗୋଚର ଜମିଥିଲା । ଫଳରେ ଏହା ଏକ ଉଦ୍ଦେଶ୍ୟମୂଳକ ଜନସ୍ୱାର୍ଥ ମାମଲା ହୋଇଥିବାରୁ ହାଇକୋର୍ଟ ପିଟିସନ୍ ଖାରଜ କରିବା ସହ ୨୦ ହଜାର ଟଙ୍କା ଜରିମାନା ଲାଗୁ କରିଥିଲେ । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭାରତୀ ପାହାଡ଼ ସଂରକ୍ଷିତ ବନାଞ୍ଚଳ ଭିତରେ ଅବୈଧ ଭାବେ ବ୍ଲାଷ୍ଟିଂ, ପଥର ଚୋରି ଏବଂ ଅନଧିକୃତ ଭାବେ ଖନନ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରକୃତ ତଥ୍ୟ ଲୁଚାଯାଇଥିବା ଓ ଆବେଦନକାରୀ ମୂଳ ଘଟଣାକୁ ବାଟବଣା କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ମାମଲା ଦାଏର କରିଥିବା ଜଣାପଡ଼ିବା ପରେ ହାଇକୋର୍ଟ ଖାରଜ କରିଦେଇଥିଲେ । ତେବେ ଉଦାହରଣ ଭାବେ ନିଆଯାଇଥିବା କେବଳ ଏହି ମାମଲାସବୁ ନୁହେଁ ଆହୁରି ଅନେକ ମାମଲାରେ ହାଇକୋର୍ଟ ଆବେଦନକାରୀମାନଙ୍କ ଉଦ୍ଦେଶ୍ୟ ଓ ଜନସ୍ୱାର୍ଥ ମାମଲାର ଅପବ୍ୟବହାରକୁ ରୋକିବାକୁ ଚେଷ୍ଟା କରି ଉଦାହରଣୀୟ ରାୟ ଦେଇଛନ୍ତି।
ଅଦାଲତରେ ନେତା : କିଛି ଆଶ୍ୱସ୍ତ, କିଛି ବିବ୍ରତ
୨୦୨୪ ବିଧାନସଭା ନିର୍ବାଚନ ପରେ ପ୍ରାୟ ୩୦ଟି ନିର୍ବାଚନ ମାମଲା ହାଇକୋର୍ଟକୁ ଆସିଥିଲା । ଏହାକୁ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଥିଲା । ଏଥିରୁ କେତେକ ମାମଲାରେ କିଛି ସାଂସଦ ଏବଂ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଥିଲାବେଳେ ଆଉ କିଛି ନେତାଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଯାହା କି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଏକ ବଡ଼ ନୈତିକ ବିଜୟ ବୋଲି କୁହାଯାଉଛି । ସେହିପରି ମାମଲା ଖାରଜ କାରଣରୁ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଥିଲା । ଏଥିସହ ରାଜନଗର ବିଧାୟକ ଧ୍ରୁବ ସାହୁ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବିରୋଧରେ ରୁଜୁ ମାମଲା ଶୁଣାଣି ପୂର୍ବରୁ ଖାରଜ ହୋଇ ଯାଇଥିଲା । ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଉଭୟଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲା ରଦ୍ଦ ପାଇଁ ପ୍ରାର୍ଥନା କରାଯାଇଥିଲା । କିନ୍ତୁ ସେମାନଙ୍କ ଅନ୍ତରୀଣ ପିଟିସନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ଅପରପକ୍ଷରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଅନ୍ୟ କେତେଜଣ ବିଧାୟକଙ୍କ ବିରୋଧରେ ଅନ୍ତରୀଣ ପିଟିସନ ଉପରେ ଶୁଣାଣି ଚାଲିଛି ।
କୁକୁର ପାଇଁ ମାମଲା : ଶାଶୂଙ୍କ ଉପରେ ଜରିମାନା
ଚଳିତବର୍ଷ ଏକ ବିଚିତ୍ର ମାମଲା ଆସିଥିଲା ହାଇକୋର୍ଟକୁ । ପାରିବାରିକ ହିଂସା ତଥା ଯୌତୁକ ନିର୍ଯାତନା ମାମଲାରେ ବୋହୂ ତାଙ୍କ ଶାଶୂଘରୁ ଯୌତୁକ ସାମଗ୍ରୀ ସହ ନେଇଯାଇଥିଲେ କୁକୁର । ଏହି କୁକୁରକୁ ଫେରି ପାଇବା ପାଇଁ ଶାଶୂ ଆସିଥିଲେ ହାଇକୋର୍ଟ । ଏଭଳି ମାମଲାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ଏଭଳି ଏକ ମାମଲା ଦ୍ୱାରା ଅଦାଲତଙ୍କ ଅଯଥା ସମୟ ନଷ୍ଟ କରିଥିବାରୁ ହାଇକୋର୍ଟ ଆବେଦନକାରିଣୀ ଶାଶୂଙ୍କ ଉପରେ ୧ହଜାର ଟଙ୍କାର ଜରିମାନା କରିଛନ୍ତି । ଏହି ଜରିମାନା ଅର୍ଥକୁ ହାଇକୋର୍ଟ ବାର୍ ଆସୋସିଏସନ୍ କଲ୍ୟାଣ ପାଣ୍ଠିରେ ଜମା କରିବା ଲାଗି ଅଦାଲତ ଆବେଦନକାରିଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାରଙ୍ଗ ଅଞ୍ଚଳରେ ଏକ ଯୌତୁକ ନିର୍ଯାତନା ମାମଲାରେ ବୋହୂ କଟକ ମହିଳା ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୁଲିସ୍ ଯୌତୁକ ମାମଲା ରୁଜୁ କରିବା ସହ ଯୌତୁକରେ ବୋହୂ ଆଣିଥିବା ସମସ୍ତ ସାମଗ୍ରୀ ଶାଶୂଘରୁ ଜବତ କରିଥିଲା । ଏହି ଜବତ ସମୟରେ ଶାଶୂଘରୁ ପୁଲିସ୍ ଏକ କୁକୁରକୁ ମଧ୍ୟ ନେଇ ଯାଇଥିଲା । ଏହି କୁକୁରକୁ ଫେରାଇ ଆଣିବା ଲାଗି ଆବେଦନକାରିଣୀଙ୍କ ପରିବାର ଲୋକେ ପୁଲିସ୍କୁ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ୍ ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଶାଶୂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଭଳି ମାମଲା ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା।
ଛାତ୍ରଙ୍କୁ ସୁଧୁରିବାକୁ ସୁଯୋଗ
କଲେଜର ଜଣେ ସାଙ୍ଗକୁ ଡାକି ଅନ୍ୟ ସାଙ୍ଗ ଛାତ୍ରମାନେ ଧମକଚମକ ଦେବାସହ ଗାଳିମନ୍ଦ କରିବା ଘଟଣାରେ ହାଇକୋର୍ଟ ଏହି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ରୁଜୁ ମାମଲାକୁ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଛାତ୍ରମାନେ ଭବିଷ୍ୟତରେ ଯେମିତି ଏଭଳି କାଣ୍ଡ ଆଉ କରିବେ ନାହିଁ ଓ ଉଚିତ୍ ରାସ୍ତାକୁ ଆସିବେ ସେଥିଲାଗି ହାଇକୋର୍ଟ କେତେକ ପରାମର୍ଶ ଦେଇଥିଲେ । ଅଭିଯୁକ୍ତ ଛାତ୍ରମାନଙ୍କୁ ଜେଲ୍ ଜୀବନ ବିଷୟରେ ଅବଗତ କରିବା ଲାଗି ସେମାନଙ୍କୁ ଚୌଦ୍ୱାର ଜେଲ୍ ପରିଦର୍ଶନ କରିବାକୁ କହିଥିଲେ । ଜେଲ୍ର ସ୍ୱଚ୍ଛତା କିପରି ରହିଛି ଏବଂ ସେଥିରେ କିପରି ସୁଧାର ଆସିପାରିବ ଏନେଇ ପ୍ରସ୍ତାବ ଦେବାକୁ ଏହି ଛାତ୍ରମାନଙ୍କୁ କୁହାଯାଇଥିଲା । ଏହି ପ୍ରସ୍ତାବ ସେମାନେ ଜେଲ୍ ଅଧୀକ୍ଷକଙ୍କ ନିକଟରେ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ଭିନ୍ନ ଏକ ଉଦହାରଣ ସୃଷ୍ଟି କରିଥିଲା ।
ସାରଥିଙ୍କ ଖୁସି କମ୍, ଦୁଃଖ ବେଶୀ
ସାରଥି ବାବା ଓରଫ ସନ୍ତୋଷ ରାଉଳ କେନ୍ଦ୍ରାପଡ଼ା ଯାଇପାରିବେ³ କିନ୍ତୁ ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ । ପୁଣି ଦୁଇ ମାସରେ ଥରେ ମାତ୍ର ଗୋଟିଏ ଦିନ ପାଇଁ ସେ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ପାରିବେ ହେଲେ ଦିନର ୧୨ ଘଣ୍ଟା ପାଇଁ । ରାତିରେ ରହଣି ମନା । ସଂଧ୍ୟା ସାଢ଼େ ୫ଟା ବେଳକୁ ତାଙ୍କୁ କେନ୍ଦ୍ରାପଡ଼ା ଛାଡ଼ିବାକୁ ପଡ଼ିବ । ସେହିପରି ଅଧିକ ଲୋକଙ୍କୁ ନେଇ ପ୍ରବଚନ ସେ ଦେଇପାରିବେ ନାହିଁ । ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ସନ୍ତୋଷ ରାଉଳଙ୍କୁ ଖୁସି ଅପେକ୍ଷା ବେଶୀ ଦୁଃଖ ଦେଇଥିଲା । ସେହିପରି ଦୀର୍ଘବର୍ଷ ପରେ କଟକ ଏସ୍ସି, ଏସ୍ଟି ଅଦାଲତ ମଧ୍ୟ ସାରଥି, ପୁଅ ସତ୍ୟମ୍ ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି । ଏହା ସାରଥିଙ୍କ ପାଇଁ ଏକ ଝଟକା ।
ଶିକ୍ଷିତା ପତ୍ନୀ ବସି ରହି ଭରଣପୋଷଣ ଦାବି କରିପାରିବେ ନାହିଁ
ଚାକିରି ଆଶାୟୀ ଥିବା ବା କୌଣସି କ୍ଷେତ୍ରରେ ଅଭିଜ୍ଞତା ବହନ କରୁଥିବା ଶିକ୍ଷିତା ପତ୍ନୀ ଭରଣପୋଷଣ ଦାବି କରିବା ନିମନ୍ତେ ନିଷ୍କ୍ରିୟ ବା ଅଳସୁଆ ହୋଇ ବସି ଭରଣପୋଷଣ ବାବଦରେ ଅର୍ଥ ଦାବି କରିପାରିବେ ନାହିଁ ବୋଲି ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାରେ କହିଥିଲେ । ରାଉରକେଲା ପରିବାର ଅଦାଲତ ଏହି ମାମଲାରେ ପତ୍ନୀଙ୍କୁ ମାସିକ ଭରଣପୋଷଣ ଲାଗି ୮ହଜାର ଟଙ୍କା ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶିକ୍ଷିତ ପତ୍ନୀଙ୍କ ଏଭଳି ମାନସିକତାକୁ ହାଇକୋର୍ଟ ନାପସନ୍ଦ କରିବା ସହ ଭରଣପୋଷଣ ପରିମାଣ ମାସକୁ ୫ହଜାର ଟଙ୍କାକୁ ହ୍ରାସ କରିଦେଇଥିଲେ । ତେବେ ଅନ୍ୟ ଏକ ମାମଲାରେ ହାଇକୋର୍ଟ ଭରଣପୋଷଣ ଦେବା ସ୍ୱାମୀର କର୍ତ୍ତବ୍ୟ ବୋଲି ବି କହିଛନ୍ତି । ସ୍ୱାମୀର ନୈତିକ ଦାୟିତ୍ୱ ହେଉଛି ପତ୍ନୀଙ୍କ ଭରଣପୋଷଣ କରିବା । କ୍ଷମତା ଏବଂ ସାମର୍ଥ୍ୟ ଅନୁସାରେ ସ୍ୱାମୀ ପତ୍ନୀଙ୍କୁ ଭରଣପୋଷଣ ଦେବା ଏକ କର୍ତ୍ତବ୍ୟ ବୋଲି ଓଡ଼ିଶା ହାଇକୋର୍ଟ ମତ ରଖିଛନ୍ତି ।