ପୁରୀ/ନୟାଗଡ଼, ୩୦/୧୨ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ୨୦୨୬ର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଦାରୁଦିଅଁଙ୍କ ରଥତ୍ରୟ ନିର୍ମାଣ ପାଇଁ ଆବଶ୍ୟକ କାଠ ଚୟନ ପାଇଁ ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରତିନିଧି ଦଳ ନୟାଗଡ଼ ଯାତ୍ରା କରିଛନ୍ତି । ସାଙ୍ଗରେ ଶ୍ରୀବିଗ୍ରହଙ୍କ ଲାଗି ଖଣ୍ଡୁଆ ଓ ପତନି, ମାଳ, ମାହାର୍ଦ୍ଦ, ଶ୍ରୀଫଳ, ଦୀପ ଧୂପ ଆଦି ପୂଜା ସାମଗ୍ରୀ ନେଇଛନ୍ତି। ପରମ୍ପରା ଅନୁସାରେ ମଙ୍ଗଳବାର ବଡ଼ମୂଳସ୍ଥିତ ମା’ ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ । ଠାକୁରାଣୀଙ୍କ କୃପା ଲାଭ କରି ରଥ କାଠ ଚିହ୍ନଟ ଅନୁକୂଳ ହେବ । ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରଥ କାଠ ବଡ଼ଦାଣ୍ଡ ରଥ ଖଳାରେ ପହଞ୍ଚିଲେ ମହା ରଥଖଳାରେ ରଥ କାଠ ଅନୁକୂଳ ପୂଜା ହେବ ।
ସୋମବାର ଅପରାହ୍ଣ ୩ଟାରେ ଶ୍ରୀମନ୍ଦିର ପ୍ରଶାସନର ଭାରପ୍ରାପ୍ତ ଅଧିକାରୀ (ନୀତି) ରବୀନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ସହକାରୀ ପ୍ରଶାସକ ପ୍ରଭୁପିୟୁଷ ମହାପାତ୍ର, କୋଷାଧ୍ୟକ୍ଷ ଭାରପ୍ରାପ୍ତ ବରିଷ୍ଠ ତତ୍ତ୍ୱାବଧାରକ ଚିତ୍ତରଞ୍ଜନ ମହାପାତ୍ର, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ପ୍ରମୁଖ ନୟାଗଡ଼ ଯାଇଛନ୍ତି । ନୟାଗଡ଼ ଡିଭିଜନ୍ ଶୁଖିଲା କାଠ ଓ ଖୋର୍ଦ୍ଧା ଡିଭିଜନ କଞ୍ଚା କାଠ ଯୋଗାଇବାର ପରମ୍ପରା ରହିଛି । ରଥକୋଡ଼୍ ଅନୁସାରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ଏଥିସହ ୧୦୦ ଖଣ୍ଡ କଞ୍ଚା କାଠ ଦରକାର ।
୨୦୨୫ ମସିହାରୁ ୪୭ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ଥିବାରେ ଆସନ୍ତା ରଥ ଯାତ୍ରା ପାଇଁ ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି । ସେଥିରୁ ବଡ଼ଦାଣ୍ଡ ରଥଖଳାକୁ ୪୧୬ କାଠ ଓ ଚିରଟ ପାଇଁ କରତ କଳକୁ ୪୦୨ ଖଣ୍ଡ ଯିବ । ଏଥିରେ ଅସନ, ଧଉରା, ଫାସି ଓ ଶିମିଳି ଆଦି କାଠ ରହିଛି । ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଚକ, ଦଣ୍ଡା, ଅଖ, ଗୟଳ, ଗରଗରା ଆଦି ରଥାଂଶ ପାଇଁ ଉପଯୁକ୍ତ କାଠ ପଠାଇବାକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ଜାନୁୟାରୀ ୨୩ ତାରିଖ ଶୁକ୍ରବାର ଶ୍ରୀପଞ୍ଚମୀ ତଥା ସରସ୍ୱତୀ ପୂଜାରେ ଶ୍ରୀଜିଉଙ୍କ ରଥ ଯାତ୍ରା ୨୦୨୬ ପାଇଁ ରଥ କାଠ ଅନୁକୂଳ ପୂଜା ହେବ।
ଏହି ଖବରଟିକୁ ପଢନ୍ତୁ- କୋଣାର୍କରେ ଆଜି ମାଗଣା ପ୍ରବେଶ, ଶାମ୍ବ ଦଶମୀ ପାଇଁ ଏଣ୍ଟ୍ରି ଫି ଛାଡ଼