କୋଣାର୍କ, ୨୫।୧: ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ କାରାଭାନ ସେବା । ରବିବାର ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିର ସମ୍ମୁଖ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହାକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ବିକାଶ ଇକୋ ରିସର୍ଟ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହଭାଗିତାରେ ଏହି ସେବା ଅର୍କକ୍ଷେତ୍ର କୋଣାର୍କରୁ ଶୁଭାରମ୍ଭ ହୋଇଛି ।

ପ୍ରଥମ ଦିନରେ ୧୩ ଜଣ ପର୍ଯ୍ୟଟକ କାରାଭାନ ବସ୍ ବୁକିଂ କରି କୋଣାର୍କରୁ ସାତକୋଶିଆ ଓ ଦେବ୍ରିଗଡ଼ ଯାତ୍ରା କରିଛନ୍ତି । କାରାଭାନ ପର୍ଯ୍ୟଟନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ । ଏହା ନୂଆ ସମ୍ଭାବନାର ପର୍ଯ୍ୟଟନ ଆଣିଦେବ । ପର୍ଯ୍ୟଟକମାନଙ୍କ ପାଇଁ ବସ୍ ଭିତରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବିକାଶ ଗୃପର ନିର୍ଦ୍ଦେଶକ ଭି ଶ୍ରୀନିବାସ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ,କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।