ରାୟଗଡ଼ା, ୫।୧: ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିଲେ । ବିଳମ୍ବରେ ଆସିବାରୁ ଅଭିଯୋଗ ଶୁଣାଣି ଶିବିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି । ଯାହା ପରେ ପ୍ରଶାସନିକ ମହଲରେ ହଲଚଲ ସୃଷ୍ଟି କରିଛି । ଜିଲ୍ଲାପାଳ ବାରଣ କରିବାରୁ ଅଧିକାରୀଙ୍କ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଦରମହକୁମାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା । ନିର୍ଦ୍ଧାରିତ ସମୟ ଦିନ ୧୦ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ୍ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚିନଥିଲେ । କିଏ ୨୦ ମିନିଟ୍ ତ ଆଉ କିଏ ଅଧ ଘଣ୍ଟା ବିଳମ୍ବରେ ପ୍ରକୋଷ୍ଠ ଭିତରେ ପ୍ରବେଶ ପାଇଁ ଆସିଥିଲେ ।
ଏହା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏପରିକି ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡ଼ାଯାଇନଥିଲା । ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତ, ଜିଲ୍ଲା ଉପନିବନ୍ଧକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୀନତି ଦେଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ରାୟଗଡ଼ା ବିଡିଓ ସୁଜିତ୍ କୁମାର ମିଶ୍ର, ବନ ବିଭାଗ ଏସିଏଫ୍, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ ଅନ୍ୟ କିଛି ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯାଇନଥିଲା । ମୋଟ୍ ୧୨ ଜଣ ଅଧିକାରୀ ଅଭିଯୋଗ ଶୁଣାଣି ଶିବିର ବାହାରେ ରହିଥିଲେ । ଏହି ଅପ୍ରୀତିକର ପରିସ୍ଥିତିରେ ପଡ଼ିଯାଇଥିବା ଯୋଗୁଁ ଅଧିକାରୀମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ୍ ସେଲ୍ ରେ ବସି ରହିଥିଲେ । ଲୋକଙ୍କ ଅଭିଯୋଗକୁ ସରକାର ପ୍ରାଥମିକତା ଦେଉ ନଥିବା ଏବଂ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଜିଲ୍ଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି ।
ଅଭିଯୋଗ ଶୁଣାଣି ୧ ଘଣ୍ଟାରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ତେବେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପରେ ସରକାରୀ କର୍ମଚାରୀ ମହଲରେ ଛାନିଆ ପଶିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବହୁ ଅଭିଯୋଗକାରୀ ସମର୍ଥନ କରିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ସେହି ଅଧିକାରୀଙ୍କ ବିରୋଧରେ ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।