କଟକ, ୨୬।୮ : କଟକର ପ୍ରସିଦ୍ଧ ଦହିବରା ଦୋକାନୀ ତଥା "କିଙ୍ଗ ଅଫ୍ ଦହିବରା ଆଳୁଦମ୍" ରଘୁ ମଉସାଙ୍କ ଏକାଦଶାହ ମଙ୍ଗଳବାର ପାଳନ କରାଯାଇଛି। ଏହି ଅବସରରେ କଟକ ଦହିବରା ବ୍ୟବସାୟୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। 

କଟକ ବିଡାନାସୀ ଅଞ୍ଚଳର ପ୍ରସିଦ୍ଧ ଲୋକପ୍ରିୟ ଦହିବରା ବ୍ୟବସାୟୀ ସ୍ୱର୍ଗତ ରଘୁନାଥ ସାସମଲଙ୍କ ଦେହାନ୍ତକୁ ଏଗାର ଦିନ ବିତିବାକୁ ବସିଥିବା ବେଳେ ତାଙ୍କୁ ଝୁରି ହେଉଛନ୍ତି ସହରବାସୀ ତଥା ଦହିବରା ପ୍ରେମୀ। ରଘୁ ମଉସାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ମଙ୍ଗଳବାର ବିଡାନାସୀ ଅଞ୍ଚଳର ସମସ୍ତ ଦହିବରା ବ୍ୟବସାୟୀ ନିଜ ନିଜ ବ୍ୟବସାୟ ବନ୍ଦ୍ ରଖିଛନ୍ତି। ଏକାଠି ହୋଇ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଛନ୍ତି। ସମସ୍ତ ବ୍ୟବସାୟୀ ଏବଂ ଦହିବରା ପ୍ରେମୀଙ୍କ ପାଇଁ ରଘୁ ମଉସାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ।