ଭୁବନେଶ୍ଵର, ୩୦/୦୭ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଅଜବ ଘଟଣା। ଗର୍ଭାଶୟ ପରିବର୍ତ୍ତେ ଯକୃତରେ ବଢୁଛି ଭ୍ରୂଣ। ୩୦ ବର୍ଷୀୟା ମହିଳାଙ୍କ ଏମଆରଆଇ ସ୍କାନ୍ ଦେଖି ଡାକ୍ତର ଚକିତ। ମହିଳା ଜଣଙ୍କ ୧୨ ସପ୍ତାହର ଗର୍ଭବତୀ ହୋଇଥିବା ବେଳେ ତାଙ୍କର ଭ୍ରୂଣ ଯକୃତରେ ରହିଛି । ଏହି ବିରଳ ସ୍ଥିତିକୁ ଇଣ୍ଟ୍ରାହେପାଟିକ୍‌ ଏକ୍‌ଟୋପିକ୍‌ ପ୍ରେଗ୍‌ନେନ୍ସି କୁହାଯାଏ । ମାମଲା କେବଳ ଦମ୍ପତିଙ୍କୁ ନୁହେଁ, ଚିକିତ୍ସା ଜଗତକୁ ଚକିତ କରିଛି । ଭାରତରେ ଏହା ପ୍ରଥମ ମାମଲା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମହିଳାଙ୍କ ଏମ୍‌ଆର୍‌ଆଇ ଆବ୍‌ଡୋମେନ୍‌ ଟେଷ୍ଟ୍‌ରୁ ଏହି ବିରଳ ଘଟଣା ବିଷୟରେ ଜଣାପଡ଼ିଛି। 

ମୀରଟ ସ୍ଥିତ ଏକ ଘରୋଇ ଇମେଜିଙ୍ଗ୍‌ ସେଣ୍ଟର୍‌ର ରେଡିଓଲୋଜିଷ୍ଟ୍‌ ଡା. କେକେ ଗୁପ୍ତା କହିଛନ୍ତି, ଏହି ସ୍କାନ୍‌ ଦେଖି, ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ଭ୍ରୂଣ ମହିଳାଙ୍କ ଯକୃତର ଡାହାଣ ପାର୍ଶ୍ୱରେ ରହିଥିଲା । ତା’ର ହୃତ୍‌ସ୍ପନ୍ଦନ ସ୍ପଷ୍ଟ ଜଣାପଡୁଥିଲା । କ୍ୟାରିଅର୍‌ରେ ଏଭଳି ମାମଲା ମୁଁ କଦାପି ଦେଖିନଥିଲି । ଏହା ବୋଧହୁଏ ଭାରତର ପ୍ରଥମ ଇଣ୍ଟ୍ରାହେପାଟିକ୍‌ ଏକ୍ଟୋପିକ୍‌ ଗର୍ଭଧାରଣ ମାମଲା ।’ 

ସୂଚନାନୁଯାୟୀ, ଉକ୍ତ ମହିଳାଙ୍କର କିଛି ସପ୍ତାହ ଧରି ପେଟ ଯନ୍ତ୍ରଣା ଓ ବାନ୍ତି ହେବା ପରେ ତାଙ୍କୁ ଏମ୍‌ଆର୍‌ଆଇ କରିବାକୁ ଡାକ୍ତର କହିଥିଲେ। ଏମ୍‌ଆର୍‌ଆଇ ସ୍କାନ୍‌ରୁ ଭ୍ରୂଣ ମହିଳାଙ୍କ ଯକୃତର ପାରେନ୍‌କାଇମାଲ ଟିସ୍ୟୁରେ ଗଭୀରକୁ ଫିସିଥିବା ଦେଖାଗଲା । ଯକୃତର ରକ୍ତ ବାହିକା ତାକୁ ପୋଷକତତ୍ତ୍ୱ ପ୍ରଦାନ କରୁଥିଲେ । ଭ୍ରୂଣ ହାରାହାରି ୧୨ ସପ୍ତାହର ଜଣାପଡ଼ିଲା । ହୃତ୍‌ସ୍ପନ୍ଦନରୁ ତାହା ଜୀବିତ ଥିବା ସ୍ପଷ୍ଟ ହେଲା । ଏହି ସ୍ଥିତିରେ ମହିଳାଙ୍କ ଗର୍ଭାଶୟ ସମ୍ପୂର୍ଣ୍ଣ ଶୂନ୍ୟ ଥିଲା । ଏଥିରୁ ସ୍ପଷ୍ଟ ହେଲା ସେ ଗର୍ଭଧାରଣ ସିଧାସଳଖ ହେପାଟିକ୍‌ ଟିସ୍ୟୁରେ ହୋଇଥିଲା । ଏହି ଘଟଣା ଭାରତରେ କେବେ ଶୁଣାଯାଇ ନଥିଲା । ଏହା ଅତ୍ୟନ୍ତ ବିରଳ ଓ ବିପଦପୂର୍ଣ୍ଣ ଗର୍ଭାବସ୍ଥା ବୋଲି ଡା. ଗୁପ୍ତା କହିଛନ୍ତି ।