ମୁମ୍ୱାଇ,୦୩/୦୫: ଚଳିତ ବର୍ଷ ଥିଏଟରକୁ ଆସିପାରେ ବହୁଦିନ ଧରି ଅଟକି ରହିଥିବା ଫିଲ୍ମ ‘ସନା’ । ଦୀର୍ଘ ବର୍ଷ ତଳେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ପ୍ରଥମେ ପ୍ରିମିୟର ହୋଇଥିବା ଏହି ଫିଲ୍ମର ରିଲିଜ୍‌ ବିଳମ୍ବ ସମ୍ପର୍କରେ ନିର୍ଦ୍ଦେଶକ ସୁଧାଂଶୁ ସାରିୟା ଗଣମାଧ୍ୟମକୁ ଜଣାଇଛନ୍ତି । ଫିଲ୍ମକୁ ଦର୍ଶକଙ୍କ ପାଖରେ ଠିକ୍‌ ମାର୍ଗରେ ପହଞ୍ଚାଇବା ପାଇଁ ନିର୍ମାତା ଠିକ୍‌ ସମୟକୁ ପ୍ରାଧାନ୍ୟ ଦେଇଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାଧିକା ମଦାନ ।

ଆହୁରି ପଢନ୍ତୁ- ଲୁଚି ଲୁଚି ରାସ୍ତାରେ କାନ୍ଦୁଥିଲେ, ବିସ୍କୁଟ ଖାଇ ଦିନ କାଟୁଥିଲେ…୧୦ ବର୍ଷ ପର୍ଯ୍ୟନ୍ତ ନିଜକୁ ଅନ୍‌ଲକି ମାନୁଥିଲେ ନୱାଜୁଦ୍ଦିନ

ସିନେ ମହତ୍ସୋବରେ ପ୍ରଶଂସା ସାଉଁଟିବା ପରେ ବି ଥିଏଟରରେ ଫିଲ୍ମର ରିଲିଜ୍‌ ପାଇଁ ସେ ଅପେକ୍ଷା କରି ରହିଛନ୍ତି । ନିର୍ଦ୍ଦେଶକ ସୁଧାଂଶୁ କହନ୍ତି, ଫିଲ୍ମ ରିଲିଜ୍‌ ପାଇଁ ସେ ଆଦୌ ତରବର ନୁହନ୍ତି, ବରଂ ଠିକ୍‌ ସମୟ ଓ ପ୍ଲାଟ୍‌ଫର୍ମ ଚାହାନ୍ତି । ତାଙ୍କ ଅନୁସାରେ, ‘ସନା’ ଭଳି ଫିଲ୍ମର ରିଲିଜ୍‌ ପୂର୍ବରୁ ଯୋଜନା ଆବଶ୍ୟକ । ଏହାକୁ ଏକ କମର୍ସିଆଲ ପ୍ରୋଜେକ୍ଟ ଭାବେ ନୁହେଁ, ବରଂ ଉଚିତ୍‌ ଦର୍ଶକଙ୍କ ପାଖରେ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ । ଏକାଧିକ ଅନ୍ତର୍ଜାତୀୟ ସିନେ ମହୋତ୍ସବରେ ‘ସନା’ ପ୍ରଦର୍ଶିତ ହୋଇଛି ଏବଂ ନିଜର କାହାଣୀ ଓ ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଛି । ମାନସିକ ସ୍ୱାସ୍ଥ୍ୟ ସହ ସଂଘର୍ଷ କରୁଥିବା ଓ ବ୍ୟକ୍ତିଗତ ଆହ୍ୱାନ ମଧ୍ୟଦେଇ ଗତି କରୁଥିବା ଜଣେ ଯୁବତୀ ଉପରେ ‘ସନା’ର କାହାଣୀ ପର୍ଯ୍ୟବସିତ । ଫିଲ୍ମରେ ରାଧିକାଙ୍କ ପ୍ରଦର୍ଶନ ସିନେ ମହୋତ୍ସବରେ ସବୁରି ଧ୍ୟାନ ଆକର୍ଷଣ କରିଥିଲା ।