ନୂଆଦିଲ୍ଲୀ: ହଲିଉଡ୍‌ ଫିଲ୍ମ ‘ଗ୍ରାଭିଟି’ ୨୦୧୩ରେ ରିଲିଜ ହୋଇଥିଲା ଏବଂ ୭ଟି ଓସ୍କାର ପୁରସ୍କାର ଜିତିଥିଲା । ଏହି ଚଳଚ୍ଚିତ୍ରର କାହାଣୀ ମହାକାଶଚାରୀଙ୍କ ପ୍ରତି ମହାକାଶ ଆବର୍ଜନାର ବିପଦ ଉପରେ ଆଧାରିତ ।  ଏହି ଚଳଚ୍ଚିତ୍ରକୁ ଏକ ସିନେମାଟିକ୍ ମାଷ୍ଟରପିସ୍ ଭାବରେ ପ୍ରଶଂସା କରାଯାଉଛି । ମହାକାଶରେ ଜୀବନର ଏକ ବାସ୍ତବବାଦୀ ଝଲକ ପ୍ରଦାନ କରିଛି, ଏହା ସବୁ ଅତ୍ୟାଧୁନିକ କମ୍ପ୍ୟୁଟର-ଜେନେରେଟେଡ୍ ଚିତ୍ର କିମ୍ବା ଯାହାକୁ ଆମେ ସାଧାରଣତଃ ଗ୍ରାଫିକ୍ସ ବୋଲି କହିଥାଉ । ତାହାର ପ୍ରତିଫଳନ । କିନ୍ତୁ ୨୦୨୧ ରେ, ରୁଷୀୟ ମହାକାଶ ସଂସ୍ଥା ରସକସମସ୍ ଲୋକପ୍ରିୟ ଅଭିନେତ୍ରୀ ୟୁଲିଆ ପେରେସ୍ଲିଡ୍‌ ଏବଂ ପ୍ରଯୋଜକ-ନିର୍ଦ୍ଦେଶକ କ୍ଲିମ୍ ସିପେଙ୍କୋଙ୍କୁ ମହାକାଶକୁ ପଠାଇ ଇତିହାସ ରଚିଥିଲା । ଯେଉଁଠାରେ ଏହି ଯୋଡ଼ି ରୁଷିଆନ୍ ଚଳଚ୍ଚିତ୍ର "ଭାଇଜୋଭ୍" ସୁଟିଂ କରିଥିଲେ । ବିଶ୍ବ ଇତିହାସରେ ପ୍ରଥମ ଥର କୌଣସି ଫିଲ୍ମ ମହାକାଶରେ ସୁଟିଂ ହୋଇଥିଲା । 

ଅକ୍ଟୋବର ୨୦୨୧ରେ, ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ରୁଷିଆର ସୋୟୁଜ୍ ରକେଟ୍ ଏବଂ କ୍ୟାପସୁଲ୍‌ରେ ମହାକାଶକୁ ଯାଇଥିଲେ । ଏହାର ନେତୃତ୍ୱ ନେଇଥିଲେ ରୁଷିଆର ମହାକାଶଚାରୀ ଆଣ୍ଟନ୍ ଶକାପ୍ଲେରୋଭ୍। ଫିଚର ଫିଲ୍ମ ସୁଟିଂ କରିବା ଉଦ୍ଦେଶ୍ୟରେ ଏହି ମହାକାଶ ଯାତ୍ରା ଆରମ୍ଭ ହୋଇଥିଲା । ରୁଷିଆର ୟେଲୋ, ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଷ୍ଟୁଡିଓ ଏବଂ ଚ୍ୟାନେଲ୍ ୱାନ୍ ରୁଷିଆ ଦ୍ୱାରା ରସକସମସ୍‌ ସହିତ ସହଭାଗୀତାରେ ନିର୍ମାଣ ହୋଇଥିଲା ଭାଇଜୋଭ୍ ଚଳଚ୍ଚିତ୍ର (ଇଂରାଜୀରେ ଏହାର ଅର୍ଥ- ଦି ଚ୍ୟାଲେଞ୍ଜ) । ରୁଷିଆର ମହାକାଶ କାର୍ଯ୍ୟକଳାପକୁ ଲୋକପ୍ରିୟ କରିବା, ମହାକାଶଚାରୀ ବୃତ୍ତିକୁ ମହିମାନ୍ବିତ କରିବା ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ପାଇଁ ଏହି ଫିଲ୍ମର ଉଦ୍ଦେଶ୍ୟ ଥିଲା ବୋଲି ଜଣାପଡ଼ିଛି।

ଅକ୍ଟୋବର ୫, ୨୦୨୧ରେ ପେରେସ୍ଲିଡ୍‌ ଏବଂ ସିପେଙ୍କୋ ସୁଟିଂ ପାଇଁ ଆଇଏସଏସରେ ପହଞ୍ଚିଥିଲେ। ସେହି ସମୟରେ, ଆମେରିକୀୟ ମହାକାଶ ସଂସ୍ଥା ନାସା ଏକ ଟ୍ୱିଟର ପୋଷ୍ଟରେ କହିଥିଲା ଯେ, ୟୁଲିଆ ପେରେସ୍ଲିଡ୍‌ ଏବଂ କ୍ଲିମ୍ ସିପେଙ୍କୋ, ମହାକାଶଚାରୀ ଆଣ୍ଟନ୍ ଶକାପ୍ଲେରୋଭଙ୍କ ସହିତ ଅକ୍ଟୋବର ୫ରେ ଭାରତୀୟ ସମୟ ଅପରାହ୍ନ ୨:୨୫ ସମୟରେ କାଜାଖସ୍ତାନର ବୈକୋନୁର କସମୋଡ୍ରୋମରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଉଡ଼ାଣ କରିଥିଲେ। ରୁଷିଆ ମହାକାଶ ସଂସ୍ଥା ରସକସମସ୍ ଦ୍ୱାରା ସୋୟୁଜ୍ ଏମଏସ-୧୮ ମହାକାଶଯାନରେ କ୍ରୁ ଆଇଏସଏସକୁ ଉଡ଼ାଣ ଭରିଥିଲେ ।




'ଦି ଚ୍ୟାଲେଞ୍ଜ'ର ସୁଟିଂ ପାଇଁ ଫିଲ୍ମ ଟିମକୁ ତାଲିମ ଦିଆଯାଇଥିଲା। ବିଭିନ୍ନ ଦୃଶ୍ୟ ସୁଟିଂ କରିବା ପାଇଁ, ଟିମ୍‌ ମହାକାଶରେ ୧୨ ଦିନ ବିତାଇଥିଲେ ।  ISS ରେ ୩୫-୪୦ ମିନିଟ୍ ଲମ୍ବା ଏକ ସିକ୍ୱେନ୍ସ ମଧ୍ୟ ସୁଟିଂ କରିଥିଲେ । ଏହି ଫିଲ୍ମଟି ଜଣେ ମହିଳା ଡାକ୍ତରଙ୍କ କାହାଣୀ ଉପରେ ଆଧାରିତ । ଯିଏ ମହାକାଶରେ ଜଣେ ମହାକାଶଚାରୀଙ୍କୁ ବଞ୍ଚାଇବା ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଛନ୍ତି । ISS ରେ ଉପସ୍ଥିତ କସ୍ମୋନଟ୍ ଆଣ୍ଟନ୍ ଶକାପ୍ଲେରୋଭ୍ ଏବଂ ପ୍ୟୋଟ୍ର ଡୁବ୍ରୋଭ୍ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି । 




ପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରି ଇତିହାସ ସୃଷ୍ଟି କରିବା ପରେ ଅକ୍ଟୋବର୧୭, ୨୦୨୧ରେ ଟିମ୍‌ ପୃଥିବୀକୁ ଫେରିଥିଲେ ।  ଚଳଚ୍ଚିତ୍ରର ଏକ ଦୃଶ୍ୟ ସୁଟିଂ ପାଇଁ ମହାକାଶରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ୧୨ ଦିନ ବିତାଇଥିବା ଦଳରେ ଅଭିନେତ୍ରୀ ୟୁଲିଆ ପେରେସ୍ଲିଡ୍‌ ଏବଂ ନିର୍ଦ୍ଦେଶକ କ୍ଲିମ୍ ସିପେଙ୍କୋ ସାମିଲ ଥିଲେ । 

ସେପଟେ ୧୬୫ ମିନିଟ୍‌ର ଏହି ଫିଲ୍ମରେ ୪୦ ମନିଟ୍‌ର ସିନ୍‌ ମହାକାଶରେ ସୁଟିଂ ହୋଇଥିଲା । ୨୦୨୩ ଏପ୍ରିଲ ମାସରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ବହୁ ପରିମାଣର ଅର୍ଥ ରୋଜଗାର କରିଥିଲା । ଫିଲ୍ମ ନିର୍ମାଣ ଲାଗି ପ୍ରକୃତରେ କେତେ ଅର୍ଥ ଖର୍ଚ୍ଚ ହୋଇଥିଲା ତାହା ଜଣାପଡ଼ି ନାହିଁ । କିନ୍ତୁ ରୁଷ ଗଣମାଧ୍ୟମ ଅନୁସାରେ, ୧୧.୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥିଲା ବୋଲି କୁହାଯାଏ ।