ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଘଟଣା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ଦେଶର ପ୍ରଧାନବିଚାରପତି ହୋଇ ମଧ୍ୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଦୁଇଦୁଇ ଥର କାର୍ଯ୍ୟକାଳ ପୁରା କରିଛନ୍ତି। ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁ ରିତିନୀତିରେ ବିବାହ କାର୍ଯ୍ୟ ସହ ନିଜ ଶେଷଇଚ୍ଛାରେ ହିନ୍ଦୁ ପରମ୍ପରା ଅନୁସାରେ ଦାହ ହେବାପାଇଁ ଇଚ୍ଛା ପ୍ରକାଶ କରିଥିଲେ ସେ। ଆସନ୍ତୁ ଜାଣିବା ଏପରି ଜଣେ ପ୍ରଧାନବିଚାରପତିଙ୍କ ଅଦ୍ଭୁତ ରେକର୍ଡ ବିଷୟରେ।
ଭାରତର ପ୍ରଥମ ମୁସଲମାନ ପ୍ରଧାନ ବିଚାରପତି ଥିଲେ ମହମ୍ମଦ ହିଦୟତୁଲ୍ଲା। ହିଦୟତୁଲ୍ଲା ପ୍ରଥମେ ୧୯୬୮ ମସିହାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ସେ ଦେଶର ପ୍ରଥମ ପ୍ରଥମ ମୁଖ୍ୟ ବିଚାରପତି ଥିଲେ ଯିଏ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ଭାରତର ଇତିହାସରେ ଏହା ମଧ୍ୟ ପ୍ରଥମ ଥର ଥିଲା ଯେ କୈଣସି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରଥମେ କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଇଥିଲା। ଏଥିପାଇଁ ସଂସଦର ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। କାରଣ ଏହାପୂର୍ବରୁ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ସିଜେଆଇଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରିବାର କୈଣସି ବ୍ୟବସ୍ଥା ନଥିଲା। ସୂଚନା ଥାଉକି, ସେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିଥିବା ଭାରତର ପ୍ରଥମ ଉପରାଷ୍ଟ୍ରପତି ଥିଲେ।
ସେ ନାଗପୁର କୋର୍ଟରେ ୧୯୩୬ରୁ ୧୯୪୨ ଯାଏ ଓକିଲ ଭାବେ କାର୍ଯ୍ୟ କରିଥିଲେ। ସେହି କୋର୍ଟରେ ୧୯୪୮ ମସିହାରେ ବିଚାରପତି ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ ହିଦୟତୁଲ୍ଲା। ଏହାପରେ ୧୯୫୬ ମସିହାରେ ସେ ଏହି କୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୧୯୬୮ ମସିହା ଫେବୃଆରୀ ୨୫ ତାରିଖ ଦିନ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ସହ ସେ ସୁପ୍ରିମକୋର୍ଟରେ ପ୍ରଥମ ମୁସଲିମ ପ୍ରଧାନ ବିଚାରପତି ହେବାରେ ସୈଭାଗ୍ୟଲାଭ କରିଥିଲେ।
ହିଦାୟତୁଲ୍ଲାହ ଦେଶର ପ୍ରଥମ ପ୍ରଧାନବିଚାରପତି ଭାବେ କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ। ସେହି ସମୟରେ ରାଷ୍ଟ୍ରପତି ଜାକିର ହୁସେନଙ୍କ ଦେହାନ୍ତ ପରେ ଉପରାଷ୍ଟ୍ରପତି ଭିଭି ଗିରି ରାଷ୍ଟ୍ରପତି ହୋଇଥିଲେ। ହେଲେ ସେ ବି ସେହି ସମୟରେ ନିର୍ବାଚନରେ ଭାଗ ନେବାରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଇଥିଲା। ସେ ୩୫ ଦିନ ଯାଏ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରହିଥିଲେ। ପୁଣି ସେ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ସେତେବେଳେ ରହିଥିଲେ ଯେତେବେଳେ ଜ୍ଞାନି ଜେଲ ସିଂହ ତାଙ୍କ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ତା’ପରେ ସେ ୧୯୮୨ ଅକ୍ଟୋବର ୬ ରୁ ଅକ୍ଟୋବର ୩୧, ୧୯୮୨ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ତ୍ବ ସମ୍ଭାଳିଥିଲେ।
ଯଦିଓ ସେ ମୁସଲମାନ ପରିବାରରୁ ଆସିଥିଲେ, ତେବେ ସେ ୫ ବର୍ଷ ବିଚାରପତି ପଦରେ ରହିବା ପରେ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ଜଣେ ଜୈନ ଝିଅକୁ ବିବାହ କରିଥିଲେ। ସେ ୧୯୪୮ ମସିହାରେ ୪୩ ବର୍ଷ ବୟସରେ ଜୈନ ପରିବାରର ଝିଅ ପୁଷ୍ପା ଶାହାଙ୍କୁ ବିବାହ କରିଥିଲେ।
ହୃଦଘାତ ଯୋଗୁଁ ହିଦୟତୁଲ୍ଲାଙ୍କର ସେପ୍ଟେମ୍ବର ୧୮, ୧୯୯୨ ରେ ଦେହାନ୍ତ ହୋଇଥିଲା। ଯେତେବେଳେ ତାଙ୍କର ଦେହାନ୍ତ ହେଲା, ତାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ହିନ୍ଦୁ ପରମ୍ପରା ଅନୁଯାୟୀ ଶବଦାହ କରାଯାଇଥିଲା। ଏହା ହିଁ ଥିଲା ତାଙ୍କର ଶେଷ ଇଚ୍ଛା।