କରଞ୍ଜିଆ, ୨୮।୭ : ବର୍ଷା ଯୋଗୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ହାତିବାରୀଠାରେ ଥିବା ଦେଓ ନଦୀବନ୍ଧର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର କର୍ତ୍ତୃପକ୍ଷ ନଦୀବନ୍ଧର ଗୋଟିଏ ଗେଟ ଖୋଲିଛନ୍ତି। ଦେଓ ନଦୀବନ୍ଧରୁ ବର୍ଷର ପ୍ରଥମ ବର୍ଷା ଜଳ ଛଡାଯାଇଛି।
ଦେଓ ନଦୀବନ୍ଧର ଜଳଧାରଣ କ୍ଷମତା ୪୧୨ ମିଟର ରହିଥିବା ବେଳେ ପ୍ରବଳ ବର୍ଷା ହେତୁ ନଦୀବନ୍ଧର ଜଳସ୍ତର ଆଜି ୪୦୮.୫ ମିଟରକୁ ବୃଦ୍ଧି ପାଇଛି। ତେଣୁ ଯେକୌଣସି ସମୟରେ ଏହା ବିପଦସଂକେତ ଉପରେ ପ୍ରବାହିତ ହୋଇପାରେ । ନଦୀବନ୍ଧର ବାମ ଓ ଦକ୍ଷିଣ ପାର୍ଶ୍ଵର ଦୁଇଟି ମୁଖ୍ୟ କେନାଲ ଦେଇ ଜଳ ନିଷ୍କାସିତ ହେଉଛି।
ଚାଷୀଙ୍କ ଜଳସେଚନ ଯୋଗାଇ ଦେବା ଓ ଜଳସ୍ତରକୁ ଦୃଷ୍ଟିରେ ରଖି ଉଭୟ ବାମ, ଦକ୍ଷିଣ କେନାଲ ଦ୍ୱାରା ଜଳ ନିଷ୍କାସନ ହେବାରୁ ବନ୍ଧର ତଳିଆ ଅଞ୍ଚଳରେ ଥିବା ବୈତରଣୀ ଓ ତାର ଶାଖା ନଦୀ ମାନଙ୍କର ଜଳ ପତ୍ତନ କ୍ରମଶଃ ବୃଦ୍ଧି ପାଇବ। ଏଣୁ ବୈତରଣୀ ଓ ତାର ଶାଖା ନଦୀ ତଟବର୍ଷୀ ଉଭୟ ପାର୍ଶ୍ଵରେ ବସବାସ କରୁଥିବା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲା ମାନଙ୍କର ଜନସାଧାରଣଙ୍କୁ ଦେଓ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କତା ଅବଲମ୍ବନ କରାଯିବା ନିମନ୍ତେ ଆଗୁଆ ସୂଚନା ପ୍ରଦାନ କରାଯାଇଛି । ସେହିପରି ନଦୀକୂଳ ତଥା ତଳିଆ ଅଞ୍ଚଳରେ ବସବାସ କରୁଥିବା ଗାଁ ଲୋକଙ୍କୁ ବନ୍ୟା ନିୟନ୍ତ୍ରଣ ବିଭାଗ କକ୍ଷ ପକ୍ଷରୁ ଗୃହପାଳିତ ପଶୁ, ଆସବାବପତ୍ର ଆଦିକୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ ଦେବା ସହ ସତର୍କ ସୂଚନା ଜାରି କରାଯାଇଛି ।
ଆହୁରି ପଢନ୍ତୁ : ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କଲେ ରାଜସ୍ବ ମନ୍ତ୍ରୀ, ୩ ଆଇଏଏସଙ୍କୁ ଦିଆଗଲା ଦାୟିତ୍ବ