କଟକ,୦୧/୦୨ :  କେବଳ କୋଠା ତିଆରିରେ ସୀମିତ ରହିଛି ଆହାର କେନ୍ଦ୍ର । ଯାହାର ଉଦାହରଣ ଦେଖିବାକୁ ମିଳିଛି ଚାଉଳିଆଗଞ୍ଚ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏସ୍‌ସିବି ପରିସରରେ ଅବ୍ୟବହୃତ ଅବସ୍ଥାରେ ଥିବା ଆହାର କେନ୍ଦ୍ରରୁ । ଚାଉଳିଆଗଞ୍ଜ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦୁଇ ବର୍ଷ ତଳେ ନୂତନ ଆହାର କେନ୍ଦ୍ର ଉଦ୍‌ଘାଟନ ହୋଇଥିଲା । ଏହି ଆହାର କେନ୍ଦ୍ରରେ ମଧ୍ୟାହ୍ନରେ ୫ ଶହ ଓ ରାତିରେ ଅଢ଼େଇ ଶହ ଲୋକଙ୍କୁ ୫ ଟଙ୍କିଆ ମିଲ୍‌ ଖାଇବା ଲାଗି ସୁବିଧା ରହିଛି । ଏମିତିକି ଦିନକୁ ଦୁଇ ବେଳା ୭୫୦ରୁ ଅଧିକ ଲୋକଙ୍କୁ ୫ ଟଙ୍କାରେ ଖାଇବା ଯୋଗାଇଦେବା ପାଇଁ ଆହାର କେନ୍ଦ୍ର କରାଯାଇଥିଲେ ହେଁ ତାହା କୌଣସି କାମରେ ଲାଗୁନାହିଁ ।

ଉକ୍ତ ଆହାର କେନ୍ଦ୍ର ଉଦ୍‌ଘାଟନ ହେଲା ଦିନଠାରୁ ବନ୍ଦ ରହିଛି । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ଉକ୍ତ ଆହାର କେନ୍ଦ୍ର କବାଟରେ ତାଲା ଝୁଲୁଥିଲେ ହେଁ କେବେ ଫିଟିବ ତାହାର ଉତ୍ତର କାହାରି ପାଖରେ ନାହିଁ । ୩୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଆହାର କେନ୍ଦ୍ରରୁ ଲୋକେ ଦି ମୁଠା ଖାଇବାକୁ ସୁଯୋଗ ପାଇନଥିଲେ ମଧ୍ୟ ଏହି ନବନିର୍ମିତ କୋଠାରେ ରଙ୍ଗ ବୋଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ବ୍ୟବହାର ନହୋଇ କାହା ସ୍ୱାର୍ଥରେ ରଙ୍ଗବୋଳା ତାହାକୁ ନେଇ ଚର୍ଚ୍ଚା ହେଉଛି । ଉଦ୍‌ଘାଟନ ହୋଇ ମଧ୍ୟ କାମରେ ଆସୁନଥିବାରୁ ଚାଉଳିଆଗଞ୍ଜ ଅଞ୍ଚଳର ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନନ୍ଦିନ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମେତ ନିକଟସ୍ଥ ଓଏମ୍‌ପି ଛକରେ ବସଷ୍ଟାଣ୍ଡରେ ଚଳପ୍ରଚଳ ଯାତ୍ରୀ ଓ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ଆହାର କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ମେଡିକାଲ୍‌ର ପୂର୍ବତନ ଅଧୀକ୍ଷକ ଡାକ୍ତର ପି.କେ. ମଲ୍ଲିକ ସିଏମ୍‌ସିକୁ ଗତ ଦୁଇ ବର୍ଷରେ ୫ ଥରରୁ ଅଧିକ ଚିଠି ଲେଖିଥିଲେ ।

ସେହିପରି ଏବେ ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ସିଏମ୍‌ସିକୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ୍ୟ । ସେହିପରି ଏସ୍‌ସିବି ମେଡିକାଲ୍‌ରେ ତିଆରି ହୋଇଥିବା ନୂତନ ଆହାର କେନ୍ଦ୍ରରେ ମଧ୍ୟ ତାଲା ଝୁଲୁଛି । ଉକ୍ତ ଆହାର କେନ୍ଦ୍ର ଉଦ୍‌ଘାଟନ ହୋଇନଥିବା ଆଳ ଦେଖାଇ ଗେଟ୍‌ରେ ଏବେ ତାଲା ଝୁଲୁଛି । ଅନ୍ୟପକ୍ଷରେ ରାଜ୍ୟରେ ଆହାର ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଦିନଠାରୁ ଏସ୍‌ସିବି ମେଡିକାଲ୍‌ରେ ଏକ ଆହାର କେନ୍ଦ୍ର ନିର୍ମାଣ ହୋଇଥିଲା । ଉକ୍ତ ପୁରୁଣା ଆହାର କେନ୍ଦ୍ରରେ ଆଖିବୁଜା ଗହଳି ଜମୁଥିବାରୁ ତଥା ୫ ଟଙ୍କିଆ ଭାତ, ଡାଲମା ଖାଇବା ପାଇଁ ଶହଶହ ସଂଖ୍ୟାରେ ଲୋକ ଲମ୍ବାଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ମଧ୍ୟ ନିରାଶ ହୋଇ ଫେରୁଛନ୍ତି ।

ଆହୁରି ପଢନ୍ତୁ-୨୧ ହଜାର ଜୀବନ ରକ୍ଷା କରିଛନ୍ତି ଅଗ୍ନିଯୋଦ୍ଧା, ଉଦ୍ଧାର କରିଛନ୍ତି ୫୦ ହଜାରୁ ଅଧିକ ପଶୁ

ଉକ୍ତ ସମସ୍ୟାର ସମାଧାନ ଲାଗି ଏସ୍‌ସିବିରେ ଦ୍ୱିତୀୟ ଆହାର କେନ୍ଦ୍ର ନିର୍ମାଣ ପାଇଁ ୪ ବର୍ଷ ତଳେ ସରକାର ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ୩ ବର୍ଷ ଲାଗି ଯାଇଥିଲା । ଉକ୍ତ କୋଠା ନିର୍ମାଣ କାମ ଏବେ ଶେଷ ହୋଇଥିଲେ ତାହା ଲୋକଙ୍କ ସେବାରେ ଲାଗି ପାରୁନାହିଁ । ଦୈନନ୍ଦିନ ମେଡିକାଲ୍‌କୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଉକ୍ତ ନୂତନ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇବାକୁ ସୁଯୋଗ ପାଇପାରୁନାହାନ୍ତି । ଏପରିସ୍ଥଳେ ପୁରୁଣା ଆହାର କେନ୍ଦ୍ରରେ ଆଖିବୁଜା ଗହଳି ଓ ପେଲାଠେଲା ଭିତରେ ୫ ଟଙ୍କିଆ ମିଲ୍‌ ଖାଇବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।