ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଦ୍ରୁତ ବିକାଶ ଏବେ ଲୋକଙ୍କ ଚିନ୍ତା ବଢ଼ାଇଲାଣି । ବିଶେଷକରି, ଚାକିରି କରୁଥିବା ଲୋକେ ଆଶଙ୍କାରେ ପଡ଼ିଛନ୍ତି । AI ସେମାନଙ୍କର ସ୍ଥାନ ନେଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏଆଇ ଏବେ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରରେ ଦୁର୍ବଳ କରୁଥିବାର ଏକ ଖବର ସାମ୍ନାକୁ ଆସିଛି । ଆମେରିକାର ଜଣେ ଛାତ୍ରୀ ଏଆଇ ଭୟରେ ନିଜର ପାଠ ଅଧାରୁ ଛାଡ଼ିଛନ୍ତି । ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT)ର ଜଣେ ଛାତ୍ରୀ ଏତେ ଭୟଭୀତ ହୋଇଯାଇଛନ୍ତି ଯେ, ସେ ତାଙ୍କ ପାଠପଢ଼ା ଛାଡ଼ି ଦେଇଛନ୍ତି ।
ସେ କହିଛନ୍ତି ଯେ, ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସ (AGI) ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହା ପରେ ପଢ଼ିବାର କୌଣସି ଅର୍ଥ ରହିବ ନାହିଁ । ଇଣ୍ଟରେଷ୍ଟିଂ ଇଞ୍ଜିନିୟରିଂର ରିପୋର୍ଟ ଅନୁଯାୟୀ, ଏଲିସ୍ ବ୍ଲେୟାର ନାମକ ଜଣେ ଝିଅ ୨୦୨୩ ମସିହାରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ରେ ଆଡମିସନ୍ ନେଇଥିଲେ । କିନ୍ତୁ ଏବେ ସେ ତାଙ୍କ ପାଠପଢ଼ା ମଝିରେ ଛାଡି ଦେଇଛନ୍ତି। ତାଙ୍କୁ ଲାଗୁଛି, ଆର୍ଟିଫିସିଆଲ୍ ଜେନେରାଲ୍ ଇଣ୍ଟେଲିଜେନ୍ସ (AGI), ଅର୍ଥାତ୍ ଏକ AI ଯାହା ମଣିଷ ପରି ଚିନ୍ତା କରିପାରିବ, ଶୀଘ୍ର ଆସିପାରେ । ଏଜିଆଇ ଆସିଲେ କଲେଜ ସମାପ୍ତ କରିବାର କୌଣସି ଅର୍ଥ ରହିବ ନାହିଁ । ତେଣୁ ପଠପଢ଼ା ପୂରା କରିବାର କୌଣସି ଲାଭ ନାହିଁ । ଡିଗ୍ରି ପୂରା ହେଲା ବେଳକୁ ହୁଏତ ମୁଁ ଜୀବିତ ନଥିବି, କାରଣ ଏଜିଆଇ ବିପଦ ଖୁବ ଅଧିକ ।
ଏଲିସ୍ ବ୍ଲେୟାର ସେଣ୍ଟର ଫର୍ ଏଆଇ ସେଫ୍ଟି ନାମକ ଏକ ଏନଜିଓରେ ଜଣେ ଟେକ୍ ଲେଖକ ଭାବରେ କାର୍ଯ୍ୟ କରୁଛନ୍ତି । ଏବେ କଲେଜ୍କୁ ଫେରିବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେପଟେ ଫୋର୍ବସର ଏକ ରିପୋର୍ଟ ଅନୁସାରେ, ଏଆଇ ଆସିବା ପରେ ଛାତ୍ର ସମାଜ ମଧ୍ୟରେ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । କିଛି ଛାତ୍ର ଭୟ କରୁଛନ୍ତି ଯେ, ସୁପରଇଣ୍ଟେଲିଜେଣ୍ଟ ସିଷ୍ଟମ ବିଶ୍ୱ ପାଇଁ ଏକ ବଡ଼ ବିପଦ ହୋଇପାରେ । ଆଉ କେତେକ ଛାତ୍ର ସେମାନଙ୍କର ଚାକିରି ଏବଂ କ୍ୟାରିଅରକୁ ନେଇ ଚିନ୍ତିତ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୩୨୬ ଛାତ୍ରଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଅଧା ଛାତ୍ର କହିଛନ୍ତି ଯେ, ଏଆଇ ଯୋଗୁଁ ସେମାନଙ୍କର ଚାକିରି ପ୍ରଭାବିତ ହେବ ବୋଲି ସେମାନେ ଚିନ୍ତିତ ।
ଫୋର୍ବସର ରିପୋର୍ଟରେ ଆଡାମ କାଉଫମ୍ୟାନ ନାମକ ଜଣେ ଯୁବକଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ସେ ଗତ ବର୍ଷ ହାର୍ଭାର୍ଡ ଛାଡି ରେଡଉଡ୍ ରିସର୍ଚ୍ଚରେ କାମ କରିବା ଆରମ୍ଭ କରିଥିଲେ। ଏହା ଏକ ଏନଜିଓ, ଯାହା AIର ମଣିଷ ସମଜ ଉପରେ ପ୍ରଭାବ ସଂପର୍କରେ ତଥ୍ୟ ସଂଗ୍ରହ କରେ । କାଉଫମ୍ୟାନ କହିଛନ୍ତି, ‘ମୁଁ ଏଆଇର ବିପଦକୁ ନେଇ ବହୁତ ଚିନ୍ତିତ । ସେ କହିଛନ୍ତି ଯେ, ତାଙ୍କ ଭାଇ, ରୁମମେଟ୍ ଏବଂ ପ୍ରେମିକା ମଧ୍ୟ ହାର୍ଭାର୍ଡ ଛାଡି ଓପନAIରେ କାମ କରୁଛନ୍ତି ।
ଏଆଇ କେବଳ ଯେ,ଚାକିରି ଛଡ଼ାଇ ନେବ ତାହା ନୁହେଁ ମାନବଜାତି ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ଛାତ୍ର ସମାଜ ଚିନ୍ତା କରୁଛି । ୨୦୨୪ ମସିହାରେ, ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଏକ ରିପୋର୍ଟରେ ଚେତାବନୀ ଦିଆଯାଇଥିଲା ଯେ, ଏଆଇର ଦ୍ରୁତ ବିକାଶ 'ବିନାଶକାରୀ' ବିପଦ ଆଣିପାରେ। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ଗ୍ୟାରି ମାର୍କସ୍ କହିଛନ୍ତି ଯେ, ମଣିଷର ବିନାଶ ହେବାର ସମ୍ଭାବନା ବହୁତ କମ୍। ଏଆଇରେ ଏବେ ବି ଭୁଲ ସୂଚନା ଏବଂ ତର୍କ ଦେବା ଭଳି ସମସ୍ୟା ରହିଛି ବୋଲି ସେ କହିଛନ୍ତି ।