ନୂଆଦିଲ୍ଲୀ,୦୪/୦୭:ଆଜିକୁ ପ୍ରାୟ ୨୫.୨ କୋଟି ବର୍ଷ ତଳେ, ପୃଥିବୀ ଏପର୍ଯ୍ୟନ୍ତର ସବୁଠୁ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହି ଘଟଣା ଏକ ସାମୂହିକ ବିଲୁପ୍ତିର କାରଣ ହୋଇଥିଲା । ‘ଗ୍ରେଟ୍ ଡାଇଙ୍ଗ୍’ ନାମରେ ପରିଚିତ ଏହି ଭୟାନକ ବିପର୍ଯ୍ୟୟ ପୃଥିବୀରୁ ପ୍ରାୟ ୯୦ ଭାଗ ଜୀବଜଗତ ନଷ୍ଟ କରିଦେଇଥିଲା । ଏହି ଘଟଣା ପରେ ଯାହା ହେଲା, ଲମ୍ବା ସମୟ ଧରି ତାହା ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ରଖିଛି । ‘ଗ୍ରେଟ୍ ଡାଇଙ୍ଗ୍’ ଭଳି ଭୟାନକ ବିପର୍ଯ୍ୟୟ ପରେ ପୃଥିବୀ ଘାତକ ରୂପେ ଉତ୍ତପ୍ତ ହୋଇଗଲା ଏବଂ ୫୦ ଲକ୍ଷ ବର୍ଷ ଧରି ସେହି ଉତ୍ତପ୍ତ ଅବସ୍ଥାରେ ରହିଲା ।
ଅନ୍ତର୍ଜାତୀୟ ଅଧ୍ୟୟନକର୍ତ୍ତାଙ୍କର ଏକ ଟିମ୍ ଅନୁସାରେ, ଜୀବାଶ୍ମମାନଙ୍କର ଏକ ବିଶାଳ ଭଣ୍ଡାରକୁ ବିଶ୍ଳେଷଣ କରି ସେମାନେ ଏହାର କାରଣ ଖୋଜି ପାଇଛନ୍ତି । ଉଷ୍ଣମଣ୍ଡଳୀୟ ଜଙ୍ଗଲ ସହ ଏ ସମଗ୍ର ଘଟଣାର ସିଧା ସମ୍ପର୍କ ରହିଛି । ଅଧ୍ୟୟନଟି ନେଚର୍ କମ୍ୟୁନିକେସନ୍ ପତ୍ରିକାରେ ପ୍ରକାଶ ପାଇଛି । ଏହାର ତଥ୍ୟ ପୃଥିବୀର ଗହନ ରହସ୍ୟକୁ ସମାଧାନ କରିପାରେ । କିନ୍ତୁ ଜୀବାଶ୍ମ ଇନ୍ଧନ ଜାଳି ମଣିଷ ପୃଥିବୀକୁ ନିରନ୍ତର ଉତ୍ତପ୍ତ କରିଚାଲିଥିବାରୁ ଭବିଷ୍ୟତର ବିପର୍ଯ୍ୟୟ ପାଇଁ ଏହା ଗମ୍ଭୀର ଚେତାବନୀ ହୋଇଛି । ପୃଥିବୀ ଇତିହାସକୁ ଧକ୍କା ଦେଇଥିବା ୫ ସାମୂହିକ ବିଲୁପ୍ତି ମଧ୍ୟରେ ‘ଦ ଗ୍ରେଟ୍ ଡାଇଙ୍ଗ୍’ ବିପର୍ଯ୍ୟୟ ସବୁଠୁ ଭୟାନକ ଥିଲା । ପରମିଆନ୍ ଭୂବୈଜ୍ଞାନିକ ଯୁଗ ଅନ୍ତରେ ଏହାର ଯୋଗଦାନ ଥିଲା । ସାଇବେରିଆନ୍ ଟ୍ରାପ୍ସ ଭାବେ ପରିଚିତ ଏକ କ୍ଷେତ୍ରରେ ଆଗ୍ନେୟଗିରି ଗତିବିଧିର ସମୟ ପାଇଁ ଏହା ଦାୟୀ । ଏହା ବାୟୁମଣ୍ଡଳକୁ ବ୍ୟାପକ ପରିମାଣର ଅଙ୍ଗାରକ ଓ ଅନ୍ୟ ଗ୍ରହଉତ୍ତପ୍ତକାରୀ ଗ୍ୟାସ୍ ଛାଡ଼ିଥିଲା । ଫଳରେ ବିଶ୍ୱ ଉତ୍ତାପନ ତୀବ୍ର ହୋଇଥିଲା ।
ଅସଂଖ୍ୟ ସାମୁଦ୍ରିକ ଓ ଭୂପୃଷ୍ଠ ଉଦ୍ଭିଦ ଏବଂ ଜନ୍ତୁ ପ୍ରାଣ ହରାଇଥିଲେ । ପରିସଂସ୍ଥାନ ଧ୍ୱସ୍ତ ହୋଇଥିଲା ଏବଂ ମହାସାଗର ଅମ୍ଳୀକୃତ ହୋଇଥିଲା । ତେବେ ପୃଥିବୀ କାହିଁକି ଏତେ ମାତ୍ରାରେ ଉତ୍ତପ୍ତ ହେଲା ଏବଂ ଚରମ ଗ୍ରୀନ୍ହାଉସ୍ ଗ୍ୟାସ୍ ସ୍ଥିତି ଏତେ ଲମ୍ବା ସମୟ ଧରି କାହିଁକି ବଜାୟ ରହିଲା, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଏପରିକି ଆଗ୍ନେୟଗିରି ଗତିବିଧି ବନ୍ଦ ହେବା ପରେ ମଧ୍ୟ ଏହି ସ୍ଥିତି ବଜାୟ ରହିଥିଲା । ଅଧ୍ୟୟନର ଲେଖକ ଲିଡ୍ସ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍ଥ୍ ଏନ୍ଭିରନ୍ମେଣ୍ଟର ଗବେଷକ ଝେନ୍ ସୁ କହିଛନ୍ତି, ଅନ୍ୟ କୌଣସି ବିପର୍ଯ୍ୟୟ ଘଟଣା ତୁଳନାରେ ତାପମାତ୍ରା ବୃଦ୍ଧି ସ୍ତର ବହୁତ ଅଧିକ । କିଛି ଥିଓରି ମହାସାଗର ଭିତରେ ରହିଯାଇଛି । ଚରମ ଉତ୍ତାପ ଅଙ୍ଗାରକ ଅବଶୋଷଣକାରୀ ସାମୁଦ୍ରିକ ଉଦ୍ଭିଦଗୁଡ଼ିକୁ ନଷ୍ଟ କରିଥିଲା କିମ୍ବା ମହାସାଗରର ରାସାୟନିକ ସଂରଚନାକୁ ବଦଳାଇ ଦେଇଥିଲା, ଯାହା ଅଙ୍ଗାରକ ସଞ୍ଚୟରେ କମ୍ ପ୍ରଭାବଶାଳୀ ହୋଇଥିଲା ଥିଓରି ଏହା ଦର୍ଶାଉଛନ୍ତି ।
କିନ୍ତୁ ଇଂଲଣ୍ଡର ଲିଡ୍ସ ବିଶ୍ୱବିଦ୍ୟାଳୟ ଓ ଚାଇନା ୟୁନିଭର୍ସିଟି ଅଫ୍ ଜିଓସାଇନ୍ସେସ୍ର ବୈଜ୍ଞାନିକଙ୍କ ଅନୁସାରେ, ଏହାର ଉତ୍ତର ଜଳବାୟୁ ସଙ୍କଟକାଳୀନ ସ୍ଥିତିରେ ଲୁଚିଛି ଏବଂ ତାହା ହେଉଛି ଉଷ୍ଣମଣ୍ଡଳୀୟ ଜଙ୍ଗଲ ଧ୍ୱଂସ । ଅନ୍ୟତମ ଅଧ୍ୟୟନକର୍ତ୍ତା ଲିଡ୍ସ ବିଶ୍ୱବିଦ୍ୟାଳୟର ଆର୍ଥ୍ ସିଷ୍ଟମ୍ ଇଭୋଲ୍ୟୁସନ୍ର ପ୍ରଫେସର ବେଞ୍ଜାମିନ୍ ମିଲ୍ସ କହିଛନ୍ତି, ଏହି ଗ୍ରେଟ୍ ଡାଇଙ୍ଗ୍ ଏକ୍ସଟିନ୍ସନ୍ ବା ସାମୂହିକ ବିଲୁପ୍ତି ଘଟଣା ଅନନ୍ୟ । କାରଣ ଏହା ଏକମାତ୍ର ଘଟଣା ଯେଉଁଥିରେ ସମସ୍ତ ଉଦ୍ଭିଦ ମରିଯାଆନ୍ତି । ଏହି ସିଦ୍ଧାନ୍ତର ପରୀକ୍ଷା ଲାଗି ବୈଜ୍ଞାନିକମାନେ ଚୀନ୍ରେ ଜୀବାଶ୍ମ ତଥ୍ୟର ଏକ ବିଶାଳ ସଂଗ୍ରହର ଉପଯୋଗ କରିଥିଲେ, ଯାହା ଚାଇନିଜ୍ ଭୂବିଜ୍ଞାନୀମାନଙ୍କର ୩ ପିଢ଼ିଙ୍କ ଦ୍ୱାରା ଦୀର୍ଘ ଦଶନ୍ଧିର ପରିଶ୍ରମରେ ପ୍ରସ୍ତୁତ ହୋଇଛି । ଅତୀତର ଜଳବାୟୁ ସ୍ଥିତି ବିଷୟରେ ସୁରାଗ ପାଇବାକୁ ସେମାନେ ଜୀବାଶ୍ମ ଓ ଶିଳା ସଂରଚନାଗୁଡ଼ିକୁ ବିଶ୍ଳେଷଣ କଲେ ।
ସାମୂହିକ ବିଲୁପ୍ତି ଘଟଣା ପୂର୍ବରୁ, ସେହି ସମୟରେ ଏବଂ ତା’ପରେ ପୃଥିବୀର ପ୍ରତ୍ୟେକ ଭାଗରେ ଥିବା ଉଦ୍ଭିଦ ଓ ବୃକ୍ଷମାନଙ୍କର ମାନଚିତ୍ରର ପୁନଃ ନିର୍ମାଣରେ ଏହା ସାହାଯ୍ୟ କଲା । ଏଭଳି ମାନଚିତ୍ର ପୂର୍ବରୁ କେହି ପ୍ରସ୍ତୁତ କରିନାହାନ୍ତି ବୋଲି ମିଲ୍ସ କହିଛନ୍ତି । ଅଧ୍ୟୟନର ଫଳ ସେମାନଙ୍କ ଅନୁମାନକୁ ସ୍ପଷ୍ଟ କଲା । ସାମୂହିକ ବିଲୁପ୍ତି ଘଟଣା ସମୟରେ ଉଦ୍ଭିଦ ଜଗତ ଧ୍ୱଂସ ପାଇବା ଦ୍ୱାରା ସେମାନଙ୍କ ଅଙ୍ଗାରକ ସଞ୍ଚୟ ସାମର୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଭାବେ ହ୍ରାସ ପାଇଲା । ଫଳରେ ବାୟୁମଣ୍ଡଳରେ ଉଚ୍ଚ ମାତ୍ରାର ଅଙ୍ଗାରକ ରହିଲା । ଜଳବାୟୁକୁ ନିୟନ୍ତ୍ରଣରେ ରଖିବାରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଗ୍ରହ ଉତ୍ତପ୍ତକାରୀ ଅଙ୍ଗାରକ ଅବଶୋଷଣ ସହିତ ସଞ୍ଚୟ ମଧ୍ୟ କରିଥାନ୍ତି । ଜଙ୍ଗଲ ଧ୍ୱଂସ ପାଇଗଲେ, ଅଙ୍ଗାରକ ଚକ୍ର ବଦଳିଯାଏ । ଏହା ଦ୍ୱାରା ବାୟୁମଣ୍ଡଳ, ଭୂମି, ସମୁଦ୍ର ଓ ଜୀବିତ ପ୍ରାଣୀଙ୍କ ମଧ୍ୟରେ ଅଙ୍ଗାରକ ଘୂରିବୁଲେ । ଏହି ଅଧ୍ୟୟନରୁ ମିଲ୍ସ ଚେତାବନୀ ଦେଇଛନ୍ତି, ଦ୍ରୁତ ବିଶ୍ୱ ଉତ୍ତାପନ ଯଦି ପୃଥିବୀର ଉଷ୍ଣମଣ୍ଡଳୀୟ ଜଙ୍ଗଲଗୁଡ଼ିକୁ ଭବିଷ୍ୟତରେ ନଷ୍ଟ କରିଦିଏ, ‘ଗ୍ରେଟ୍ ଡାଇଙ୍ଗ୍’ ଭଳି ଆଉ ଏକ ଭୟାନକ ସାମୂହିକ ବିଲୁପ୍ତି ଘଟଣା ଘଟିପାରେ ।