ନୂଆଦିଲ୍ଲୀ - ସାଧାରଣତଃ ବାହାଘରକୁ ଆସୁଥିବା ଅତିଥିମାନଙ୍କୁ ବିଦାୟ ଦେବା ବେଳେ ମିଠେଇ , ପୋଷାକ କିମ୍ବା କିଛି ଛୋଟମୋଟ ଉପହାର ଦିଆଯାଏ। କିନ୍ତୁ ଭାରତରେ ଏମିତି ଏକ ବାହାଘର ହୋଇଛି, ଯାହା ରିଟର୍ଣ୍ଣ ଗିଫ୍ଟର ପରିଭାଷା ହିଁ ବଦଳାଇ ଦେଇଛି। ବର ଓ ତାଙ୍କ ପରିବାର ଲୋକ ବିବାହକୁ ଆସିଥିବା ଅତିଥି ଓ ସାରା ଗାଁକୁ ଏମିତି ଏକ ଅମୂଲ୍ୟ ଉପହାର ଦେଇଛନ୍ତି , ଯାହାର ମୂଲ୍ୟ ପ୍ରାୟ ୩୩.୬ କୋଟି ଟଙ୍କା ହେବ। ଏହି ନିଆରା ଉପହାର ଚର୍ଚ୍ଚା ଏବେ ପୂରା ଦେଶରେ ହେଉଛି ଏବଂ ଏଥିପାଇଁ ଗାଁର ସମସ୍ତଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଛି।

ଏହି ଅଦ୍ଭୁତ ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲା କନ୍ଧାର ତହସିଲର ବହାଦରପୁରା ଗାଁରେ। ଗତ ମାସ ମେ' ୨୦ ତାରିଖରେ ଏହି ଗାଁର ସିଦ୍ଧେଶ୍ୱର ପେଠକରଙ୍କ ବାହାଘର ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇ ଥିଲା। ପାରମ୍ପରିକ ରୀତିନୀତି ଅନୁସାରେ , ଆକର୍ଷଣୀୟ ବ୍ୟାଣ୍ଡ୍-ବାଜା ଓ ଭବ୍ୟ ଲାଇଟ୍ ରୋଷଣୀ ମଧ୍ୟରେ ସବୁ କିଛି ବେଶ୍ ଆଡମ୍ବରପୂର୍ଣ୍ଣ ଥିଲା, କିନ୍ତୁ ପେଠକର ପରିବାର ନିଜର ଏହି ଖୁସିକୁ କେବଳ ଉତ୍ସବ ଭିତରେ ସୀମିତ ରଖିବାକୁ ଚାହୁଁ ନଥିଲେ। ସେମାନେ ଏହାକୁ ସାମାଜିକ ଦାୟିତ୍ୱବୋଧ ସହ ଯୋଡ଼ିବାକୁ ଏକ ବଡ଼ ନିଷ୍ପତ୍ତି ନେଇ ଥିଲେ।

ଦେଖନ୍ତୁ ଏହି ଭିଡ଼ିଓ : ବାହାଘରରେ ଚକିତ କରିଦେଲେ ବରର ପରିବାର,ରିଟର୍ଣ୍ଣ ଗିଫ୍ଟରେ ଦେଲେ ୩୩ କୋଟିରୁ ଅଧିକ ଟଙ୍କାର ଉପହାର

ପେଠକର ପରିବାର ବାହାଘରରେ ଅଯଥା ଖର୍ଚ୍ଚ ନକରି ଗାଁର ସମସ୍ତ ୩,୪୬୫ ଜଣ ନାଗରିକଙ୍କୁ ୧-୧ ଲକ୍ଷ ଟଙ୍କାର 'ସାମୂହିକ ଦୁର୍ଘଟଣା ବୀମା କଭର' (Group Accident Insurance Cover) ଉପହାର ଦେଇଛନ୍ତି। ସାରା ଗାଁ ହିସାବରେ ଏହି ବୀମା ପଲିସିର ମୋଟ କଭର ରାଶି ପ୍ରାୟ ୩୩.୬ କୋଟି ଟଙ୍କା। ଏହି ସମସ୍ତ ବୀମାର ପ୍ରିମିୟମ ପେଠକର ପରିବାର ନିଜ ପକେଟରୁ ଭରିଛନ୍ତି, ଯାହାର ସିଧାସଳଖ ଲାଭ ଗ୍ରାମବାସୀଙ୍କୁ ପୂରା ଏକ ବର୍ଷ ପର୍ଯ୍ୟନ୍ତ ମିଳିବ।

ବରଙ୍କ ପରିବାରର କହିବାନୁସାରେ , ଗ୍ରାମାଞ୍ଚଳରେ ପ୍ରାୟତଃ ସାପ କାମୁଡ଼ିବା , ବଜ୍ରପାତ ହେବା କିମ୍ବା ଚାଷ କାମ ବେଳେ ମେସିନାରୀ ଦୁର୍ଘଟଣା ଘଟିବାର ଭୟ ଥାଏ। ଏଭଳି ପରିସ୍ଥିତିରେ ଗରିବ ପରିବାର ଉପରେ ଆର୍ଥିକ ସଙ୍କଟ ମାଡ଼ି ଆସେ। ସେଥିପାଇଁ ସେମାନେ ଗ୍ରାମପଞ୍ଚାୟତର ସହାୟତାରେ ଭୋଟର ତାଲିକା ଆଣି, କୌଣସି ଭେଦଭାବ ନକରି ପ୍ରତ୍ୟେକ ଗ୍ରାମବାସୀଙ୍କୁ ଏହି ସୁରକ୍ଷା କବଚ ଦେଇଛନ୍ତି।

 

ବାହାଘର ଖର୍ଚ୍ଚକୁ ଏଭଳି ଭାବେ ସମାଜର ମଙ୍ଗଳ ପାଇଁ ବ୍ୟବହାର କରି ପେଠକର ପରିବାର ଆଜି ସାରା ଦେଶ ପାଇଁ ସାଜିଛନ୍ତି ଏକ ଉଦାହରଣ ।

ଆହୁରି ମଧ୍ୟ ପଢନ୍ତୁ : Gymkhana Club : ୭ ରାଜା ଓ ୨୭ ଏକରର କାହାଣୀ, ୧୧୩ ବର୍ଷ ପରେ କଣ ପାଇଁ ବିପଦରେ ‘ ଜିମଖାନା କ୍ଲବ’