କଟକ, ୩୦।୧୦ : ଏଥର ବାଲିଯାତ୍ରା ପାଇଁ କେବଳ ମହାନଦୀ ପଠାକୁ ବ୍ୟବହାର କରାଯାଇ ପାରିବ କି ?   କଟକ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଏହି ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ଉପର ବାଲିଯାତ୍ରା ପଡିଆକୁ ଯାତ୍ରା ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ତେବେ ଏହା ଉପରେ ବିଭିନ୍ନ ବିଭାଗ, ବ୍ୟବସାୟୀ, ଅନୁଷ୍ଠାନ ଏବଂ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆଡ଼ଭୋକେଟ କମିଟି ସହ ବିଚାର ବିମର୍ଶ କରିବା ଲାଗି କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦେଶ କରିଛନ୍ତି। 

ବୁଧବାର ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି। କେବଳ ତଳ ପଡିଆରେ ବାଲିଯାତ୍ରା ହେବା ସମ୍ଭବ କି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହିତ ଉପର ବାଲିଯାତ୍ରା ପଡିଆକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଲାଗି ଆଜି ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ପରାମର୍ଶ  ଦେଇଛନ୍ତି । ଏନେଇ ୭ ତାରିଖ ସୁଦ୍ଧା ନିଷ୍ପତ୍ତି ନେବାପାଇଁ ହାଇକୋର୍ଟଙ୍କ କହିଛନ୍ତି। ଏବଂ ଆସନ୍ତା ୭ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ,  ଆସନ୍ତା ମାସ ୧୫ ରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଉପର ପଡିଆ ତଳ ପଡିଆର ଅନଲାଇନ ପ୍ଳଟ ବୁକିଂ ପ୍ରକ୍ରିୟା ସରିଲାଣି। ପ୍ରତିଥର ଉପର ଓ ତଳ ପଡିଆ ରେ ବାଲିଯାତ୍ରା ଅନୁଷ୍ଠିତ ହୁଏ। ତେଣୁ ହାଇକୋର୍ଟଙ୍କ ପରାମର୍ଶ ମୁତାବକ ଆଗକୁ କଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିଛି।