ଭୁବନେଶ୍ୱର, ୧୮/୧୨: ବହୁ ଚର୍ଚ୍ଚିତ ଭରତପୁର ଥାନାରେ ମାମଲା । କମିଶନ ଜଷ୍ଟିସ ଚିତ୍ତରଂଜନ ଦାସଙ୍କ ଆଗରେ ବୁଧବାର ଆରମ୍ଭ ହେବ ଶୁଣାଣି । ଶୁଣାଣିରେ ଉପସ୍ଥିତ ରହିବେ ନିଲମ୍ବିତ ପୋଲିସ ଅଧିକାରୀ, କ୍ୟାପଟେନ ଓ ତାଙ୍କ ବାନ୍ଧବୀ । ଶୁଣାଣି ବେଳେ ଉଭୟଙ୍କ ପକ୍ଷର ଓକିଲ ମଧ୍ୟ କମିଶନଙ୍କ ନିକଟରେ ଉପସ୍ଥିତ ରହିବେ ।
ସୂଚନା ମୁତାବକ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଥାନାକୁ ଆସିଥିବା ବେଳେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟ ତଥା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରିି କରିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ବିଚାର ବିଭାଗୀ ତଦନ୍ତ ଲାଗି ପୂର୍ବତ୍ତନ ନ୍ୟାୟଧିଶ ଜଷ୍ଟସ ଚିତ୍ତରଂଜନ ଦାଶଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରିଥିଲେ। ପରେ ତଦନ୍ତ କମିଶନ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରଥିଲେ। ତଦନ୍ତ କରି ସେନା ଅଧିକାରୀଙ୍କ ବାନ୍ଧବିଙ୍କର ପଲିଗ୍ରାଫ ଟେଷ୍ଟ କରାଇଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍। ଭୁବନେଶ୍ବର ଏସଏଫଏସଏଲରେ ଶେଷହୋଇଥିଲା ମିଛଧରା ପରୀକ୍ଷା। ମିଛ ଧରା ପରୀକ୍ଷାର ରିପୋର୍ଟ ଆସିବା ପରେ ବୁଧବାର ଅର୍ଥାତ ଆଜି ଏହି ମାମଲାର ଶୁଣାଣି ହେବ।