ନୂଆଦିଲ୍ଲୀ, ୩୦/୧୨ : ରେକର୍ଡ ସ୍ତର ଛୁଇଁଛି ଭାରତୀୟ ପୁଞ୍ଜିବଜାର । ୫.୨ ଲକ୍ଷ କୋଟି ଡଲାର ବଜାର ପୁଞ୍ଜି ସହ ଏହା ବିଶ୍ୱର ୪ର୍ଥ ସର୍ବବୃହତ ପୁଞ୍ଜି ବଜାର ଭାବେ ଉଭା ହୋଇଛି । ପ୍ରଥମ ୩ ସ୍ଥାନରେ ଆମେରିକା, ଚୀନ ଏବଂ ଜାପାନ ରହିଛନ୍ତି । ଚଳିତ ବର୍ଷ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ରେକର୍ଡ ଉଚ୍ଚ ସ୍ତର ଯଥାକ୍ରମେ ୮୫,୯୮୭ ପଏଣ୍ଟ ଏବଂ ୨୬,୨୭୭ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା । 

ପାନ୍ଥୋମାଥ୍‌ ଗ୍ରୁପ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ଆର୍ଥିକ ବର୍ଷରେ ଜିଡିପି ୮.୨% ଛୁଇଁଥିଲା । ସରକାରୀ ଖର୍ଚ୍ଚ କମିବା ଏବଂ ଦରଦାମ ଚାପ ଯୋଗୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ଭାଗରେ ଦେଶର ଜିଡିପି ଅଭିବୃଦ୍ଧି ଧିମା ରହିଛି । ସରକାରଙ୍କ ଖର୍ଚ୍ଚ, ଘରୋଇ ନିବେଶ ଏବଂ ଗ୍ରାମୀଣ ଚାହିଦା ପ୍ରତ୍ୟାବର୍ତ୍ତନ ଯୋଗୁ ଅଭିବୃଦ୍ଧି ପୁଣି ଥରେ ଟ୍ରାକକୁ ଫେରିବ ବୋଲି ଆକଳନ କରାଯାଇଛି । ଭାରତ ଭାଲ୍ୟୁ ଫଣ୍ଡ୍‌ର ସିଆଇଓ ମଧୁ ଲୁନାୱତ କୁହନ୍ତି, ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କ ଲାଗି ମଧ୍ୟମ ଓ ଦୀର୍ଘ ମିଆଦି ନିବେଶ ଦୃଷ୍ଟିକୋଣରୁ ଏଆଇଏଫ୍‌, ପିଏମ୍‌ଏସ୍‌, ମ୍ୟୁଚୁଆଲ ଫଣ୍ଡ ବର୍ଗରେ ଢ଼େର ସୁଯୋଗ ରହିଛି । ଏବେ ଦେଶର କୃଷି କ୍ଷେତ୍ର ଅଭିବୃଦ୍ଧି ପଥରେ ରହିଛି । ଅଟୋମୋଟାଇଲ କ୍ଷେତ୍ର ୧୦% ଅଭିବୃଦ୍ଧି ସହ ୬.୧୪ ଲକ୍ଷ କୋଟି ଛୁଇଁଛି । ଇଭି ଗ୍ରହଣୀୟତା ସହ ଦେଶ ଏ କ୍ଷେତ୍ରରେ ୩୦ ବିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ରଖିଛି । ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି, ପୁଞ୍ଜିଖର୍ଚ୍ଚ ଏବଂ କର୍ପୋରେଟ ଗୁଡିକର ଲାଭ ସହ ଏହା ବଜାର ଲାଗି ଲାଭକାରି ହେବ ବୋଲି ଏସିଏମ୍‌ଆଇଆଇଏଲର ରିଟେଲ ମୁଖ୍ୟ ଦେବାଙ୍ଗ ଶାହା କହିଛନ୍ତି।