ଚେନ୍ନାଇ ୨୨/୧୨:  ଚେନ୍ନାଇ ନିକଟସ୍ଥ ଥିରୁପୋରୁରରେ ଅରୁଲମିଗୁ କନ୍ଦସ୍ୱାମୀ ମନ୍ଦିରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିନୟାଗପୁରମ୍‌ ବାସିନ୍ଦା ଦିନେଶ ପରିବାର ସହିତ ଗତ ନଭେମ୍ବର ମାସରେ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦାନ ପାଇଁ ପକେଟ୍‌ରୁ ଟଙ୍କା ବାହାର କରିବା ସମୟରେ ତାଙ୍କ ଆଇଫୋନ୍‌ ଦାନ ବାକ୍ସ ଭିତରେ ପଡ଼ିଯାଇଥିଲା । ଏହା ପରେ ମନ୍ଦିର ପ୍ରଶାସନ ସହ ସମ୍ପର୍କ କରି ମୋବାଇଲ ଫୋନ୍‌ ଫେରାଇବାକୁ ସେ କହିଥିଲେ ।

ମନ୍ଦିର ପ୍ରଶାସନ କହିଲା, ଦାନ ବାକ୍ସ ଦୁଇ ମାସରେ ଥରେ ଖୋଲାଯାଏ । ଏହା ପରେ ଦିନେଶ ସେଠାରୁ ଖାଲିହାତରେ ଫେରିଯାଇଥିଲେ । ଗତ ୨୦ ତାରିଖ (ଶୁକ୍ରବାର) ମନ୍ଦିରର ଦାନ ବାକ୍ସ ଖୋଲାଯାଇଥିଲା । ସେଥିରୁ ମୋବାଇଲ ଫୋନ୍‌ ମିଳିଲା । ମନ୍ଦିର ପ୍ରଶାସନ ଦିନେଶଙ୍କୁ ଏ ବିଷୟରେ ସୂଚନା ଦେଲେ । ପ୍ରଶାସନ କହିଲା, ଫୋନ୍‌ ତାଙ୍କୁ ଫେରାଯିବ ନାହିଁ । କାରଣ ପରମ୍ପରା ଅନୁସାରେ, ଦାନ ପେଟିକୁ ଯାଇଥିବା ପ୍ରତ୍ୟେକ ଜିନିଷ ମନ୍ଦିର ଦେବତାଙ୍କର ହୋଇଯାଏ । ଦେବତାଙ୍କୁ ମାନିବାର ଏହି ପରମ୍ପରାକୁ ପାଳନ କରାଯିବ । ସେଥପାଇଁ ଫୋନ୍‌ ମନ୍ଦିର ପ୍ରଶାସନ ପାଖରେ ରହିବ । ଦିନେଶ ନିଜର ସିମ୍‌ କାର୍ଡ ଓ ଫୋନ୍‌ ଡାଟା ନେଇପାରିବେ ବୋଲି ପ୍ରଶାସନ ସ୍ପଷ୍ଟ କଲା । ଦିନେଶ କିନ୍ତୁ ଫୋନ୍‌ ନେବାକୁ ଦାବି କରିଛନ୍ତି ।

ତାମିଲନାଡୁର ମନ୍ତ୍ରୀ ପି ଶେଖର ବାବୁ କହିଛନ୍ତି, ନିୟମ ଅନୁସାରେ, ଦାନ ପେଟିକୁ ଆସିଥିବା ଅର୍ପଣ ବସ୍ତୁ ଦେବତାଙ୍କ ଖାତାକୁ ଯାଏ । ଭକ୍ତଙ୍କ ଦାନକୁ ଫେରାଇବାର ଅନୁମତି ମନ୍ଦିର ପ୍ରଶାସନ ଦିଏ ନାହିଁ । ଜଣେ ଅଧିକାରୀଙ୍କ ଅନୁସାରେ, ଦାନ ବାକ୍ସରେ ମୂଲ୍ୟବାନ ସାମଗ୍ରୀ ପଡ଼ିବାର ଏହା ପ୍ରଥମ ଘଟଣା ନୁହେଁ । ୨୦୨୩, ମେ’ରେ କେରଳର ଅଲପ୍ପୁଝା ବାସିନ୍ଦା ଏସ୍‌ ସଙ୍ଗୀତା ଶ୍ରୀ ଧନଦାୟୁଥପାନୀ ସ୍ୱାମୀ ମନ୍ଦିର ଯାଇଥିଲେ । ସେ ଗଳାରୁ ତୁଳସୀ ମାଳ ବାହାର କରୁଥିଲେ । ଏହି ସମୟରେ ତାଙ୍କର ୧୪ ଗ୍ରାମ୍‌ର ସୁନା ଚେନ୍‌ ଦାନ ବାକ୍ସ ଭିତରେ ପଡ଼ିଯାଇଥିଲା । ସଙ୍ଗୀତା ଏ ବିଷୟରେ ମନ୍ଦିର ପ୍ରଶାସନକୁ ଜଣାଇଥିଲେ । ତାଙ୍କ ଆର୍ଥିକ ସ୍ଥିତିକୁ ଦେଖି ମନ୍ଦିରର ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଇଥିଲା । ଏହା ପରେ ମନ୍ଦିର ପ୍ରଶାସନ ଚେନ୍‌ ଫେରାଇବା ବଦଳରେ ସେତିକି ଓଜନର ଏକ ନୂଆ ଚେନ୍‌ କିଣି ତାଙ୍କୁ ଦେଇଥିଲା ।